ନୂଆଦିଲ୍ଲୀ: ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ବିରତି ମଧ୍ୟରେ ଉତ୍ତର କୋରିଆକୁ ନେଇ ଡରାଇବା ଭଳି ଖବର ସାମନାକୁ ଆସିଛି । ଇରାନ ଓ ଉତ୍ତର କୋରିଆର ବିପଜ୍ଜନକ ମେଣ୍ଟକୁ ନେଇ ସତର୍କ କରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ । ଇରାନର ସୁପ୍ରିମ ଲିଡର ଯେକୌଣସି ସ୍ଥିତିରେ ପରମାଣୁ ବୋମା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । ଆଉ ଖୋମେନେଇଙ୍କ ଏହି ଇଚ୍ଛା ପୂରଣ ପାଇଁ କିମ ଜଙ୍ଗ ଉନ୍ ସହଯୋଗର ହାତ ବଢାଇଥିବା ଚର୍ଚ୍ଚା ହେଉଛି । ଆମେରିକାର ଆକ୍ରମଣରେ ଇରାନର ପରମାଣୁ କେନ୍ଦ୍ରରେ ବ୍ୟାପକ କ୍ଷତି ହୋଇଛି । ତେବେ ଯୁଦ୍ଧବିରତି ପରେ ଉତ୍ତର କୋରିଆରେ ଥିବା ଇରାନର ପରମାଣୁ କେନ୍ଦ୍ରରେ ହଲଚଲ ବଢିଥିବା କୁହାଯାଉଛି । ପ୍ରଶ୍ନ ଉଠୁଛି, ଇରାନରୁ ଗାଏବ ୪ଶହ କିଲୋ ୟୁରାନିୟମ ଉତ୍ତର କୋରିଆରେ ପହଞ୍ଚିଛି କି?
ଉତ୍ତର କୋରିଆର ଶକ୍ତି ପରମାଣୁ ବୋମା !
ଉତ୍ତର କୋରିଆର କିମ୍ ଜଙ୍ଗ ଉନଙ୍କ ସବୁଠାରୁ ବଡ଼ ଶକ୍ତି ଏହାର ପରମାଣୁ ବୋମା । ତମାମ କଟକଣା ମଧ୍ୟରେ ୨୦୦୬ରେ ପରମାଣୁ ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ଏବେ କିମ ଜଙ୍ଗଙ୍କ ପରମାଣୁ ଯୋଜନାକୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଜନ୍ ବୋଲଟନ । ଇରାନ ପରମାଣୁ କାର୍ଯ୍ୟକ୍ରମର କିଛି ଅଂଶ ଉତ୍ତର କୋରିଆର ଏକ ପାହାଡ଼ ତଳେ ଚାଲିଛି । ଉତ୍ତର କୋରିଆରେ ଇରାନର ଅଣ୍ଡରଗ୍ରାଉଣ୍ଡ ପରମାଣୁ କେନ୍ଦ୍ର ରହିଛି । ତେଣୁ ଏବେ ହେଉ କି ପରେ ଇରାନ ପରମାଣୁ ବୋମା ପ୍ରସ୍ତୁତ କରିପାରେ । ଗୋପନୀୟ ଭାବେ ଉତ୍ତର କୋରିଆ ଇରାନକୁ ସହଯୋଗ କରୁଥିବା ବୋଲଟନ କହିଛନ୍ତି ।
ଉତ୍ତର କୋରିଆରୁ ଆସିଥିଲା ୟୁରାନିୟମ !
ଇରାନକୁ ଉତ୍ତର କୋରିଆରୁ ହିଁ ୟୁରାନିୟମ ଯୋଗାଣ କରାଯାଇଥିବା ବିଶେଷଜ୍ଞ ବ୍ରୁସ ବେକଟୋଲ ଦାବି କରିଛନ୍ତି। ଫୋର୍ଡୋ, ନତାଞ୍ଜ ଓ ଇସ୍ଫାହାନରେ ଥିବା ଇରାନର ତିନି ଅଣ୍ଡରଗ୍ରାଉଣ୍ଡ ପରମାଣୁ କେନ୍ଦ୍ର ବନାଇବାରେ ଉତ୍ତର କୋରିଆ ସହଯୋଗ କରିଥିବା ସେ କହିଛନ୍ତି । ଇରାନ କିଭଳି ଶୀଘ୍ର ପରମାଣୁ ବୋମା ପ୍ରସ୍ତୁତ କରିବାରେ ସଫଳ ହେବ ସେନେଇ ଉତ୍ତର କୋରିଆ ଉଦ୍ୟମ କରୁଛି । ୨୦୦୩ରେ ଉତ୍ତର କୋରିଆ ପରମାଣୁ ଅପ୍ରସାର ଚୁକ୍ତି ବା ଏନପିଟିରୁ ବାହାରି ୨୦୦୬ରେ ପରମାଣୁ ପରୀକ୍ଷଣ କରିଥିଲା । ଏବେ ଇରାନ ମଧ୍ୟ ଏନପିଟିରୁ ବାହାରିବା ନେଇ ସଙ୍କେତ ଦେଇଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଇରାନ ପାଖରେ ଥିବା ୪ଶହ କିଲୋ ୟୁରାନିୟମ କେଉଁଠି ଅଛି? କାରଣ ଏହାର ସହାୟତାରେ ୧୦ପରମାଣୁ ବୋମା ବନାଯାଇ ପାରିବ ।
୪ଶହ କିଲୋ ୟୁରାନିୟମ କେଉଁଠି ?
ଫୋର୍ଡୋ ପରମାଣୁ କେନ୍ଦ୍ର ବାହାରେ ୧୬ଟି ଟ୍ରକ ଥିବା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି । ଏସବୁ ଟ୍ରକରେ ୟୁରାନିୟମ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି । ତେବେ ୟୁରାନିୟମକୁ କୌଣସି ଗୋପନ ଠିକଣା କିମ୍ବା ଅଣ୍ଡରଗ୍ରାଉଣ୍ଡ ସ୍ଥାନରେ ରଖାଯାଇଛି ନା ଉତ୍ତର କୋରିଆ ପଠାଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ୪ଶହ କିଲୋ ୟୁରାନିୟମ ସଂପର୍କରେ ଇରାନ ସହ ଆଲୋଚନା କରାଯିବ ବୋଲି ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି । ତେବେ ଫୋର୍ଡୋ, ନତାଞ୍ଜ ଓ ଇସ୍ଫାହାନରେ ଥିବା ପରମାଣୁ କେନ୍ଦ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି ।
ଋଷ, ଚୀନ୍, ଉତ୍ତର କୋରିଆଙ୍କ ସାଥ୍
ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସବୁବେଳେ ଋଷ, ଚୀନ ଓ ଉତ୍ତର କୋରିଆର ସାଥ୍ ମିଳିଛି । ଚୀନ ସହଯୋଗରେ ୧୯୮୪ରେ ଇରାନର ସବୁଠୁ ବଡ଼ ପରମାଣୁ ଗବେଷଣା କେନ୍ଦ୍ର ଇସ୍ଫାହାନରେ ପ୍ରତିଷ୍ଠା କରାଯାଇଥିଲା । ପରମାଣୁ କେନ୍ଦ୍ରରେ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଡିଜାଇନ ଓ ନିର୍ମାଣରେ ସହଯୋଗ କରିଛି ଉତ୍ତର କୋରିଆ । ସେହିପରି ଋଷର ଶହ ଶହ ପରମାଣୁ ବୈଜ୍ଞାନିକ ଏବେବି ଇରାନର ପରମାଣୁ କେନ୍ଦ୍ରରେ କାମ କରୁଛନ୍ତି । ଗତ ୩ଦଶନ୍ଧୀ ଧରି ପରମାଣୁ ଅସ୍ତ୍ର ବନାଇବାକୁ ଇରାନ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରିନି । ତେବେ ଉତ୍ତର କୋରିଆ କଟକଣା ସତ୍ତ୍ବେ ପରମାଣୁ ବୋମା ପ୍ରସ୍ତୁତ କରିଛି । ଉତ୍ତର କୋରିଆ ପାଖରେ ୫୦ଟି ପରମାଣୁ ବୋମା ରହିଛି । ଲମ୍ବା ଦୂରତାର କ୍ଷେପଣାସ୍ତ୍ର ନିର୍ମାଣରେ ଇରାନର ସହଯୋଗୀ ରହିଛି ଉତ୍ତର କୋରିଆ । ତେଣୁ କିମ ଜଙ୍ଗ ଉନ୍ ପରମାଣୁ ବୋମା ପ୍ରସ୍ତୁତିରେ ଇରାନକୁ ସହାୟତା କରିପାରନ୍ତି ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।
Comments are closed.