କୋଲକାତା: ପଶ୍ଚିମବଙ୍ଗର ମାଲଦାରୁ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ବାର୍ଡ ଫ୍ଲୁର ଏକ ନୂଆ ମାମଲା ମାଲଦାର କାଲିଆଚକ ଠାରେ ଦେଖିବାକୁ ମିଳିଛି। ଏକ ଶିଶୁ ଠାରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟ ସଚିବ ନାରାୟଣସ୍ୱରୁପ ନିଗମ ଏନେଇ ସୂଚନା ଦେଇଛନ୍ତି । ଏଆରଡି ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି । ଅଧିକ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପଠାଯିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଉଛି।
ସେପଟେ ଉକ୍ତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପଶ୍ଚିମବଙ୍ଗରେ ଚାରି ବର୍ଷର ଏକ ଶିଶୁ ଦେହରେ H9N2 ଭାଇରସ ଦ୍ଵାରା ଉତ୍ପନ୍ନ ବାର୍ଡ ଫ୍ଲୁର ମାନବ ସଂକ୍ରମଣର ଏକ ମାମଲା ଦେଖିବାକୁ ମିଳିଛି। ଶିଶୁଟିର ଫେବୃଆରୀ ମାସରୁ କ୍ରମାଗତ ଭାବରେ ଶ୍ଵାସ ଜନିତ ସମସ୍ୟା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଃି ଲକ୍ଷଣ ଦେଖିବାକୁ ମିଳିଥିଲା । ସ୍ଵାସ୍ଥ୍ୟ ବସ୍ଥା ଦିନକୁ ଦିନ ଖରାପ ହେବାରୁ ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତିନିମାସ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ହୁ ର ସୂଚନା ଅନୁସାରେ, ରୋଗୀ ତାଙ୍କ ଘରେ କିମ୍ବା ଆଖପାଖରେ କେଉଁଠି କୁକୁଡ଼ା ସଂସ୍ପର୍ଶରେ ଆସିଥିଲେ। ତେବେ ତାଙ୍କ ପରିବାରର ଅନ୍ୟ କେହାଠାରେ ଏପରି ସମସ୍ୟା ଦେଖିବାକୁ ମିଳିନାହିଁ । ଏହା ହେଉଛି ଭାରତରେ H9N2 ବାର୍ଡ ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ । ପ୍ରଥମ ମାମଲା ୨୦୧୯ ରେ ମିଳିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
Comments are closed.