Latest Odisha News

BREAKING NEWS

ଇସ୍ରାଏଲ୍-ଇରାନ ଯୁଦ୍ଧ…ବଢିଲେ ଅସମ୍ଭାଳ !

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଜୋରଦାର ହୋଇଛି ଯୁଦ୍ଧ। ଇସ୍ରାଏଲର ତେଲ ଅବୀବ ଓ ଇରାନର ତେହେରାନ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଜୀବନ ଯାଇଥିବା ବେଳେ ମାଟିରେ ମିଶିଛି ବହୁତଳ କୋଠା। ଯୁଦ୍ଧ ଆଉ ବଢିଲେ କିମ୍ବା ଅନ୍ୟ କୌଣସି ଦେଶ ଏଥିରେ ସାମିଲ ହେଲେ,0 ସ୍ଥିତି ଆହୁରି ଭୟାନକ ହୋଇପାରେ। ବିଶେଷ କରି ଇସ୍ରାଏଲର ବନ୍ଧୁ ଆମେରିକାର ହସ୍ତକ୍ଷେପ, ଆମେରିକୀୟ ବେସ୍ ଉପରେ ଇରାନର ହମଲା ଓ ଇରାନରେ ଶାସନ ପରିବର୍ତ୍ତନ ପରି ଘଟଣା ହେଲେ, ପୂରା କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ।

ଯୁଦ୍ଧରେ ଆମେରିକାର ଏଣ୍ଟ୍ରି

ଇରାନ୍-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ବଡ଼ ବିନାଶକୁ ଡାକିପାରେ। ଏପର୍ଯ୍ୟନ୍ତ ଆମେରିକା କେବଳ ଇସ୍ରାଏଲକୁ ଇରାନର ମିସାଇଲ୍ ଆକ୍ରମଣରୁ ରକ୍ଷା କରିବାକୁ ସହଯୋଗ କରୁଛି। ତେବେ ଆମେରିକାର ସମର୍ଥନ ଇସ୍ରାଏଲକୁ ଉତ୍ସାହିତ କରୁଥିବା ଇରାନ କହୁଛି। ଆଉ ସେଥିପାଇଁ ଇରାକ ଓ ଅନ୍ୟ ଆରବ ଦେଶରେ ଆମେରିକାର ସେନା ବେସ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ। ତେବେ କୌଣସି ଆମେରିକା ନାଗରିକ କିମ୍ବା ସୈନିକଙ୍କ ମୃତ୍ୟୁ ହେଲେ ଯୁଦ୍ଧରେ ଏଣ୍ଟ୍ରି ମାରିପାରନ୍ତି ଟ୍ରମ୍ପ। ତେବେ ଆମେରିକା ସାମିଲ ହେଲେ ବଡ଼ ବିନାଶ ଆଶଙ୍କା ରହିଛି।

ଗଲଫ ଦେଶ ଉପରେ ହମଲା

ଇସ୍ରାଏଲର ଅଧିକ କ୍ଷତି କରିନପାରିଲେ ଇରାନ୍ ଅନ୍ୟ କିଛି ଗଲଫ ଦେଶକୁ ନିଶାନା କରିପାରେ। ଇସ୍ରାଏଲ୍ ତଥା ଆମେରିକାକୁ ସହଯୋଗ କରୁଥିବା ଦେଶ ଉପରେ ହମଲା କରିପାରେ ଇରାନ। ସେସବୁ ଦେଶର ଶକ୍ତି ଓ ଭିତ୍ତିଭୂମିକୁ ଟାର୍ଗେଟ୍ କରିପାରେ। ଏମିତି ହେଲେ ପୂରା କ୍ଷେତ୍ର ଯୁଦ୍ଧକ୍ଷେତ୍ର ପାଲଟିବ ଓ ବିନାଶର ପରିସର ଅନେକ ଗୁଣା ବଢିଯିବ।

ଯଦି ବିଫଳ ହୁଏ ଇସ୍ରାଏଲ୍

ଇସ୍ରାଏଲ ଲଗାତର ଆକ୍ରମଣ କରୁଥିବା ବେଳେ ଏହାର ପ୍ରଭାବକୁ ନେଇ ସନ୍ଦେହ ରହିଛି। ଇସ୍ରାଏଲର ବର୍ତ୍ତମାନର ଅପରେସନ୍ ଇରାନର ପରମାଣୁ ସୁବିଧାକୁ ନଷ୍ଟ କରିବାରେ ବିଫଳ ହେଲେ ସ୍ଥିତି ଗମ୍ଭୀର ହୋଇପାରେ। ଇରାନରେ ସଂରକ୍ଷିତ ପରମାଣୁ ବ୍ୟବସ୍ଥାକୁ ନଷ୍ଟ କରିନପାରିଲେ ଇସ୍ରାଏଲ୍ ବାରମ୍ବାର ଆକ୍ରମଣ କରିବ। ଫଳରେ ପୂରା କ୍ଷେତ୍ରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିବା ସହ ଉତ୍ତେଜନା ଲାଗି ରହିବ।

ବିଶ୍ବରେ ଆର୍ଥିକ ସଂକଟ

ଇରାନ୍-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ କେବଳ ସାମରିକ ନୁହେଁ ଆର୍ଥିକ ଭାବେ ବି ପଡିବ। ତୈଳ ଦର ଆଗରୁ ଉଚ୍ଚା ରହିଥିବା ବେଳେ ଯୁଦ୍ଧ ଯୋଗୁଁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇପାରେ। ସେହିପରି ୟମର ହୁତି ଲାଲସାଗରରେ ସିପିଂ ଉପରେ ଆକ୍ରମଣ ବଢାଇ ପାରନ୍ତି। ତୈଳ ଦର ବଢିବା ସହ ମହଙ୍ଗା ମାଡ଼ ସହ ବିଶ୍ବରେ ନୂଆ ଆର୍ଥିକ ସଂକଟ ଦେଖା ଦେଇପାରେ। ବିଶ୍ବର ବିଭିନ୍ନ ଦେଶ କୋଭିଡ୍ ପରବର୍ତ୍ତୀ ଆର୍ଥିକ ଅବନତି ସହ ଲଢୁଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ଚିନ୍ତା ବଢାଇବ।

ଇରାନରେ କ୍ଷମତା ପରିବର୍ତ୍ତନ ପାଇଁ ଉଦ୍ୟମ କରୁଛି ଇସ୍ରାଏଲ୍। ଯଦି ଇସ୍ରାଏଲ୍ ଏଥିରେ ସଫଳ ହୁଏ ଓ ଇରାନରେ ସରକାର ଭାଙ୍ଗିଯାଏ, ତେବେ ଏକ ଶୂନ୍ୟସ୍ଥାନ ଦେଖାଦେବ। ଏପରିକି ଏହାର ଅପ୍ରତ୍ୟାଶିତ ପରିଣାମ ଦେଖିବାକୁ ମିଳିପାରେ। ନିକଟରେ ଆରବରେ ଆମେରିକା ସହାୟତାରେ ଯେଉଁ ସବୁ ଦେଶରେ ସରକାର ଭାଙ୍ଗିଛି, ସେଠାରେ ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସଂକଟ ଦେଖା ଦେଇଛି। ଇରାନରେ ସେଭଳି ହେଲେ ପୂରା କ୍ଷେତ୍ର ଅଶାନ୍ତ ହୋଇପଡିବ। ଆଗକୁ ଯୁଦ୍ଧ କେମିତି କଡ ଲେଉଟାଉଛି, ତାଉପରେ ଇସ୍ରାଏଲ୍, ଇରାନ ଓ ପଶ୍ଚିମ ଏସିଆର ସ୍ଥିତି ନିର୍ଭର କରିବ।

 

Comments are closed.