Latest Odisha News

BREAKING NEWS

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର ଉପକୂଳରେ ଥିବା ପୁରୀରେ ବାରମ୍ବାର ବାତ୍ୟା ତାଣ୍ଡବ ରଚୁଥିବା ବେଳେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି । ୨୦୧୯ରେ ଫନି ବାତ୍ୟା ପରେ ବି ପ୍ରଶାସନ ଚେତିନି ।

ଭୂତଳ କେବୁଲ ସଂଯୋଗର ଆଶା ଏବେବି ସ୍ୱପ୍ନ ହୋଇ ରହିଛି । ସାମାନ୍ୟ ବର୍ଷାରେ ବିଦ୍ୟୁତ୍ କାଟ ହେଉଥିବାରୁ ପୁରୀ କିଭଳି ଚାକଚକ୍ୟର ସହ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଚାରିପାଖ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ଭୂତଳ କେବୁଲ ବିଛାଯିବା ପାଇଁ ଗତବର୍ଷ ଠାରୁ ଯୋଜନା ହୋଇଛି ।

୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏପର୍ଯ୍ୟନ୍ତ ସେମିତି ଆଖିଦୃଶିଆ କାମ ଦେଖିବାକୁ ମିଳିନାହିଁ । ରାଜ୍ୟ ସରକାର ୧୫ କିମି ଭୂତଳ କେବୁଲ ବିଛାଇବା ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରିଥିବା ଜିଲ୍ଲାପାଳ ପୂର୍ବରୁ କହିଥିବା ବେଳ ଏହା କେବଳ କାଗଜକଲମରେ ସୀମିତ ରହିଛି । ପୁରୀର ବିକାଶ ଉପରେ ସରକାର ଫୋକସ କରିଥିବା ବେଳେ କାହିଁକି ତତ୍ପରତା ପ୍ରକାଶ ପାଉ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି ।

ଭୂତଳ କେବୁଲ ବିଛା ଯାଉ ନଥିବା ବେଳେ ସହରରେ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ତାର ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି କରିବା ଲାଗି ସରକାର ଅନେକ ପ୍ରକଳ୍ପ ସହ ପଦକ୍ଷେପ ନେଉଛନ୍ତି । କିନ୍ତୁ ବାତ୍ୟା ପ୍ରବଣ ପୁରୀରେ ବିଦ୍ୟୁତ୍ ବିତରଣକୁ ବ୍ୟବସ୍ଥିତ ଲାଗି କାହିଁକି ରହୁନି ଆନ୍ତରିକତା ? ତାହା ବୁଝା ପଡ଼ୁନି । ଭୂତଳ କେବୁଲ ବିଛାଯାଇ ଯଥାଶୀଘ୍ର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି ।

Comments are closed.