ଗୌତମ ଗମ୍ଭୀର କଣ ପସନ୍ଦ କରୁ ନାହାନ୍ତି କେଏଲ ରାହୁଲ ଓ ରିଷଭ ପନ୍ତ । ସେମାନେ କଣ ତାଙ୍କ ଫେଭରାଇଟ ଲିଷ୍ଟରେ ନାହାନ୍ତି । ବାରମ୍ବର ସ୍ଥାନ ବଦଳାଇବାର ମାନେ କଣ ? ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆ ମିଶ୍ରିତ ପ୍ରଦର୍ଶନ କରିଛି । ଗମ୍ଭୀର କୋଚ ହେବା ପରେ ଟିମରେ ନିଃସନ୍ଦେହ ଅସ୍ଥିରତା ସୃଷ୍ଟି ହୋଇଛି । କଟକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କେଏଲ ରାହୁଲଙ୍କୁ ଅକ୍ଷର ପଟେଲଙ୍କ ପରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇଥିଲା । ଯାହାକୁ ନେଇ ପୂର୍ବତନ ଖେଳାଳିମାନେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ରିଷଭ ପନ୍ତ ଓ କେଏଲ ରାହୁଲଙ୍କୁ ଗମ୍ଭୀର ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି ।
ବାମ-ଡାହାଣ କମ୍ବିନେଶନ ପାଇଁ ଯଦି ରାହୁଲଙ୍କୁ ଉପରେ ଅକ୍ଷରଙ୍କୁ ପଠାଗଲା ତେବେ ଏଥିପାଇଁ ଚୂଡାନ୍ତ ଏକାଦଶରେ ପୂର୍ବ ଯୋଜନା ମୁତାବକ ରାହୁଲଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ କରାଯାଇ ପାରିଥାନ୍ତା । ପୂର୍ବ ମ୍ୟାଚରେ ରାହୁଲ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ । ପ୍ରଶ୍ନ ଉଠୁଛି ଗମ୍ଭୀର କଣ ଚାହୁଁଛନ୍ତି? ୬ କିମ୍ବା ୭ ନମ୍ବର ସ୍ଥାନରେ ରାହୁଲ ଖେଳିବା ମାନେ କିଛି ନାହିଁ । ଏହି ସ୍ଥାନରେ ପ୍ରାୟତଃ ବିସ୍ଫୋରକ ବ୍ୟାଟିଂର ଆବଶ୍ୟକତା ରହିଥାଏ । ସେହି ସ୍ଥାନରେ ପନ୍ତ ଉପଯୁକ୍ତ ଦାୟିତ୍ୱ ତୁଲାଇ ପାରିବେ ।
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଗମ୍ଭୀର ଅବଶ୍ୟ ସମସ୍ତ ଖେଳାଳିଙ୍କ ଫର୍ମ ଏବଂ ଫିଟନେସକୁ ଜାଣିବା ପାଇଁ ସୁଯୋଗ ପ୍ରଦାନ କରୁଛନ୍ତି । ଅନ୍ୟ ଜଣେ ପ୍ରମୂଖ କ୍ରିକେଟରଙ୍କ କହିବା ଅନୁସାରେ ପନ୍ତଙ୍କୁ ଗମ୍ଭୀର ତାଙ୍କ ଫେଭରାଇଟ ତାଲିକାରେ ରଖିବାକୁ ଚାହୁଁ ନାହାନ୍ତି । ରାହୁଲ ୫ ନମ୍ବର ସ୍ଥାନରେ ୬୦ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଜଣେ ସମୀକ୍ଷକଙ୍କ କହିବା ଅନୁସାରେ ଭାରତ ଯଦି ୨୦ ରନ ମଧ୍ୟରୁ ୩ରୁ ୪ ୱିକେଟ ହରାଇଦେବ ସେତେବେଳେ କଣ ଅକ୍ଷରଙ୍କୁ ଉପରେ ବ୍ୟାଟିଂ କରିବା ପାଇଁ ପଠାଯିବ ।
ରାହୁଲଙ୍କୁ ସବୁ ସ୍ଥାନରେ ପରୀକ୍ଷଣ କରି ଟିମ ମ୍ୟାନେଜମେଂଟ କଣ ପ୍ରମାଣ କରିବାକୁ ଚାହୁଁଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ପନ୍ତ ଏବଂ ରାହୁଲଙ୍କୁ ଗମ୍ଭୀର ସ୍ଥିର ସ୍ଥାନ ଦେବାକୁ ଚାହୁଁ ନାହାନ୍ତି । ଟିମ ଭଲ ସ୍ଥିତିରେ ଥିବା ବେଳେ କେବେ ହେଲେ ଏହି ଖେଳାଳିଙ୍କୁ କାହିଁକି ଉପରେ ପଠାଯାଉନି । ଟିମ କମ୍ବିନେଶନ ପ୍ରସ୍ତୁତ କରିବା ନିଶ୍ଚିତ ଭାବେ ଜଣେ କୋଚର ପ୍ରମୂଖ ଭୂମିକା । ମାତ୍ର ଗ୍ରେଗ ଚ୍ୟାପେଲଙ୍କ ପରି ସବୁ କିଛି ପରିବର୍ତନ କରିବାକୁ ଚେଷ୍ଟା କଲେ ପୂନର୍ବାର ଏକ ଶକ୍ତିଶାଳୀ ଟିମ ତିଆରି କରିବାକୁ ଅନେକ ସମୟ ଲାଗିବ ।
ଆଗକୁ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତିରେ ଟିମ ଭଲ ପ୍ରଦର୍ଶନ କରିପାରିବ ତ ? ଏହା ଟି୨୦ ଫର୍ମାଟ ନୁହେଁ । ଟେଷ୍ଟ ଏବଂ ଦିନିକିଆରେ ଏକ ଶୃଙ୍ଖଳିତ ଦଳ ଏବଂ ପ୍ରଦର୍ଶନର ଆବଶ୍ୟକତା ରହିଛି ।
Comments are closed.