Latest Odisha News

BREAKING NEWS

ପଦ୍ମପୁରରେ ତିନି ପ୍ରମୁଖ ଦଳ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍?

ଭୁବନେଶ୍ୱର: ପଦ୍ମପୁରରେ କିଏ ହେବେ କେଉଁ ଦଳର ପ୍ରାର୍ଥୀ? ଉପନିର୍ବାଚନ ପାଇଁ କିଏ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍? ରାଜଧାନୀରୁ ସୁଦୂରରେ ଥିବା ପଦ୍ମପୁର ବାସିନ୍ଦାଙ୍କ ମୁଖ୍ୟ ମୁଦ୍ଦା କ’ଣ? ଏବେ ଏପରି କିଛି ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ତିନି ପ୍ରମୁଖ ଦଳର କାର୍ଯ୍ୟାଳୟରେ କସରତ ଚାଲିଛି।

ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ସେ ଧାମନଗରର ଦାୟିତ୍ୱ ନେବେ। ୧୮ ମାସରେ ୫ ବର୍ଷର କାମ କରିଦେବେ। ହେଲେ ଲୋକ ଏହି କଥାକୁ ବିଶ୍ୱାସକୁ ନେଲେ ନାହିଁ। ବରଂ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଶଙ୍ଖ ପାର୍ଟିର ନେତାଙ୍କୁ କଡା ଜବାବ ଦେଇଥିଲେ। ଏପରି ସ୍ଥିତିରେ ଶାସକ ଦଳ ଯଦି ଏପରି କିଛି ନାରା ଦେଇ ରିସ୍କ ନେବାକୁ ଚାହୁଁନି। ସେହିପରି ଅନୁକମ୍ପା ମୂଳକ ଭୋଟ୍ ଏଠାରେ ନଥିବାରୁ ବିଜେପି ମଧ୍ୟ କଣ କରିବ ମୁଣ୍ଡ ଆଉଁସି ଆଉଁସି ଚିନ୍ତା କରୁଛି। କଂଗ୍ରେସ କିନ୍ତୁ ନଖ ଘଷି ଉଭୟ ଦଳ ବିରୋଧରେ ମୋର୍ଚ୍ଚା ଖୋଲି ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁଛି ହେଲେ ଦଳର ଇଚ୍ଛାଶକ୍ତି ଏବଂ ଲୋକଙ୍କ ମନରେ ଥିବା ଭାବନା ଏବେ ପଛକୁ ଠେଲି ଦେଉଛି।

ଯଦିଓ ବିଜେଡି ପ୍ରାର୍ଥୀ କିଏ ହେବେ ସେ ନେଇ ସୂଚନା ମିଳିନାହିଁ। ହେଲେ ଅନୁକମ୍ପା ମୂଳକ ଭୋଟ୍ ହାତେଇବାକୁ ଯାଇ ବିଜେଡି ବରିହାଙ୍କ ପରିବାରକୁ ଟିକେଟ୍ ଦେଇପାରେ। ଅନ୍ୟପଟେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିଲେ ବି  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ହେବେ ବୋଲି ସୂଚନା ରହିଛି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ବକୁ ଧନ୍ୟବାଦ ଦେଇଛନ୍ତି। ପ୍ରଦୀପ ୧୪ରେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ଏହାରି ଭିତରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ରହିଛି। ହେଲେ କଂଗ୍ରେସ ନେତା କହିଛନ୍ତି, ପାଣ୍ଠି ଅଭାବ ଥିବାରୁ ନିର୍ବାଚନ ଲଢିବାରେ ବାଧକ ସାଜିବ।

ଅନ୍ୟପଟେ ବିଜେପି ନେତା ପ୍ରଦୀପ ପୂରୋହିତ ଦାବି କରିଛନ୍ତି, ବିଜେଡି ଏବେ ବିଜୟ ସୁନିଶ୍ଚିତ କରିବାକୁ ଯାଇ କଂଗ୍ରେସର ବିଧାୟକ ପ୍ରାର୍ଥୀ କିଏ ହେବେ ସେ ନେଇ ପ୍ରସ୍ତୁତ ହେଉଛି। ତୃତୀୟ ମହଲା କଂଗ୍ରେସ ପ୍ରାର୍ଥୀ ସହ କଥା ହୋଇ ଡିଲ୍ କରିବାକୁ ଚାହୁଁଛି। ଯେପରି ଧାମନଗରରେ ଭୋଟ୍ ହରାଇଲା ବିଜେଡି ସେହି ଭୟରେ କଂଗ୍ରେସ ଭୋଟ୍ ଉପରେ ଆଖି ପକାଇଛି। ଉଲ୍ଲେଖଯୋଗ୍ୟ, ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ୩୫ରୁ ୪୦ ହଜାର ପକେଟ ଭୋଟ୍ ରହିଥିବା ସୂଚନା ରହିଛି।

ଏହି ବିଧାନସଭା ନିର୍ବାଚନରେ ମୋଟ୍ ଭୋଟରଙ୍କ ସଂଖ୍ୟା ୮୦ ପ୍ରତିଶତ ଚାଷୀ ରହିଛନ୍ତି। ଆଉ ସମସ୍ତେ ମଣ୍ଡିରେ ଧାନ ଉଠିବାରେ ବିଳମ୍ବ ହେଉ ଅବା ଫସଲ ବିମା ଯୋଜନାରେ ଲାଭ ନପାଇବା ଅବା ଚକଡା ପୋକ ପ୍ରସଙ୍ଗ ସହିତ ଅଙ୍ଗଅଙ୍ଗୀ ଭାବେ ଜଡିତ ରହିଛନ୍ତି। ତେଣୁ ତିନି ଦଳ ଏବେ ଚାଷକୁ ପ୍ରସଙ୍ଗ କରି ନିର୍ବାଚନ ଲଢିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଦଳୀୟ ଆଖଡାଶାଳରେ ନେତା ଓ କର୍ମୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି।

ବିଜେପି କହିଛି, ରାଜ୍ୟରେ କିଭଳି ଚାଷୀମାନେ ହଇରାଣ ହରକତ ହେଉଛନ୍ତି, ମଣ୍ଡିରେ କିଭଳି ଚାଷୀ ଧାନ ବିକ୍ରି କରିପାରୁନିକୁ ପ୍ରସଙ୍ଗ କରି ଭୋଟ୍ ହାତେଇବାକୁ ପ୍ରସ୍ତୁତ ହେଉଛି। ସେହିପରି ବିଜେଡି ମଧ୍ୟ ବିଜେପିକୁ କାଉଣ୍ଟର କରିବାକୁ ଯାଇ ବ୍ୱଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଚାଷୀମାନେ ଫସଲ ବିମା ଯୋଜନାର ଲାଭ ପାଉନାହାନ୍ତି ବୋଲି ପ୍ରସଙ୍ଗ କରି ବିଜେପି ବିରୋଧରେ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି ଦଳ। ଆଉ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ବିରୋଧରେ ହୁଙ୍କାର ଭରିବାକୁ ଯୋଜନା କରିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.