ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇ ଦିନ ହେବ କଳ୍ପନାଜଳ୍ପନା ଜୋର ଧରିଛି।
ତେବେ ଏହି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଆସନ ବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିବା ସୂଚନା ମିଳିଛି।
ବିଜେପି ଲୋକସଭାରେ ଅଧିକ ଆସନ ପାଇଁ ପ୍ରୟାସ କରୁଥିବା ବେଳେ ବିଜେଡି ବିଧାନସଭା କ୍ଷେତ୍ରରେ ୧୦୦ରୁ ଅଧିକ ଆସନରେ ଲଢିବାକୁ ଦାବି କରୁଛି।
ସେହିପରି ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ବିଜେପି ଗଣିତ ହିସାବରେ ଏହା ଏକ ସେଫ ସିଟ୍। କିନ୍ତୁ ବିଜେଡି ଏହି ଦୁଇ ଆସନ ପାଇଁ ଦାବି କରୁଥିବା ସୂଚନା ରହିଛି। ଯାହାକୁ ନେଇ ରାଜ୍ୟ ବିଜେପି କେନ୍ଦ୍ର ବିଜେପି ଆଗରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛି। ଉଭୟ ଆସନ ପାଇଁ ସମ୍ବିତ ପାତ୍ର ଏବଂ ଅପରାଜିତା ଷଡ଼ଙ୍ଗୀ ଦାବିଦାର ଅଛନ୍ତି। ଅପରାଜିତା ଅନ୍ତିମ ଥର ବିଜୟୀ ହୋଇଥିଲେ ଯେତେବେଳେ କି ସମସ୍ତ ବିଧାନସଭାରୁ କଂଗ୍ରେସ ଗୋଟିଏ ଏବଂ ବିଜେଡି ଅନ୍ୟ ସମସ୍ତ ଆସନରେ ବିଜୟୀ ହୋଇଥିଲା। ସେହିପରି ପୁରୀରେ ସମ୍ବିତ ପାତ୍ର ଦ୍ବିତୀୟ ସ୍ଥାନରେ ଥିଲେ। ଚଳିତ ଥର ସେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ଗତ ଦୁଇ ଦିନ ହେବ ଦିଲ୍ଲୀରେ ରହି ନିର୍ବାଚନ ରଣନୀତି ଓ ମେଣ୍ଟ ର ସମ୍ଭାବନା ସମ୍ପର୍କରେ ଆଲୋଚନା କରୁଛନ୍ତି। ସେପଟେ ବିଜେଡିର ଦୁଇ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ସହ ସମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି। ଏହି ଦୁଇ ବିଜେଡି ନେତା ଆଜି ଭୁବନେଶ୍ୱର ଫେରିବା ପରେ ଶଙ୍ଖ ଭବନରେ ବିଜେଡି ମହିଳା ଦିବସ ସମାରୋହରେ ଯୋଗ ଦେଇଥିଲେ।
ମେଣ୍ଟ କଳ୍ପନାଜଳ୍ପନାର ଜବାବରେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ ଏବଂ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢ଼ିଲେ ଅନୁକୂଳ ଫଳାଫଳ ମିଳିପାରିବ ବୋଲି ରାଜ୍ୟ ସଭାପତି ଓ ଦଳର ପ୍ରମୁଖ ନେତାମାନେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛନ୍ତି। ତେଣୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବ ବୋଲି ହରିଚନ୍ଦନ କହିଛନ୍ତି।
ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ମେଣ୍ଟ ଗୁଜବରେ ବାସ୍ତବିକ ଭିତ୍ତିଭୂମିର ଅଭାବ ରହିଛି। ତାଙ୍କ ବୁଝାମଣା ଅନୁଯାୟୀ ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାର ସମ୍ଭାବନା ଅଧିକ ଥିବାରୁ କାଳ୍ପନିକ କାହାଣୀକୁ ବିଶ୍ୱାସ ନଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ମେଣ୍ଟ ସମ୍ପର୍କରେ ବିଜେଡି ମହିଳା ଶାଖା ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆମକୁ ଆଉ ଟିକେ ଅପେକ୍ଷା କରିବାକୁ ପଡ଼ିବ। ଏ ନେଇ ତାଙ୍କର କିଛି ମନ୍ତବ୍ୟ ନାହିଁ।
Comments are closed.