ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଗମ୍ଭୀରତାର ସହ ବିଚାର କରାଯାଉଛି । କାରଣ ନିକଟରେ ଦେଶର ତିନୋଟି ରାଜ୍ୟ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ୧୧ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି, ଯେଉଁମାନେ ଦେଶର ଗୁପ୍ତ ସୂଚନା ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପଠାଉଥିଲେ । ଏହି ଗୁପ୍ତଚରମାନେ ସୋସିଆଲ ମିଡିଆ ଏବଂ ହନିଟ୍ରାପ୍ ଭଳି ପଦ୍ଧତି ବ୍ୟବହାର କରିଥିଲେ ।
ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଜଣେ CRPF ଯବାନ ଯିଏକି ନିଜ ଦେଶ ସହିତ ବିଶ୍ୱାସଘାତକତା କରି ନିକଟରେ ପାକିସ୍ତାନର ଗୁପ୍ତଚର କରୁଥିବାର ଧରାପଡ଼ିଛନ୍ତି । ଯବାନ ମୋତି ରାମ ଜାଟଙ୍କୁ ଗୁପ୍ତଚର ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗିରଫ କରିଛି । ସେ ପୂର୍ବରୁ କଶ୍ମୀରରେ ପୋଷ୍ଟିଂ ହୋଇଥିଲେ ଏବଂ ତାଙ୍କ ଉପରେ ପାକିସ୍ତାନୀ ଅଧିକାରୀଙ୍କ ସହ ଯୋଗାଯୋଗ ରଖିବା ଏବଂ ଭାରତର ସୁରକ୍ଷା ସମ୍ପର୍କିତ ସୂଚନା ପଠାଉଥିବା ଏବଂ ଏଥିପାଇଁ ସେ ଟଙ୍କା ମଧ୍ୟ ପାଇଥିବା ଅଭିଯୋଗ ହୋଇଛି । ପହଲଗାମ ଆକ୍ରମଣ ସମୟରେ ଏହି ଡ୍ୟୁଟିରେ ଥିବାରୁ ଏବଂ ସେ ‘ଅପରେସନ୍ ସିନ୍ଦୂର’ ଭଳି ଗୁପ୍ତ ଅପରେସନ ବିଷୟରେ ମଧ୍ୟ ଅବଗତ ଥିବାରୁ ମାମଲାଟି ଅଧିକ ଗମ୍ଭୀର ହୋଇଥିଲା ।
ଏହା ସହତ ଗିରଫ ହୋଇଥିବା ଅନ୍ୟ ଗୁପ୍ତଚରମାନଙ୍କ ମଧ୍ୟରେ ହରିୟାଣାର ହିସାରରୁ ଜ୍ୟୋତି ମଲହୋତ୍ରା, ପାନିପତର ନୋମାନ ଇଲାହି, କୈଥଲର ଦେବେନ୍ଦ୍ର ଢିଲ୍ଲନ ଏବଂ ନୁହରୁ ମହମ୍ମଦ ଅରମାନ ଏବଂ ତାରିଫ ଅନ୍ତର୍ଭୁକ୍ତ । ସେହିପରି ପଞ୍ଜାବର ଜଲନ୍ଦରରୁ ମହମ୍ମଦ ମୁର୍ତଜା ଅଲୀ, ଗୁରୁଦାସପୁରର ସୁଖପ୍ରୀତ ଏବଂ କରଣବୀର ସିଂ, ମଲେରକୋଟଲାରୁ ଗଜାଲା ଖାତୁନ୍ ଏବଂ ୟାମିନ୍ ମହମ୍ମଦଙ୍କୁ ଗିରଫ କରାଯାଇଥିଲା । ୟୁପିର ମୁରାଦାବାଦରୁ ଶହଜାଦକୁ ମଧ୍ୟ ଗିରଫ କରାଯାଇଛି । ଟଙ୍କା ଏବଂ ଲୋଭରେ ପ୍ରଲୋଭିତ ହୋଇ ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଭାରତୀୟ ସାମରିକ ଘାଟିର ସୂଚନା ଏବଂ ଫଟୋଗ୍ରାଫ ISI କୁ ପଠାଉଥିଲେ । ଏହି ନେଟୱାର୍କ ସୋସିଆଲ ମିଡିଆ ଏବଂ ନକଲି ପରିଚୟ ମାଧ୍ୟମରେ ଧୀରେ ଧୀରେ ଯୁବକମାନଙ୍କୁ ନିଜ ଜାଲରେ ଫସାଇ ଦେଇଥିଲା ।
ଆସନ୍ତୁ ଜାଣିବା ଏପରି ମାମଲାରେ ଦୋଷୀମାନଙ୍କୁ କି ଦଣ୍ଡ ମିଳେ ଏବଂ ଏହି ବିଶ୍ୱାସଘାତକମାନଙ୍କୁ କିପରି ଧରାଯାଏ ।
ସେନା ଭିତରେ ଥିବା ବିଶ୍ୱାସଘାତକମାନଙ୍କୁ ଏହିପରି ଧରାଯାଏ..
ସେନା ଭିତରେ ରହି ଯଦି କୌଣସି ଯବାନ ଦେଶ ପାଇଁ ବିଶ୍ବାସ ଘାତକତା କରନ୍ତି ସେମାନଙ୍କୁ ଧରିବା ପାଇଁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀରେ ସ୍ୱତନ୍ତ୍ର ସାଇବର ସେଲ୍ ରହିଛି । ସେମାନଙ୍କର କାମ ହେଉଛି ସୋସିଆଲ ମିଡିଆରେ ଯବାନମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା, କଲ୍ ରେକର୍ଡ ଯାଞ୍ଚ କରିବା ଏବଂ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ରିପୋର୍ଟ କରିବା । ଯେତେବେଳେ କୌଣସି ଯବାନଙ୍କୁ ସନ୍ଦେହ କରାଯାଏ, ତାଙ୍କ ଫୋନ୍ ଟ୍ରାକ୍ କରାଯାଏ ଏବଂ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରାଯାଏ । ଏହା ପରେ, ସେନା ପୋଲିସ ପ୍ରଥମେ ଏପରି ଯବାନଙ୍କୁ ହେପାଜତକୁ ନେଇଥାଏ ଏବଂ ତା’ପରେ ତାଙ୍କୁ NIA ଭଳି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଏ । ଯବାନଙ୍କୁ ତୁରନ୍ତ ନିଲମ୍ବିତ କରାଯାଏ ଏବଂ ତାଙ୍କର ପେନସନ ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ବନ୍ଦ କରିଦିଆଯାଏ ।
ବିଶ୍ୱାସଘାତକତା ପାଇଁ କ’ଣ ମିଳେ ଦଣ୍ଡ?
ଏପରି ପରିସ୍ଥିତିରେ, ‘ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ 1923’ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୁଏ । ଏହା ବ୍ୟତୀତ, ଭାରତୀୟ ଦଣ୍ଡ ସଂହିତା (BNS)ର ଧାରା 152, 147 ଏବଂ 148 ମଧ୍ୟ ଲାଗୁ କରାଯାଇଛି । ଏହି ଧାରା ଅନୁଯାୟୀ, ଯଦି କୌଣସି ଯବାନ କିମ୍ବା ଅଧିକାରୀ ଦେଶ ପ୍ରତି ବିଶ୍ୱାସଘାତକତା କରନ୍ତି ଏବଂ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବନିମ୍ନ 3 ବର୍ଷ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡ ହୋଇପାରେ । ଏହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଦେଶ ସହିତ ବିଶ୍ୱାସଘାତକତା କରୁଥିବା ଲୋକଙ୍କୁ କୌଣସି କ୍ଷମା ନାହିଁ । ଯବାନମାନଙ୍କୁ ଦେଶକୁ ସୁରକ୍ଷା ଦେବାର ଦାୟିତ୍ୱ ଦିଆଯାଇଛି ଏବଂ ଯଦି ଏହି ଲୋକମାନେ ଦେଶକୁ କ୍ଷତି ପହଞ୍ଚାନ୍ତି, ତେବେ ଆଇନ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ।
Comments are closed.