Latest Odisha News

BREAKING NEWS

ଢେଙ୍କାନାଳ-ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଚିଠିର ଉତ୍ତର କେବେ ଦେବେ ମୁଖ୍ୟମନ୍ତ୍ରୀ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅନୁଗୋଳକୁ କ’ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ଅନିଲ ବିଶ୍ୱାଳ କହିଛନ୍ତି ଯେ, ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତା ତଥା ସରକାରଙ୍କ ଏକ ନିତି ଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ନିକଟରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଯୋରନ୍ଦାରେ ବୃଦ୍ଧାଶ୍ରମ ଚଳାଇଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନକୁ ଜମି ହସ୍ତାନ୍ତର ପାଇଁ ସୁପାରିସ ସହ ଗତ ୨ ବର୍ଷ ହେଲା ଆରପିଡିଏସି ବୈଠକ ନ ବସିବା ଫଳରେ ଲୋକଙ୍କ ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ବିଷୟ ସମାଧାନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ । ଏହା ଉପରେ ରାଜ୍ୟ ସରକାର ଉତ୍ତର କେବେ ରଖିବେ ବେଲି ସେ ପ୍ରଶ୍ନ କରିଛନ୍ତି ।

ବିଜେଡି ନେତା ଯେଉଁ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ଏହି କାମ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅନେକ ଥର ଏନଏଚଆଇ କତୃପକ୍ଷଙ୍କୁ ଭେଟି ମଧ୍ୟ ଏହା ଉପରେ ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହେଉଛି । ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ ଡିପିଆର ବଦଳିଯାଉଛି, କାହା ସ୍ୱାର୍ଥରେ ଆଲାଇନମେଣ୍ଟ ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ ।

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏହାର କାମ ସରିନାହିଁ । ସେହିପରି ପ୍ରସ୍ତାବିତ ତାଳଚେର-ଖାଲପାଳ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଘୋଷଣା ହେବା ସତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି । ବଲ୍ଲହପୁର ଗ୍ରାମକୁ ରାସ୍ତା ନାହିଁ ।

ରାଜଧାନୀ ଭୁବନେଶ୍ୱରରେ ଟିକେ ବର୍ଷା ହେଲେ ଲୋକଙ୍କ ଘରେ ପାଣି ଜମୁଛି । ଯେଉଁଠି ମୁଖ୍ୟମନ୍ତ୍ରୀ ରହୁଛନ୍ତି, ସରକାରଙ୍କ ଅଧିକାରୀମାନେ ରହୁଛନ୍ତି, ସେମାନଙ୍କ ଘରେ ମଧ୍ୟ ଡ୍ରେନ୍ ପାଣି ପଶୁଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ପ୍ରାକୃତିକ ନାଳ ସବୁ ଜବର ଦଖଲ କରାଯାଇଛି, ଯାହାର ଭୁକ୍ତଭୋଗୀ ହୋଇଛନ୍ତି ରାଜଧାନୀବାସୀ ।

 

ଦୁଇଟି ମହାନଗର ନିଗମ ତଥା ଗୋଟିଏ ପଟେ ରାଉରକେଲାରେ ଲୋକମାନେ ହଇଜାରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଲୋକ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ ଅଳିଆ ଗଦାର ଯେଉଁ ପାହାଡ କରାଯାଇ କୃତିମ ପ୍ରଦୂଷଣ ସୃଷ୍ଟି କରାଯାଇଛି, ତାର ସମାଧାନ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ? ଲୋକମାନେ ଅଳିଆର ଗନ୍ଧରେ ଅଣନିଶ୍ୱାସୀ ହୋଇପଡି ବାରମ୍ବାର ଅନୁରୋଧ ଦାବି ପରେ ସରକାରଙ୍କ ପଦକ୍ଷେପ କଣ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

Comments are closed.