Latest Odisha News

BREAKING NEWS

ମନ୍ତ୍ରୀ ନବ ଦାସଙ୍କ ରୋଷେୟାଙ୍କ ଶବକୁ ରାତିରେ ବ୍ୟବଛେଦ କରାଇବା ପଛରେ କାରଣ କ’ଣ?

ଝାରସୁଗୁଡା: ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯଦିଓ ଲଳିତ ସାହୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି ହେଲେ ଶବ ବ୍ୟବଚ୍ଛେଦ ରାତିରେ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ ପ୍ରେସମିଟ୍ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ବର୍ଷିଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ପ୍ରେସମିଟ୍ କରି କହିଛି, ଏପରି ଏକ ମାମଲାରେ ମନ୍ତ୍ରୀଙ୍କୁ ବଦନାମ କରିବାକୁ ବିରୋଧୀ ବିଜେପି ଉଦ୍ଦେଶ୍ୟ ରଖିଛି । ଏଥିସହ ବିଜେପିର ଅଭିଯୋଗକୁ ଖାରଜ କରିବା ସହିତ ନିନ୍ଦା କରିଛି। ଆଗକୁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ଜିଲ୍ଲାର ରାଜନୀତି ସରଗରମ ହୋଇଛି।

ମୃତ ଲଳିତ ସାହୁଙ୍କ ଘର ଢେଙ୍କାନାଳ । ଏପ୍ରିଲ ୧୭ ତାରିଖରେ ସେ ମନ୍ତ୍ରୀଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରେ ଝୁଲୁପଡିଥିଲେ । ତାଙ୍କ ସହିତ ରହୁଥିବା ବଡ ଭାଇ ନିଜ ଅଫିସ କାମ ସାରି ଘରକୁ ଫେରି ଦେଖିଥିଲେ ଳଳିତ ଆତ୍ମହତ୍ୟା କରିଛନ୍ତି । ଏହାପରେ ସେ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ ଶବକୁ ଜବତ କରି ରାତାରାତି ବ୍ୟବଚ୍ଛେଦ କରିଛି । ଏଥିସହ ମୃତକଙ୍କ ମୋବାଇଲକୁ ଜବତ କରିଛି।

ଏହାକୁ ନେଇ ବିଜେପି ଏବେ ମନ୍ତ୍ରୀଙ୍କୁ ଘେରିଛି । ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାତିରେ ସେତେବେଳେ ଶବ ବ୍ୟବଚ୍ଛେଦ ହୁଏ ଯେତେବେଳେ ଆଇନ ଶୃଙ୍ଖଳା ବିଗିଡିବାର ଭୟ ଥାଏ କିମ୍ବା ଯେଉଁଠାରେ ନିୟମିତ ଭାବେ ଶବ ବ୍ୟବଚ୍ଛେଦ ହେଉଥିବ ସେଠାରେ ଏହା ହୋଇପାରିବ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ରାତିରେ ଶବ ବ୍ୟବଚ୍ଛେଦ କରାଇଲେ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ଏ ନେଇ ମନ୍ତ୍ରୀ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଲୋକଙ୍କ ସନ୍ଦେହ ଦୂର କରିବାକୁ ସ୍ପଷ୍ଟୀକରଣ ରଖିବା ଦରକାର ବୋଲି କହିଛନ୍ତି।

ସେହିପରି ଜିଲ୍ଲା ବିଜେଡି ମଧ୍ୟ ଏହାର ଜବାବ ରଖିଛି । ବିଜେପିର ଏପରି ଅଭିଯୋଗର କୌଣସି ଆଧାର ନାହିଁ । ଏହା ହୀନ ରାଜନୀତି । ଜଣେ ପ୍ରାଣ ହରାଇଛନ୍ତି ତାକୁ ନେଇ ରାଜନୈତିକ ରୁଟି ସେକିବା ଠିକ୍ ନୁହେଁ ବୋଲି କହିଛନ୍ତି।

ତେବେ ଲଳିତଙ୍କ ମୃତ୍ୟ ପରେ ତାଙ୍କ ସାଙ୍ଗରେ ରହୁଥିବା ବଡ ଭାଇ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କ ଭାଇ ଅନେକ ଧାର କରଜ କରିଥିଲେ । ଏମିତିକି ଅନଲାଇନ ଜୁଆ ଖେଳି ପଇସା ହରାଇଥିଲେ। ସେହିପରି ଥାନାର ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଲଳିତଙ୍କ ଆକାଉଂଟକୁ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ସମୟରେ ୭ ଲକ୍ଷ ଟଙ୍କା ପଠାଇଥିଲେ । ଯଦି ଧାର କରଜରେ ବୁଡିବା ପରେ ଅସହାୟ ହୋଇ ଆଶିଷ ଆତ୍ମହତ୍ୟା କଲେ ତାହେଲେ ରାତିରେ ଶବ ବ୍ୟବଚ୍ଛେଦ କାହିଁକି ହେଲା ?

Leave A Reply

Your email address will not be published.