Latest Odisha News

BREAKING NEWS

କେଜରିୱାଲଙ୍କୁ ପାନେ ଦେଲେ ବିରୋଧୀ !

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।

ପାଟନାରେ ହୋଇଥିବା ବିରୋଧୀ ଦଳ ଗୁଡିକର ବୈଠକରେ କେଜରିୱାଲ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସବୁ ଦଳ ଏକାଠି ହୋଇ ସମର୍ଥନ କରିବାକୁ କହିଥିଲେ। କେଜରିୱାଲ ଏ କଥା କହିବା ପରେ ଓମାର ଅବଦୁଲ୍ଲା ଏହାକୁ ନେଇ ଆପତ୍ତି ଉଠାଇଥିଲେ ।

କେନ୍ଦ୍ରର ବିଜେପି ସରକାର କାଶ୍ମୀରରୁ ଅନୁଛେଦ ୩୭୦ ହଟାଇବା ବେଳେ ଆମ ଆଦମୀ ପାର୍ଟି ବିରୋଧୀଙ୍କୁ ସମର୍ଥନ ଦେଇ ନ ଥିଲା ବରଂ ସଂସଦରେ ସରକାରଙ୍କ ସାଥ ଦେଇଥିଲା ବୋଲି ଅବଦୁଲ୍ଲା କହିଛନ୍ତି।

୨୦୧୯ ମସିହାରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ କଂଗ୍ରେସ, ନ୍ୟାସନାଲ କନ୍ଫରେନ୍ସ ଓ ପିଡ଼ିପି ଭଳି ଦଳ ଏହାର ବିରୋଧ କରିଥିଲେ।

କିନ୍ତୁ ଆପ, ବିଏସପି, ୱାଇଏସଆର କଂଗ୍ରେସ ସମେତ ବହୁ ଦଳ କେନ୍ଦ୍ରକୁ ସମର୍ଥନ ଜଣାଇଥିଲେ। ସେତେବେଳେ କେଜରିୱାଲ ଏହାକୁ ସମର୍ଥନ କରିବା ସହଁ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ତେଣୁ ଗୋଟିଏ ପଟେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗକୁ ବିରୋଧୀ ବୈଠକରେ ମୁଖ୍ୟ ପ୍ରସଙ୍ଗ କରି ଆପ ମଇଦାନକୁ ଓଲ୍ହାଇଥିବା ବେଳେ ଓମାର ଅବଦୁଲ୍ଲାଙ୍କ ଏହି କଡା ଜବାଵ ରାଜନୀତିକୁ ବେଶ ଚଳଚଞ୍ଚଳ କରିଛି।

ସେପଟେ ଏହି ପ୍ରସଙ୍ଗକୁ ନେଇ ଆପ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛି। ରାହୁଲ ଓ ବିଜେପି ମଧ୍ୟରେ ବୁଝାମଣା ହୋଇଯାଇଛି ବୋଲି ଆପ ମୁଖପାତ୍ର ପ୍ରିୟଙ୍କା କକ୍କଡ କହିଛନ୍ତି। ଏପରିକି କଂଗ୍ରେସ ଦେଶର ସମ୍ବିଧାନ ସହ ଅଛି କି ବିଜେପି ସହ ଅଛି ଦଳକୁ ସ୍ପଷ୍ଟ କରିବାକୁ ପଡିବ ବୋଲି ସେ କହିଛନ୍ତି।

ସେହିପରି ମମତା ବାନାର୍ଜୀ ମଧ୍ୟ ବିରୋଧୀ ବୈଠକରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗରେ କରାଯାଉଥିବା ଧାରଣା ଓ ବିକ୍ଷୋଭକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା। ତେଣୁ ପଶ୍ଚିମବଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ମମତା ପ୍ରଶ୍ନ ଉଠାଇଛନ୍ତି।

ନିଜ ଭିତରେ ଲଢେଇ କରିବା ବନ୍ଦ କରିବାକୁ ପଡିବ ବୋଲି ସେ କହିଛନ୍ତି। ବିରୋଧୀ ମାନେ ନିଜ ଭିତରେ ଲଢ଼ିଲେ ବିଜେପିକୁ ଲାଭ ହେବ ବୋଲି ମମତା କହିଛନ୍ତି।

ତେଣୁ ବିରୋଧୀ ବୈଠକରେ କେଜରିୱାଲ ଅବଦୁଲ୍ଲା ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କେଜରିୱାଲଙ୍କୁ ଅବଦୁଲ୍ଲା ପୂର୍ବ କଥା ମନେ ପକାଇବା ପରେ ଏ ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି ତାକୁ ନେଇ ରାଜନୈତିକ ଆକଳନ ଆରମ୍ଭ ହୋଇଛି।

Leave A Reply

Your email address will not be published.