Latest Odisha News

BREAKING NEWS

କିଏ ଖେଳୁଛି ବାରବାଟୀ ନାଁରେ ଖେଳ?

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି । ଷ୍ଟାଡିୟମ ନବୀକରଣକୁ ନେଇ କୌଣସି ଯୋଜନା ନଥିବା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଆରମ୍ଭ ହୋଇଛି ବିତର୍କ । ରାଜ୍ୟ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି ତ ପୂର୍ବରୁ ଶାସନରେ ରହିଥିବା ବିଜେଡିକୁ ଦାୟୀ କରିଛି କଂଗ୍ରେସ। ତେବେ ପ୍ରଶ୍ନ ଉଠୁଛି, ଏବେ କଣ ହେବ ବାରବାଟୀ ଷ୍ଟାଡିୟମର ଭାଗ୍ୟ? କଟକିଆଙ୍କ ଭାବପ୍ରବଣତା ସହ କିଏ ଖେଳୁଛି? ବାରବାଟୀକୁ ନେଇ ଜୁମଲା କରିଥିଲା କି ପୂର୍ବ ବିଜେଡି ସରକାର? ଭୋଟ୍ ପାଇଁ ଏତେ ବଡ ମିଛ ପ୍ରଚାର କରାଯାଇଥିଲା କି ?

ବାରବାଟୀ ନବୀକରଣ ଜୁମଲା !

ବିଧାନସଭାରେ କଟକ-ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବାରବାଟୀକୁ ନେଇ ଲିଖିତ ପ୍ରଶ୍ନ କରିଥିଲେ । ବାରବାଟୀ ଷ୍ଟାଡିୟମର ନବୀକରଣ ନେଇ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ ସୋଫିଆ । ଏହାର ଉତ୍ତର ରଖିଥିଲେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାରବାଟୀ ଷ୍ଟାଡିୟମର ଉନ୍ନତିକରଣ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନଥିବା କହିଥିଲେ । ତେବେ କ୍ରୀଡାମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଜୋରଦାର ହୋଇଛି ଦୋଷ ଠେଲାଠେଲି । ପୂର୍ବ ବିଜେଡି ସରକାର ଜୁମଲା କରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ଫିର୍ଦ୍ଦୋସ ।

କିଏ କହୁଛି ସତ?

ବାରବାଟୀ ଷ୍ଟାଡିୟମ ନବୀକରଣ ପଛରେ ସତ କଣ? କ୍ରୀଡାମନ୍ତ୍ରୀଙ୍କ ବିବୃତ୍ତି ପରେ ଜୋରଦାର ହୋଇଛି ରାଜନୀତି । ବିଜେପି ସରକାର କାଳରେ କଟକିଆଙ୍କୁ ଶକ୍ତ ଧକ୍କା ଲାଗିଛି । ବାରବାଟୀ ଷ୍ଟାଡିୟମର ନବକଳେବର ସ୍ୱପ୍ନ ମାଟିରେ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଥିବା କଟକ ମେୟର ସୁବାସ ସିଂ କହିଛନ୍ତି । ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରିବାକୁ ପୂର୍ବତନ ବିଜେଡି ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନବୀକରଣ ପାଇଁ ୭ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପୂର୍ବ ସରକାରର ଯୋଜନା ବନ୍ଦ କରିବା ସହ ବିଜେପି ସରକାର କଟକବାସୀଙ୍କୁ ପ୍ରତାରଣା କରିଥିବା କହିଥିଲେ ସୁବାସ ସିଂ । ତେବେ ମେୟରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । ବାରବାଟୀ ନବୀକରଣ ପାଇଁ ପୂର୍ବ ବିଜେଡି ସରକାର ସହ ଓସିଏର କୌଣସି ଚୁକ୍ତି ହୋଇନଥିଲା । ଏନେଇ ପ୍ରକ୍ରିୟା ଆରମ୍ଭ ହେବା ଦୂରେ ଥାଉ ଡିପିଆର ବି ପ୍ରସ୍ତୁତ କରାଯାଇନଥିବା ସଞ୍ଜୟ ବେହେରା କହିଛନ୍ତି ।

ବିନା ଡିପିଆରରେ ଶିଳାନ୍ୟାସ !

ଚଳିତବର୍ଷ ଫେବ୍ରୁଆରୀ ୨୭ତାରିଖରେ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଶୁଭ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡାବିତ୍ ଓ ବଲିଉଡ ସିଙ୍ଗରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ନୂଆ ଷ୍ଟାଡିୟମ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍‌-ଭେନ୍ୟୁ ବାରବାଟୀ ଷ୍ଟାଡିୟମ୍‌ର ନବକଳେବର ନେଇ କହିଥିଲେ ପୂର୍ବ ବିଜେଡି ସରକାର। ଦର୍ଶକ କ୍ଷମତା ୪୪ହଜାରରୁ ୬୦ହଜାରକୁ ବୃଦ୍ଧି ପାଇବ । ବିଶ୍ୱସ୍ତରୀୟ ଷ୍ଟାଡିୟମ ଭାବେ ସୌନ୍ଦର୍ଯ୍ୟକରଣ ହେବ । ନବୀକରଣ କାର୍ଯ୍ୟ ପାଇଁ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବିଜେଡି ସରକାର କହିଥିଲେ।

ତେବେ ପ୍ରଶ୍ନ ଉଠୁଛି, ବିନା ଡିପିଆର ପ୍ରସ୍ତୁତିରେ କାହିଁକି ତରବରିଆ ଭାବେ ବାରବାଟୀ ନବୀକରଣ ନେଇ ଶିଳାନ୍ୟାସ କରାଯାଇଥିଲା? ଆଗକୁ ନିର୍ବାଚନ ଥିବାରୁ ଜୁମଲା କରିଥିଲେ କି ତତ୍କାଳୀନ ବିଜେଡି ସରକାର? କଟକିଆ ତଥା ସାରା ରାଜ୍ୟର କ୍ରୀଡାପ୍ରେମୀଙ୍କୁ ଭୁଆଁ ବୁଲାଇଥିଲେ କି ? ସତରେ ବାରବାଟୀ ଉନ୍ନତିକରଣ ପାଇଁ ଯୋଜନା ଥିଲା ନା କେବଳ ଭୋଟ ପାଇଁ କରାଯାଇଥିଲା ଧୁଆଁବାଣ? ବାରବାଟୀ ଷ୍ଟାଡିୟମ ସହ କଟକବାସୀଙ୍କ ଭାବପ୍ରବଣତା ଜଡ଼ିତ। ତେବେ ଜାଣିଶୁଣି ଏହି ଭାବପ୍ରବଣତା ସହ ଖେଳ ଖେଳା ଯାଇଥିଲା କି ? କେବଳ ଭୋଟ୍ ପାଇଁ ମିଛ ଆଶା ଦେଖାଯାଇଥିଲା କି? ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ବିଜେପି ସରକାର କି ପଦକ୍ଷେପ ନେଉଛନ୍ତି, ତାଉପରେ ନଜର ରହିଛି ।

Comments are closed.