Latest Odisha News

କ୍ଷମତାରୁ ହଟିବା ପରେ ବିଜେଡି ଓ ପାଣ୍ଡିଆନଙ୍କ ଭବିଷ୍ଯତ କ’ଣ?

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଗାଦିଚ୍ଯୁତ ହେବା ପରେ ବଡ଼ ଅଡୁଆରେ ପଡ଼ିଛି ବିଜୁ ଜନତା ଦଳ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ତିଆରି ହୋଇଥିବା ଏହି ଦଳ ବିରୋଧରେ ଜନାଦେଶ ପରେ କଣ ରହିବ ଦଳର ଭବିଷ୍ୟତ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଦଳର ସୁପ୍ରିମୋ ଫିଟ୍ ବୋଲି କହୁଛନ୍ତି କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଓ ତାଙ୍କର ଅନ୍ୟତମ ବିଶ୍ବସ୍ତ ଭି.କେ ପାଣ୍ଡିଆନ ହଠାତ କ୍ୟାମେରା ସାମ୍ନାରୁ ଗାଏବ ହୋଇଯିବା ପରେ ଅନେକ ଚର୍ଚ୍ଚା ହେଉଛି।

ନିର୍ବାଚନରେ ପ୍ରଥମ ଥର ପାଇଁ କୌଣସି ଲୋକସଭା ଆସନ ଜିତିନପାରି ମାଟି କାମୁଡିଛି ବିଜୁ ଜନତା ଦଳ । ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିବା ପରେ ବିଜେଡିକୁ ଏବେ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଆଞ୍ଚଳିକ ଦଳ ପାଇଁ ଆଗକୁ କ’ଣ ହେବ ଏବଂ ଏହା କିପରି ଲୋକଙ୍କ ବିଶ୍ୱାସ ଫେରାଇ ଆଣିବାରେ ସକ୍ଷମ ହେବ ସେ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ବିରୋଧୀ ଦଳ ଭୂମିକାରେ ବିଜେଡି

ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିବା ପରେ ବିରୋଧୀ ଦଳର ଭୂମିକା ତୁଲାଇବା ବିଜେଡି ପାଇଁ ଅଡୁଆ ଲାଗୁଛି। ପ୍ରଥମ ଥର ପାଇଁ କ୍ଷମତାରୁ ଦୂରେଇ ଥିବା ବିଜେଡି କିଭଳି ବିରୋଧୀ ଦଳ ଭାବେ ନିଜର ଆଭିମୁଖ୍ୟ ରଖିବ ତାଉପରେ ସମସ୍ତଙ୍କ ନଜର ରହିଛି। ନବୀନ ନା ଆଉ କିଏ ହେବେ ବିରୋଧୀ ଦଳ ନେତା ଏହା ଉପରେ ମଧ୍ୟ ନଜର ରହିଛି। ପୂର୍ବରୁ ବିରୋଧୀ ଆସନରେ ବସିଥିବା ବିଜେପି ଯେଉଁ ପ୍ରସଙ୍ଗ ଉଠାଉଥିଲା ସେତେବେଳେ ବିଜେଡି ଏହାକୁ ବିକାଶ ବିରୋଧୀ ନାରା ବୋଲି କହୁଥିଲା। ଆଉ ଏବେ ବିଜେଡି ବିରୋଧୀ ଆସନରେ ବସିବା ପରେ ବିଜେପିର ଆଭିମୁଖ୍ୟ କିପରି ରହିବ ତାଉପରେ ନଜର ରହିଛି।

କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ?

ଦଳର ପରାଜୟ ଏବଂ ନିର୍ବାଚନ ପର୍ବରୁ ନବୀନ କହି ସାରିଛନ୍ତି ତାଙ୍କ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହଁ। ଓଡ଼ିଶାବାସୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଚୟନ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ତେବେ ଲୋକମାନେ ତାଙ୍କ ଉତ୍ତରାଧିକାରୀ ଚୟନ କରିବାର କୌଣସି ଉପାୟ ନାହିଁ। ତେଣୁ ନବୀନ ନିଜର ରାଜନୈତିକ ଉତ୍ତରାଧିକାରୀ ବାଛିବାର ସମ୍ଭାବନା ରହିଛି। ଏବେ ପ୍ରଶ୍ନ ଉଠୁଛି ତାଙ୍କ ଉତ୍ତରାଧିକାରୀ ହେବାର ସାମର୍ଥ୍ୟ କାହା ପାଖରେ ରହିଛି। ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ଭାବେ ପାଣ୍ଡିଆନ ଉଭୟ ପ୍ରଶାସନ ଓ ଦଳୀୟ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ତେବେ ତାଙ୍କର ଏହି ଭୂମିକା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ବିଜେଡିର ନିର୍ବାଚନୀ ପରାଜୟର କାରଣ ପାଲଟିଛି। ତେଣୁ ନିଷ୍ପତ୍ତି ନେବାରେ ଯଦି ସେ କୌଣସି ପ୍ରମୁଖ ଭୂମିକା ନିର୍ବାହ କରନ୍ତି, ତେବେ ଲୋକମାନେ ଏହାକୁ ଗ୍ରହଣ କରିବାର ସମ୍ଭାବନା ନାହିଁ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ଦଳର ଦାୟିତ୍ୱ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ କିମ୍ବା ତାଙ୍କ ପରିବାରର କେହି ନେଇପାରନ୍ତି। ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଜେପି ନେତା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେଣୁ ବିଜେଡି ସୁପ୍ରିମୋ ଦଳରେ ନିଜର ଉତ୍ତରାଧିକାରୀ ଚୟନ କରିବାର ସମ୍ଭାବନା ରହିଛି।

ପାଣ୍ଡିଆନ୍ କରିବେ କ’ଣ?

ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପାଣ୍ଡିଆନ ଘୋଷଣା କରିଥିଲେ ଯେ ଯଦି ନବୀନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପାଣ୍ଡିଆନଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ସେ କୁଆଡେ ଗଲେ କେଉଁଠି ଅଛନ୍ତି ଏହା ଉପରେ ସାରା ଓଡ଼ିଶାର ନଜର ରହିଛି। ୨୦୧୪ ମସିହାରୁ ସେ ପ୍ରବଳ କ୍ଷମତା ଓ ପ୍ରଭାବ ରଖୁଥିଲେ। ଏ ବାବଦରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଥିଲେ ପ୍ୟାରୀମୋହନ ମହାପାତ୍ର। ଯିଏକି ପାଣ୍ଡିଆନଙ୍କ ପୂର୍ବରୁ ନବୀନଙ୍କ ବିଶ୍ବସ୍ତ ଥିଲେ। ପରେ ବେଆମାନ କହି ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।

୨୦୧୯ ନିର୍ବାଚନରେ ମଧ୍ୟ ବିଜେଡି ଟିକେଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି। ଚାକିରିରେ ଥାଇ ମଧ୍ୟ ପାଣ୍ଡିଆନ ବିଜେଡି ଦଳୀୟ ମାମଲାରେ ହସ୍ତକ୍ଷେପ କରୁଥିଲେ। ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ବିଜେଡିରେ ଦ୍ୱିତୀୟ କ୍ଷମତାକେନ୍ଦ୍ରରେ ରହିଥିଲେ। ନବୀନଙ୍କ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାଣ୍ଡିଆନ୍ ସବୁ କ୍ଷେତ୍ରରେ ଆଧିପତ୍ୟ ବଜାୟ ରଖିଥିଲେ। ଟିକେଟ ବଣ୍ଟନଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ସେ ୨୦୨୪ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରୋଡ୍ ସୋ’ ଓ ରାଲିକୁ ସମ୍ବୋଧିତ କରି ସେ ସାରା ଓଡ଼ିଶା ଗସ୍ତ କରିଥିଲେ। ତେବେ ପାଣ୍ଡିଆନଙ୍କ ହସ୍ତକ୍ଷେପ ପଛରେ ବିଜେଡିର ପରାଜୟକୁ ଅନେକ ଦାୟୀ କରିଛନ୍ତି।

ସବୁକିଛି ଠିକ୍ କରିବେ ନବୀନ !

ଓଡିଆ ଅସ୍ମିତା ପ୍ରସଙ୍ଗରେ ବିଜେପିର ଆକ୍ରମଣ ଭିତରେ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଥିବା ଜଣାପଡିଛି । ତେଣୁ ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ପଛର କାରଣ ଖୋଜି ନବୀନ ସୁଧାରିବା ଦରକାର । ସେ ଦଳୀୟ ସଂଗଠନରେ ସୁଧାର ଆଣିପାରନ୍ତି ଏବଂ କେଉଁଠି କିଛି ଭୁଲ୍ ହୋଇଛି ତାହା ଖୋଜି ପାରନ୍ତି। ନିର୍ବାଚନ ପରାଜୟ ପରେ ସଂଗଠନକୁ ଭାଙ୍ଗିବାରୁ ରୋକିବା ପାଇଁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଏକଜୁଟ ରଖିବା ସହ ଠୋସ୍ ପଦକ୍ଷେପ ନେବେ। ନବୀନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ଏବେ ଅଟକିଛି।

Comments are closed.