କନ୍ଧମାଳ: ଏମିତି ବି ଆସେ ମୃତ୍ୟୁ । କାହାର କେତେବେଳେ କେଉଁଠାରେ ମୃତ୍ୟୁ ହେବ, ତାହା କେହି କହିପାରିବେ ନାହିଁ । ବାଟରେ ଯେମିତି ଯମ ଜଗି ବସିଥିଲା । ଏମିତି କିଛି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ତେଲିମୁଣ୍ଡା ଛକ ନିକଟରେ । ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ଲାଗି ବସକୁ ଅପେକ୍ଷା କରିଥିଲେ ଆଉ ଚଢିଗଲା ବୋଲେରୋ । ଫଳରେ ପୁଅ ଆଖି ଆଗରେ ଚାଲିଗଲା ବାପାର ଜୀବନ । ମୃତକ ଯୁଗଳ ଦିଗାଲ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଯୁଗଳ ଏବଂ ତାଙ୍କ ପୁଅ କୁଶ ଦିଗାଲ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଆଜି ଉଭୟ ନିଜ ଘର ବାଲିଗୁଡାର ସିଙ୍ଗିମିଲା ଗାଁକୁ ଫେରିବା ପାଇଁ ତେଲିମୁଣ୍ଡା ଛକ ନିକଟରେ ବସକୁ ଅପେକ୍ଷା କରିଥିଲେ । ହଠାତ୍ ଏତିକି ବେଳେ ଏକ ବୋଲେରୋ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁଗଳଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ କୁଶକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed.