Latest Odisha News

BREAKING NEWS

ଅବସର ନେବାକୁ ଥିବା ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତିମାନେ ନିଜର ସମ୍ପତ୍ତିର ତଥ୍ୟ ସାର୍ବଜନୀନ କରିଛନ୍ତି। ୧ ଏପ୍ରିଲରେ ସମସ୍ତ ବିଚାରପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏବେ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା, ପରବର୍ତୀ ମୁଖ୍ୟ ବିଚାରପତି ବି.ଆର୍‌. ଗାଓ୍ଵଇ ସମେତ ୩୩ ଜଣ ବିଚାରପତିଙ୍କ ସମ୍ପତ୍ତି ତଥ୍ୟ ସୁପ୍ରିମକୋର୍ଟର ଓ୍ଵେବସାଇଟରେ ଅପଲୋଡ୍‌ ହୋଇଛି। ବିଚାରପତିମାନେ ନିଜ ଓ ପରିବାରର ଫ୍ଲାଟ୍‌, ଘର, ପାରିବାରିକ ସମ୍ପତ୍ତି, କୃଷି ଜମି, ବ୍ୟାଙ୍କ ଖାତା, ଅଳଙ୍କାର ଆଦିର ତଥ୍ୟ ପ୍ରକାଶ କରିଛନ୍ତି।

ମୁଖ୍ୟ ବିଚାରପତି ସଞ୍ଜୀବ ଖନ୍ନାଙ୍କ ସମ୍ପତ୍ତି

ମୁଖ୍ୟ ବିଚାରପତି ସଞ୍ଜୀବ ଖନ୍ନାଙ୍କ କଥା କହିବାକୁ ଗଲେ, ତାଙ୍କ ପାଖରେ ଦକ୍ଷିଣ ଦିଲ୍ଲୀରେ ଏକ ତିନି ବେଡ୍‌ରୁମ୍‌ ଫ୍ଲାଟ୍‌ ଅଛି। ଦିଲ୍ଲୀର କମନ୍‌ୱେଲ୍‌ଥ ଗେମ୍‌ସ ଭିଲେଜରେ ଚାରି ବେଡ୍‌ରୁମ୍‌ ଫ୍ଲାଟ୍‌ ସହ ଦୁଇଟି ପାର୍କିଂ ଅଛି। ଗୁରୁଗ୍ରାମରେ ଏକ ଫ୍ଲାଟ୍‌ରେ ତାଙ୍କର ୫୬% ସେୟାର ଅଛି। ହିମାଚଳ ପ୍ରଦେଶର ଡାଲହୌସୀରେ ପାରିବାରିକ ସମ୍ପତ୍ତିରେ ତାଙ୍କର ଅଂଶ ରହିଛି। ଖନ୍ନା ନିଜ ବ୍ୟାଙ୍କ ଖାତା, ପିଏଫ୍‌ ଖାତା, ସେୟାର, ସୁନା ଆଦିର ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କ ସ୍ତ୍ରୀ ଓ ପରିବାରର ସମ୍ପତ୍ତି ତଥ୍ୟ ମଧ୍ୟ ଦେଇଛନ୍ତି।

ପରବର୍ତୀ ମୁଖ୍ୟ ବିଚାରପତି ଗାଓ୍ଵଇଙ୍କ ସମ୍ପତ୍ତି

ସିନିୟରମୋଷ୍ଟ ବିଚାରପତି ତଥା ୧୪ ମେ’ରୁ ମୁଖ୍ୟ ବିଚାରପତି ହେବାକୁ ଥିବା ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଓ୍ଵଇ ମଧ୍ୟ ତାଙ୍କ ସମ୍ପତ୍ତି ତଥ୍ୟ ଦେଇଛନ୍ତି। ତାଙ୍କ ପାଖରେ ମହାରାଷ୍ଟ୍ରର ଅମରାବତୀରେ ଘର ଓ କୃଷି ଜମି ଅଛି, ଯାହା ତାଙ୍କୁ ସ୍ୱର୍ଗତ ପିତାଙ୍କଠାରୁ ମିଳିଛି। ମୁମ୍ବାଇର ବାନ୍ଦ୍ରା ଓ ଦିଲ୍ଲୀର ଡିଫେନ୍ସ କଲୋନୀରେ ତାଙ୍କର ଫ୍ଲାଟ୍‌ ଅଛି। ନାଗପୁରରେ ମଧ୍ୟ ତାଙ୍କର କୃଷି ଜମି ରହିଛି। ଜଷ୍ଟିସ ଗାଓ୍ଵଇ ନିଜ ବ୍ୟାଙ୍କ ଖାତା, ସୁନା ଆଦି ସମ୍ପତ୍ତି ସହ ସ୍ତ୍ରୀଙ୍କ ସମ୍ପତ୍ତି ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି।

ନିକଟରେ ଜଣେ ବିଚାରପତିଙ୍କ ଘରୁ ବିଡା ବିଡା ନୋଟ୍ ଜବତ ହୋଇଥିଲା । ଏହାପରେ ନ୍ୟାୟପାଳିକାରେ ଦୁର୍ନୀତି ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଚାରପତିମାନେ ତାଙ୍କ ସମ୍ପତ୍ତି ସାର୍ବଜନୀନ କରିଛନ୍ତି ।

Comments are closed.