ମୁହଁ କେମିତି ଟିକେ ସଫା ଦେଖା ଯାଉଥିବ ଆଉ ଦାଗ ନଥିବା ଏହା ସମସ୍ତଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ଓ ଦାଗ ଦେଖାଦେଲେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ସାଧାରଣତଃ ଏହାର ମୂଳ କାରଣ ଭାବେ ଭିଟାମିନ୍ ଅଭାବକୁ ଦାୟୀ କରାଯାଏ ଓ ଏହାର ସମାଧାନ ପାଇଁ ଲୋକେ ଭିଟାମିନ୍ ସି, ଏ ଓ ଡି ଯୁକ୍ତ ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦିଅନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ, କେବଳ ଭିଟାମିନ୍ ଅଭାବ ନୁହେଁ, ଆମର ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଏଥିପାଇଁ ସମାନ ଦାୟୀ ହୋଇଥାଏ ।
ଆଧୁନିକ ଜୀବନଶୈଳୀରେ ଅନିୟମିତ ଖାଦ୍ୟପେୟ, ଅତ୍ୟଧିକ ତୈଳାକ୍ତ ଖାଦ୍ୟ ସେବନ, ପର୍ଯ୍ୟାପ୍ତ ନିଦ୍ରାର ଅଭାବ ଓ ମାନସିକ ଚାପ ତ୍ୱଚାରେ ବ୍ରଣ ଓ ଦାଗ ସୃଷ୍ଟିର ବଡ଼ କାରଣ ହୋଇପାରେ । ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେ ଭିଟାମିନ୍ ସି ଯୁକ୍ତ କମଳା କିମ୍ବା ଭିଟାମିନ୍ ଏ ଯୁକ୍ତ ଗାଜର ଖାଇଲେ ମଧ୍ୟ, ଯଦି ଜୀବନଶୈଳୀରେ ସୁଧାର ନ ଆସେ, ତେବେ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିବା କଷ୍ଟକର । ଏହା ସହିତ ଅତ୍ୟଧିକ କ୍ରିମ୍ ଓ ରାସାୟନିକ ପଦାର୍ଥ ବ୍ୟବହାର ମଧ୍ୟ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ବିଶେଷଜ୍ଞଙ୍କ ମତରେ, ପ୍ରାକୃତିକ ଉପାୟ ଓ ସନ୍ତୁଳିତ ଜୀବନଶୈଳୀ ହିଁ ତ୍ୱଚାକୁ ସୁସ୍ଥ ଓ ଦାଗହୀନ ରଖିବାର ସବୁଠାରୁ ଉତ୍ତମ ଉପାୟ। ତେଣୁ କେବଳ ଭିଟାମିନ୍ ଉପରେ ନିର୍ଭର ନ କରି ନିଜର ଦୈନନ୍ଦିନ ରୁଟିନ୍କୁ ସୁଧାରିବା ଆବଶ୍ୟକ । ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ ବ୍ୟାୟାମ ଓ ମନରୁ ଚାପ ଦୂର କରିବା ମଧ୍ୟ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।
ତେବେ ଆପଣ କ’ଣ ଭାବୁଛନ୍ତି? ତ୍ୱଚା ସମସ୍ୟା ପାଇଁ ଭିଟାମିନ୍ ଅଭାବକୁ ଦାୟୀ କରିବେ ନା ନିଜ ଜୀବନଶୈଳୀ ଉପରେ ନଜର ଦେଖିବେ? ଚୟନ ଆପଣଙ୍କ ହାତରେ!
Comments are closed.