Latest Odisha News

BREAKING NEWS

ଯେଉଁଠି ଇଚ୍ଛା ଶକ୍ତି ଅଛି ସେଇଠି ଆଗକୁ ଯିବାର ରାସ୍ତା ଅଛି: ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଯେଉଁଠି ଇଚ୍ଛା ରହିଛି ସେହିଠାରେ ରାସ୍ତା ଅଛି। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଥିବାରୁ ନ୍ୟାୟସଙ୍ଗତ ଶାସନ ପଥରେ ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି। ଦୀର୍ଘ ଦିନର ଦାବି ପୂରଣ କରି ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ସମାବେଶୀ ଶାସନର ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି,ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ସୋଶିଆଲ ମିଡିଆରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଗୁରୁବାର ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଓ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହି ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଉଛି, ଯାହା ମହିଳା ସଶକ୍ତିକରଣକୁ ନୂତନ ଶକ୍ତି ଏବଂ ଉଡ଼ାଣ ଦେଇଛି। ତାଙ୍କର ଦୃଢ଼ ଇଚ୍ଛାଶକ୍ତିର ଫଳ ସ୍ୱରୂପ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି ବୋଲି ସେ କହିଛନ୍ତି।

ଗୁରୁବାର ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଥିବା ବେଳେ ଏହା ସପକ୍ଷରେ 214ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ କାହାରି ଭୋଟ୍ ପଡ଼ିନାହିଁ। ଏହି ବିଲରେ ମହିଳାଙ୍କୁ ବିଧାନସଭା ଓ ସଂସଦରେ 33% ସଂରକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି।

ବୁଧବାର ଲୋକସଭାରେ ଏହି ବିଲ ସପକ୍ଷରେ 454 ଜଣ ଭୋଟ୍ ଦେଇଥିବା ବେଳେ ଦୁଇ ଜଣ ବିରୋଧରେ ଭୋଟ୍ ଦେଇଥିଲେ।
ସରକାର 2029 ସୁଦ୍ଧା ଏହା କାର୍ଯ୍ୟକାରୀ ହେବା ନେଇ ପ୍ରସ୍ତାବ ଦେଇଥିବା ବେଳେ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ବିରୋଧୀ ଦାବି କରିଥିଲେ।

ବୁଧବାର ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ଅମିତ ଶାହ ଜୋର ଦେଇ କହିଥିଲେ ଯେ 2024 ଲୋକସଭା ନିର୍ବାଚନ ପରେ ଜନଗଣନା ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ହେବ, ଯାହା ପରେ ଏହି ବିଲ୍ ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ଏହି ପ୍ରସ୍ତାବିତ ଆଇନ କେବଳ ଜନଗଣନା ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସରିବା ପରେ କାର୍ଯ୍ୟକାରୀ ହୋଇପାରିବ।

Comments are closed.