Latest Odisha News

BREAKING NEWS

ଶିରୁଳି ମହାବୀରଙ୍କ ମସ୍ତକରେ ବସିଲା ଲକ୍ଷ୍ମୀ ପେଚା, ଶୁଭ ଲକ୍ଷଣ ଦେଖିବାକୁ ମନ୍ଦିରରେ ଭିଡ଼

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶିରୁଳି ଗ୍ରାମରେ ଗୁରୁବାର ଦିନ ଏଠାରେ ଥିବା ପ୍ରସିଦ୍ଧ ମହାବୀର ହନୁମାନଜୀଙ୍କ ବିଗ୍ରହ ମସ୍ତକରେ ଏକ ଧଳା ପେଚା ବସିଥିବାର ଜଣାପଡ଼ିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲ୍ଲା ଚନ୍ଦନପୁର ନିକଟବର୍ତ୍ତୀ ପ୍ରସିଦ୍ଧ ହନୁମାନ ମନ୍ଦିରରେ ଥିବା ଶିରୁଳି ମହାବୀରଙ୍କ ମସ୍ତକ ଉପରେ ହଠାତ୍ ଏକ ଧଳା ଲକ୍ଷ୍ମୀ ପେଚା ପ୍ରାୟ ୧୫ ମିନିଟ ଧରି ବସିରହିଥିବାର ଦେଖାଯାଇଥିଲା । ଗୁରୁବାର ଦିନ ସନ୍ଧ୍ୟା ଠିକ୍ ୬ଟା ୧୫ ମିନିଟ ସମୟରେ ମନ୍ଦିରର ଦୁଇ ଜଣ ପୂଜକ ଚନ୍ଦ୍ରଶେଖର ବଡ଼ପଣ୍ଡା (ଟୁନା ନନା) ଏବଂ ଦୁଃଖୀଶ୍ୟାମ ମହାପାତ୍ର (ଦୁଃଖୀ ନନା) ସନ୍ଧ୍ୟା ଆଳତୀ ନୀତି କରୁଥିବା ସମୟରେ ହଠାତ୍ ବାହାରୁ ଏକ ଧଳା ପେଚା ଆସି ପ୍ରଥମେ ମହାବୀର ଧରିଥିବା ଖଡ଼ଗ ଉପରେ ବସିରହିଥିଲା ।

ଶ୍ରୀହନୁମାନଜୀଙ୍କ ଖଡ଼ଗ ଉପରେ ପ୍ରାୟ ୧୦ ମିନିଟ ବସିରହିବା ପରେ ଲକ୍ଷ୍ମୀ ପେଚାଟି ଠାକୁରଙ୍କ ମସ୍ତକ ଉପରେ ବସିଲା । ମସ୍ତକ ଉପରେ ପ୍ରାୟ ୧୫ ମିନିଟ ଧରି ବସି ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ପୂଜକ ତଥା ଶ୍ରଦ୍ଧାଳୁମାନେ ଏହି ଅପୂର୍ବ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଲକ୍ଷ୍ମୀ ପେଚାଟି ଠାକୁରଙ୍କ ଖଡ଼ଗ ଓ ମସ୍ତକ ଉପରେ ଚୁପଚାପ୍ ବସି ରହିଥିଲା । ମହାବୀରଙ୍କ ମସ୍ତକ ଓ ଖଡ୍ଡଗ ଉପରେ ଲକ୍ଷ୍ମୀଙ୍କ ପେଚା ବସିଥିବାର ଦୃଶ୍ୟ ଦେଖିବାକୁ କିଛି ସମୟ ମଧ୍ୟରେ ଶହ ଶହ ଦେଖଣାହାରୀଙ୍କ ଭିଡ଼ ଜମିଥିବାର ଲକ୍ଷ୍ୟ କରାଯାଇଥିଲା ।

ଶିରୁଳିସ୍ଥିତ ମହାବୀରଙ୍କ ମସ୍ତକରେ ବସିଥିବା ଏହି ଘଟଣାଟିକୁ ମନ୍ଦିର ପୂଜକ ଚନ୍ଦ୍ରଶେଖର ପୂଜାପଣ୍ଡାଙ୍କ କହିବାନୁଯାୟୀ, ଯେହେତୁ ଗୁରୁବାର ଦିନ ଶ୍ରୀମହାଲକ୍ଷ୍ମୀଙ୍କ ଧଳା ପେଚା ମନ୍ଦିର ଭିତରକୁ ପ୍ରବେଶ କରିଛି ଏବଂ ମହାବୀରଙ୍କ ଖଡ୍ଗ ଉପରେ ଏବଂ ମସ୍ତକ ଉପରେ ମଧ୍ୟ ବସି ରହିବା ଏକ ଶୁଭ ଲକ୍ଷଣ । ସେହିପରି ଏହି ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ମନ୍ଦିରର ଅନ୍ୟ ଜଣେ ପୂଜକ ଦୁଃଖୀଶ୍ୟାମ ମହାପାତ୍ର କହିଛନ୍ତି ଯେ, ପେଚାଟି ହଠାତ୍ ଆସି ଠାକୁରଙ୍କ ଖଡ୍ଗ ଉପରେ ୧୦ ମିନିଟ ଧରି ଚୁପଚାପ ବସି ରହିଥିଲା । ପରେ ପେଚାଟି ଠାକୁରଙ୍କ ମସ୍ତକ ଉପରେ ଦୀର୍ଘ ସମୟ ଧରି ବସି ରହିବା ନିଶ୍ଚିତ ରୂପେ ଶୁଭ ଲକ୍ଷଣ କାରଣ ପେଚାଟି ସମ୍ପୂର୍ଣ୍ଣ ଧଳା ରଙ୍ଗର ରହିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପେଚାଟି ସନ୍ଧ୍ୟା ଆଳତୀ ସମାପ୍ତ ହେବା ପରେ ହିଁ ପେଚାଟି ମନ୍ଦିରକୁ ପ୍ରବେଶ କରିଛି ତେଣୁ ଏହା ଅତ୍ୟନ୍ତ ଶୁଭ ଲକ୍ଷଣ ।

ଏହି ଘଟଣା ପରେ ଆଖପାଖର ଶହ ଶହ ଭକ୍ତ ମନ୍ଦିରରେ ଭିଡ଼ ଜମାଇଥିଲେ । ଏହି ଦୃଶ୍ୟଟିକୁ ଦେଖିଥିବା ଉପସ୍ଥିତ ଭକ୍ତମାନେ ନିଜକୁ ଧନ୍ୟ ମନେକରିଥିଲେ ।

ଚନ୍ଦନପୁରସ୍ଥିତ ଶିରୁଳୀ ମହାବୀର ମନ୍ଦିରର ରହିଛି ଅନେକ କିମ୍ବଦନ୍ତୀ ଏବଂ କଥାବସ୍ତୁ । ଏହି ମନ୍ଦିର ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରହିଛି ଅନେକ ପୌରାଣିକ କାହାଣୀ । ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ମହାବୀର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରହିଥିଲେ । ପ୍ରଭୁ ଭକ୍ତ ଶ୍ରୀହନୁମାନଜୀ ରାତିରେ ଶୋଇବା ବେଳେ ତାଙ୍କର ଘୁଘୁଡ଼ି ଏତେ ଶବ୍ଦ ସୃଷ୍ଟି କରୁଥିଲା ଯେ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିଲା । ତେଣୁ ମାଆ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଏବିଷୟରେ କହିବାରୁ ହନୁମାନଜୀ ମଧ୍ୟ ଏହି କଥା ଜାଣି ପାରିଲେ । ତେଣୁ ହନୁମାନଜୀ ଅଢେଇ ପାଦ ପଛକୁ ଘୁଞ୍ଚିଗଲେ । ହନୁମାନଜୀ ତାଙ୍କର ବିରାଟ ପାଦକୁ ସମୁଦ୍ର କୂଳରୁ ଦେଢପାଦ ଘୁଞ୍ଚିବା ପରେ ଚନ୍ଦନପୁର ନିକଟବର୍ତ୍ତୀ ଏହି ସ୍ଥାନରେ ଛିଡ଼ାହୋଇ ସେହିଦିନ ଠାରୁ ପୁରୀ ଶ୍ରୀମନ୍ଦିରକୁ ଲକ୍ଷ୍ୟ କରିଛନ୍ତି । ଗୋଟିଏ ଚକ୍ଷୁରେ ମହାବୀର ଲଙ୍କାକୁ ସତର୍କ ଦୃଷ୍ଟି କରୁଥିବା ବେଳେ ଅନ୍ୟ ଚକ୍ଷୁରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ନିରୀକ୍ଷଣ କରି ରହିଛନ୍ତି । ଶିରୁଳିକୁ ନେଇ ଅନେକ ପୌରାଣିକ କଥାବସ୍ତୁ ରହିଛି ଯାହାକି ଆଜି ମଧ୍ୟ ରହସ୍ୟମୟ ।

Leave A Reply

Your email address will not be published.