Latest Odisha News

ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଖଣ୍ଡପୀଠ ଓ କେନ୍ଦ୍ର ସରକାର ମଧ୍ୟରେ ବିତର୍କ

ନୂୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା ହେଉ । ଏଭଳି ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଖଣ୍ଡପୀଠ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବିତର୍କ ହୋଇଛି। ଯେଉଁଥିରେ କଲେଜିୟମ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପକ୍ଷ ରଖି ବିରୋଧ କରିଛନ୍ତି। ତେବେ ଏହି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ପଚାରିଛନ୍ତି କିଭଳି ନିଯୁକ୍ତି ହେଉଛି ତାକୁ ଆମେ ଦେଖିବାକୁ ଚାହୁଁଛୁ।

ଖଣ୍ଡପୀଠ କହିଛନ୍ତି,ଆପଣ ଦୁଇ ଦିନ ତଳେ କାହାକୁ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି। କେଉଁ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି ତାକୁ ଆମେ ଦେଖିବାକୁ ଚାହୁଁଛୁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସଜି ବଲବୀର ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ ଏହା ଏପରି ମାମଲା ନୁହେଁ ଯେଉଁଠି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ନିର୍ବାଚନ କମିସନ ଠିକ୍ କାମ କରିଛନ୍ତି, କୌଣସି ନିର୍ଦ୍ଦିଷ୍ଟ ଉଦାହରଣ ଦିଆଯାଇନାହିଁ। ବିକଳ୍ପ ବ୍ୟବସ୍ଥା ଆଣିଲେ ଆମେ ରାଷ୍ଟ୍ରପତି କିମ୍ବା ମନ୍ତ୍ରୀ ପରିଷଦକୁ ହଟାଇବୁ କି?

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସଜି କହିଥିଲେ, “ଯେଉଁ ପରିସ୍ଥିତିରେ କୌଣସି ଅଭିଯୋଗ କରାଯାଉ ନାହିଁ, କୌଣସି ସମସ୍ୟା ନାହିଁ ଏହି ପଦକୁ ନେଇ ତାହେଲେ ଏତେ ବିବାଦ କାହିଁକି?

ଏଏସଜି କହିଛନ୍ତି ଯେ ଅଦାଲତ ଏବଂ ଆଡଭାଇଜରୀ ଶବ୍ଦର ବ୍ୟାଖ୍ୟା ନିର୍ବାଚନ କମିସନର ନିଯୁକ୍ତି ସହିତ ବିଚାରପତିଙ୍କ ନିଯୁକ୍ତିକୁ ତୁଳନା କରିବା ଉଚିତ କାରଣ ସମ୍ବିଧାନ ସଭା ଏହି ବ୍ୟବସ୍ଥା ପ୍ରସ୍ତୁତ କରିବା ସମୟରେ ଏସବୁ ଦେଖିଥିଲା। ଏହି ତୁଳନା ଏବେ ପ୍ରାସଙ୍ଗିକ ହୋଇପଡ଼ିଛି, କାରଣ ଯଦି ଅନୁଷ୍ଠାନର କାର୍ଯ୍ଯଶୈଳୀକୁ ନେଇ ସଂସଦରେ ଚର୍ଚ୍ଚା ହେଉନି ବା ସଂସଦର ଆବଶ୍ୟକତା ନାହିଁ ସେତେବେଳେ କୋର୍ଟ ଏହି ମୂଲ୍ୟାଙ୍କନ କରିପାରିବ କି?

ନିର୍ବାଚନ କମିସନର ନିଯୁକ୍ତି ପାଇଁ ଜାରି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିପାରିବେ କି? ପୁଣି ଥରେ କରି ସ୍ଥିତାବସ୍ଥାକୁ ଫେରିପାରିବେ କି ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଏସ୍ଆଇ ବଲବୀର ସିଂହ କହିଛନ୍ତି, ହଁ, ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଆଇନରେ ଏହା କରାଯାଇପାରିବ, ଚରିତ୍ରବାନ ବ୍ୟକ୍ତିଙ୍କୁ ଖୋଜିବା ଗୋଟିଏ ଧାରା ହୋଇପାରେ କିନ୍ତୁ ନିଯୁକ୍ତି ପ୍ରଣାଳୀ ସହିତ ଏହାର କୌଣସି ନେଣଦେଣ ନାହିଁ। ଯାହାକି ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠାଇବ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଖଣ୍ଡପୀଠ କହିଥିଲେ ନିର୍ବାଚନ କମିସନରଙ୍କ ହାତରେ ଅଖଣ୍ଡ କ୍ଷମତା ରହିଛି। ହେଲେ ତାଙ୍କ କ୍ଷମତାକୁ ଅନୁଧ୍ୟାନ କରିବାକୁ କେହି ନାହାନ୍ତି। ଯାହାର ଫାଇଦା ନେଇ ଆସୁଛନ୍ତି ସମସ୍ତ ସରକାର।

ଶେଷ ଥର ପାଇଁ ୧୯୯୦ରୁ ୧୯୯୬ ଟିଏନ୍ ସେସାନ୍ ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ଯିଏକି ତାଙ୍କ କାର୍ଯ୍ୟକାଳ ପୂରଣ କରିଥିଲେ। ଏହାପରେ ଯେଉଁମାନେ ଏହି ପଦବୀରେ ବସିଛନ୍ତି ସେମାନେ ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାନ୍ତି ବା ସେ ସୁଯୋଗ ଦିଆଯାଇନାହିଁ।

ସରକାର ଯାହା କରି ଆସୁଛନ୍ତି, ତାହା ହେଉଛି ଜନ୍ମ ତାରିଖ ଜାଣିଥିବାରୁ ସିଇସି ଭାବେ ଯିଏ ନିଯୁକ୍ତି ପାଉଛନ୍ତି, ତାକୁ ଏପରି ଭାବେ ନିଯୁକ୍ତି ଦିଆଯାଉଛି ଯେମିତି କେହି ଛଅ ବର୍ଷ କାର୍ଯ୍ୟକାଳ ପୂରଣ କରିବେ ନାହିଁ। ୟୁପିଏ ସରକାର ହେଉ କିମ୍ବା ଏହି ଏନଡିଏ ସରକାର, ଏହା ଏକ ଟ୍ରେଣ୍ଡ୍ ହୋଇ ରହିଛି ବୋଲି ଜଷ୍ଟିସ୍ କେ. ଏମ୍. ଯୋଶେଫଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

Leave A Reply

Your email address will not be published.