ନୂଆଦିଲ୍ଲୀ: ହଠାତ୍ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ଆଉ କେବେ ଉଦୟ ହେଲା ନାହିଁ। ହଠାତ୍ ପବନ ଭୀଷଣ ଝଡ଼ ହୋଇଗଲା, ସମୁଦ୍ର ପାହାଡ଼ ଭଳି ଉଠି ସହରଗୁଡ଼ିକୁ ଗ୍ରାସ କରିନେଲା ଆଉ ଧରିତ୍ରୀ ନିଜ ବେଗରେ ଏକ ଝଟକାରେ ଭାଙ୍ଗିପଡ଼ିବା ଭଳି ଲାଗିଲା। ଏ କୌଣସି ସାଇନ୍ସ-ଫିକ୍ସନ ଚଳଚ୍ଚିତ୍ର ନୁହେଁ, ବରଂ ଯଦି ପୃଥିବୀ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ବୁଲିବା ବନ୍ଦ କରିଦେଲା, ତାହେଲେ ଏହି ଭୟଙ୍କର ବାସ୍ତବତା ସାମ୍ନାକୁ ଆସିବ। ପ୍ରଶ୍ନ କେବଳ ଏତିକି ନୁହେଁ ଯେ ତା’ପରେ କ’ଣ ହେବ, ବରଂ ଏପରି ଜଗତରେ କିଏ ବଞ୍ଚିପାରିବ ଆଉ କିପରି?
ଆରମ୍ଭ ହେବ ବିନାଶର ଖେଳ
ପୃଥିବୀ ପ୍ରତି ସେକେଣ୍ଡରେ ପ୍ରାୟ ୧୬୭୦ କିଲୋମିଟର ବେଗରେ ନିଜ ଅକ୍ଷରେ ବୁଲୁଛି। ଆମେ ଏହି ବେଗ ଅନୁଭବ କରୁନାହୁଁ କାରଣ ଆମେ ମଧ୍ୟ ତା’ ସହିତ ବୁଲୁଛୁ। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି, ଯଦି ପୃଥିବୀ ହଠାତ୍ ରହିଯାଏ, ତେବେ ଏହା ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ବିସ୍ଫୋରଣ ଭଳି ପ୍ରଭାବ ସୃଷ୍ଟି କରିବ।
ସବୁଠାରୁ ପ୍ରଥମେ ପୃଥିବୀ ପୃଷ୍ଠରେ ଥିବା ସବୁକିଛି – ସମୁଦ୍ର, ବାୟୁ, ପର୍ବତର ଧ୍ୱଂସାବଶେଷ, ଅଟ୍ଟାଳିକା, ଯାନବାହାନ ମଣିଷ – ପୂର୍ବ ଦିଗରେ ନିଜ ବେଗରେ ଉଡ଼ିଯିବେ। ଏହି ଶକ୍ତି ଏତେ ଭୀଷଣ ହେବ ଯେ ଯେମିତି ସମଗ୍ର ଗ୍ରହକୁ ଏକାଥରକରେ ଅଟକାଇ ଦିଆଯାଇଛି।
ସମୁଦ୍ର ଉଠିବ ଆକାଶ ଛୁଆଁ, ମହାଦେଶ ବଦଳାଇବ ଚେହେରା
ପୃଥିବୀର ଘୂର୍ଣ୍ଣନ ଯୋଗୁ ସୃଷ୍ଟି ହେଉଥିବା ସେଣ୍ଟ୍ରିଫ୍ୟୁଗଲ ବଳ ସମୁଦ୍ରକୁ ନିଜ ସ୍ଥାନରେ ରଖୁଛି। ଏହି ବଳ ଶୂନ୍ୟ ହେଲେ ସମୁଦ୍ର ଗୋଟିଏ ପାର୍ଶ୍ୱକୁ ଖସିଯିବେ। ପ୍ରଥମ ୨୪ ଘଣ୍ଟା ଭିତରେ ଏସିଆ, ଆମେରିକା, ୟୁରୋପ୍ ଓ ଆଫ୍ରିକାର ଅନେକ ମହାଦେଶରେ ୧୦୦ ମିଟରରୁ ଅଧିକ ଉଚ୍ଚତାର ମେଗା-ସୁନାମି ଆସିବ। ଏକ ଅନୁମାନ ଅନୁସାରେ, ନିରକ୍ଷୀୟ ଅଞ୍ଚଳ ଆଡ଼କୁ ସମୁଦ୍ର ଖସି ନୂଆ ଉପକୂଳରେଖା ସୃଷ୍ଟି କରିଦେବ, ଆଉ ଧ୍ରୁବୀୟ ଅଞ୍ଚଳ ବରଫର ଭାରରେ ଆହୁରି ତଳକୁ ବୁଡ଼ିଯିବ।
ଦିନ ଓ ରାତିର ଭୟଙ୍କର ଲଢ଼େଇ
ପୃଥିବୀ ବୁଲିବା ବନ୍ଦ ହେଲେ ଗୋଟିଏ ଦିନ ୨୪ ଘଣ୍ଟିଆ ନୁହେଁ, ୬ ମାସ ହୋଇଯିବ। ଅର୍ଥାତ୍ ଗୋଟିଏ ପାର୍ଶ୍ୱରେ ୬ ମାସ ଧରି ଅବିରାମ ସୂର୍ଯ୍ୟକିରଣ, ତାପମାତ୍ରା ୧୦୦° ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିଯିବ। ଅନ୍ୟ ପାର୍ଶ୍ୱରେ ୬ ମାସର ଅନ୍ଧାର, ତାପମାତ୍ରା -୧୦୦° ଡିଗ୍ରୀ ତଳକୁ ଖସିଯିବ। ଅର୍ଥାତ୍ ଦୁନିଆର ଅଧା ଅଂଶ ଜାଳି ପାଉଁଶ ହୋଇଯିବ, ଅଧା ଅଂଶ ବରଫର ପାହାଡ ହୋଇଯିବ।
ବାୟୁର ବେଗ ହେବ ମୃତ୍ୟୁର ଦ୍ୱିତୀୟ ନାମ
ପୃଥିବୀ ରହିଯିବା ସତ୍ତ୍ୱେ ବାୟୁମଣ୍ଡଳ ନିଜ ବେଗରେ ବୁଲି ଚାଲିବ। ଫଳରେ ପବନର ବେଗ ୧୭୦୦ କିଲୋମିଟର/ଘଣ୍ଟା ଅତିକ୍ରମ କରିପାରେ, ଯାହା କିଛି ବି ସାମ୍ନାରେ ପଡ଼ିଲେ ତାକୁ ପଲକରେ ଉଡ଼ାଇ ନେବ। ଏହା ସାଧାରଣ ବାତ୍ୟା ନୁହେଁ, ଗ୍ରହ-ସ୍ତରୀୟ ଝଟକା ହେବ ଯାହା ସହରଗୁଡ଼ିକୁ ଧୂଳିସାତ୍ କରିଦେବ।
କିଏ ବଞ୍ଚିପାରିବ?
ବୈଜ୍ଞାନିକମାନଙ୍କ ମତରେ, ଯଦି ଏହା ହଠାତ୍ ଘଟେ ତେବେ ବଞ୍ଚିବାର ସମ୍ଭାବନା ପ୍ରାୟ ଶୂନ୍ୟ। କିନ୍ତୁ ଯଦି ପୃଥିବୀ ଧୀରେ ଧୀରେ ରହିଯିବା ଆରମ୍ଭ କଲା, ତେବେ ନିରକ୍ଷୀୟ ଅଞ୍ଚଳରୁ ଦୂରରେ ଥିବା ପର୍ବତମୟ ଅଞ୍ଚଳ, ଭୂମିଗତ ବଙ୍କର ଓ ଯେଉଁ ସ୍ଥାନରେ ଅତ୍ୟଧିକ ଗରମ ବା ଅତ୍ୟଧିକ ଥଣ୍ଡା ହେବ ନାହିଁ, ସେଠାରେ ଜୀବନ ରହିପାରେ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି। ସମୁଦ୍ରର ଗଭୀର ତଳେ କିଛି ଜୀବ ଓ ଧ୍ରୁବୀୟ ବରଫ ତଳେ ଲୁଚି ରହିଥିବା ଜୀବମାନେ ବୋଧେ ଏହି ଭୟଙ୍କର ପରିବର୍ତ୍ତନକୁ ସହିପାରିବେ। ଏହି ଭୟଙ୍କର କଳ୍ପନା ଆମକୁ ସ୍ମରଣ କରାଏ ଯେ, ଆମର ନିଶ୍ଚିନ୍ତ ଜୀବନ କେତେ ସୂକ୍ଷ୍ମ ସନ୍ତୁଳନ ଉପରେ ଠିଆ ହୋଇଛି।
Comments are closed.