ନୂଆଦିଲ୍ଲୀ: ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି । ସେତେବେଳେ ୭୫ବର୍ଷ ହେବା ପରେ ନେତାଙ୍କୁ ଅବସର ନେବା ନେଇ ଅଘୋଷିତ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଦଳର ଅନେକ ପୂର୍ବତନ ସାଂସଦ, ରାଜ୍ୟପାଳ ପଦରେ ରହିଥିବା ନେତାଙ୍କୁ ଏହି କାରଣରୁ ନା ଟିକେଟ ମିଳିଥିଲା ନା ପରେ କାର୍ଯ୍ୟକାଳ ବଢା ଯାଇଥିଲା । ଏବେ ବୟସ ସୀମାକୁ ନେଇ ନାଗପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟିପ୍ପଣୀ ଚର୍ଚ୍ଚାର ବିଷୟ ହୋଇଛି । ଭାଗବତଙ୍କ ବୟାନକୁ ପ୍ରଧାନମନ୍ତ୍ରୀଙ୍କ ଅବସର ସହ ଯୋଡିଛନ୍ତି ବିରୋଧୀ । କାରଣ ଚଳିତ ବର୍ଷ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ବର୍ଷ ହେବାକୁ ଯାଉଛି ।
କ’ଣ କହିଥିଲେ ମୋହନ ଭାଗବତ?
ରାଜନେତାଙ୍କୁ ୭୫ବର୍ଷ ବୟସ ହେବା ପରେ ଅବସର ନେବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଚଳିତ ବର୍ଷ ଭାଗବତଙ୍କୁ ବି ୭୫ବର୍ଷ ହେବାକୁ ଯାଉଛି । ଜୁଲାଇ ୯ତାରିଖରେ ନାଗପୁରରେ ଦିବଂଗତ ମୋରୋପନ୍ତ ପିଙ୍ଗଲେଙ୍କୁ ସମର୍ପିତ ଏକ ବହିର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଟିପ୍ପଣୀ ଦେଇଛନ୍ତି ଭାଗବତ । ପିଙ୍ଗଲେ କହୁଥିଲେ, ୭୫ବର୍ଷ ହୋଇଗଲେ ଆପଣଙ୍କୁ ଶାଲ୍ ଦେଇ ସମ୍ମାନିତ କରାଯାଏ । ଏହାର ଅର୍ଥ ଏବେ ଆପଣ ରହିଯାଆନ୍ତୁ, କାରଣ ବୟସ ହୋଇଗଲାଣି ଏବଂ ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅନ୍ତୁ ବୋଲି ମୋହନ ଭାଗବତ କହିଛନ୍ତି ।
ଭାଗବତଙ୍କ ବୟାନରେ ମୋଦିଙ୍କୁ ଇସାରା !
ସଂଘ ମୁଖ୍ୟ ମୋହନ ଭାଗବତଙ୍କ ବୟାନ କାହା ଆଡକୁ ଇସାରା କରୁଛି? ଭାଗବତଙ୍କ ବୟାନ କାହାକୁ ସନ୍ଦେଶ ଦେଉଛି, ସେନେଇ ବିରୋଧୀଙ୍କ ବୟାନବାଜି ଜୋରଦାର ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବରରେ କିଏ ଜନ୍ମଦିନ ପାଳନ କରିବେ କେବଳ ଦେଶ ନୁହେଁ ସାରା ବିଶ୍ବ ଜାଣିଛି । ତେଣୁ ଭାଗବତ କେଉଁ ସନ୍ଦେଶ ଦେବାକୁ ଚାହୁଁଛନ୍ତି, ସେକଥା ସ୍ପଷ୍ଟ ହେଉଛି ବୋଲି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି । ୭୫ବର୍ଷର ବୟସ ସୀମାକୁ ୨୦୧୪ରେ ହିଁ ସ୍ଥିର କରାଯାଇଥିଲା । ୭୫ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ମାର୍ଗଦର୍ଶନ ମଣ୍ଡଳୀରେ ରଖାଯାଇଥିଲା । ଏବେ ଭାଗବତ ୧୧ବର୍ଷ ପରେ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମନେ ପକାଇ ଦେଇଥିବା ପ୍ରିୟଙ୍କା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀ, ମୁରଲୀ ମନୋହର ଯୋଶୀ, ଯଶଓ୍ବନ୍ତ ସିଂହଙ୍କ ପରି ବଡ ନେତାଙ୍କୁ ଜୋରଜବରଦସ୍ତ ଅବସର ଦେଇଥିଲେ । ଏବେ ମୋଦି ନିଜେ ଏହାର ପାଳନ କରିବେ କି ନାହିଁ ଦେଖାଯିବ ବୋଲି ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ।
୭୫ରେ ଅବସର…ମୋଦିଙ୍କ ପାଇଁ ହେବ କି ଲାଗୁ?
୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପିରେ ୭୫ବର୍ଷରୁ ଅଧିକ ବୟସର ନେତାଙ୍କୁ ଅବସର ଦେବାର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ନିଜ କ୍ୟାବିନେଟରେ ୭୫ବର୍ଷରୁ କମ୍ ବୟସର ନେତାଙ୍କୁ ସ୍ଥାନ ଦେଇଥିଲେ ମୋଦି। ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ସାମିଲ କରାଗଲା । ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଆନନ୍ଦି ବେନ୍ ପଟେଲ୍ ଇସ୍ତଫା ଦେବା ବେଳେ ତାଙ୍କ ବୟସ ୭୫ବର୍ଷ ଥିଲା । ସେହିବର୍ଷ ନଜମା ହେପତୁଲ୍ଲା ମଧ୍ୟ ୭୬ବର୍ଷ ବୟସରେ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ୨୦୧୯ ନିର୍ବାଚନରେ ୭୫ବର୍ଷରୁ ଅଧିକ କୌଣସି ନେତାଙ୍କୁ ଟିକେଟ୍ ଦିଆଯାଇ ନଥିବା ଶାହା କହିଥିଲେ । ସେତେବେଳେ ସୁମିତ୍ରା ମହାଜନ ଓ ହୁକୁମଦେବ ନାରାୟଣ ଯାଦବଙ୍କ ପରି ନେତାଙ୍କ ଟିକେଟ୍ କଟିଥିଲା। ୨୦୨୪ରେ ବି ସମାନ ଟ୍ରେଣ୍ଡ ଦୋହରା ଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ମୋଦିଙ୍କ ପାଇଁ ଏହି ନିୟମ ଲାଗୁ ହେବ କି? ୨୦୨୪ ନିର୍ବାଚନ ବେଳେ ଏହି ପ୍ରସଙ୍ଗ ବି ଉଠିଥିଲା । ସେତେବେଳେ ବିଜେପି ସମ୍ବିଧାନରେ ବୟସକୁ ନେଇ ଏଭଳି କୌଣସି ବ୍ୟବସ୍ଥା ନଥିବା ଅମିତ ଶାହା କହିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସମାନ କଥା କହିଥିଲେ । ଭବିଷ୍ୟତରେ ମୋଦି ହିଁ ଦଳର ନେତୃତ୍ବ ନେବେ ବୋଲି ନଡ୍ଡା କହିଥିଲେ । ତେବେ ପ୍ରଶ୍ନ ଉଠୁଛି, ମୋହନ ଭାଗବତ ନିଜ ବୟାନରେ ମୋଦିଙ୍କୁ ରିଟାୟର ହେବାକୁ ଇସାରା କରିଛନ୍ତି କି?
Comments are closed.