ମୁମ୍ବାଇ: ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ତେବେ ଏହା ସହିତ ସେ କୁଲଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସଞ୍ଜୟ କହିଛନ୍ତି ଯେ, ରାଣାଙ୍କୁ ଆମେରିକାରୁ ଆଣିବା ଏକ ପ୍ରଶଂସନୀୟ ପଦକ୍ଷେପ। କିନ୍ତୁ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ରାଣାଙ୍କୁ କ’ଣ ମାତ୍ର ମାମଲା ଚଲାଇ ଫାଶୀ ଦେବା ପାଇଁ ଆଣାଯାଇଛି, ନା କୌଣସି ରାଜନୈତିକ ଦଳକୁ ଏହାର ଶ୍ରେୟ ନେବା ପାଇଁ?
ବିଜେପି ଉପରେ ଆକ୍ରମଣ କରି ସଞ୍ଜୟ ରାଉତ କହିଛନ୍ତି, “କାହିଁକି କେତେକ ଲୋକେ ରାଣା ମହୋତ୍ସବ ପାଳନ କରୁଛନ୍ତି?” ସେ କହିଛନ୍ତି, ତହବ୍ବୁର ରାଣାଙ୍କୁ ଆଇନଗତ ପ୍ରକ୍ରିୟା ଜରିଆରେ ଭାରତ ଆଣାଯାଇଛି, ଯେପରି ପୂର୍ବରୁ ଆବୁ ସଲେମଙ୍କୁ ପର୍ତୁଗାଲରୁ ଅଣାଯାଇଥିଲା। ଏହା କେବଳ ଭାରତ ସରକାରଙ୍କ ସଫଳତା ନୁହେଁ, ବରଂ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଓ ବୈଦେଶିକ ମନ୍ତ୍ରଣାଳୟର ମିଳିତ ପ୍ରୟାସର ଫଳ। ଏହାର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ।
ସେ ଆହୁରି କହିଛନ୍ତି, ୨୦୦୯ ମସିହାରୁ ଭାରତ ସରକାର ରାଣାଙ୍କୁ ଆଣିବା ପାଇଁ ଚେଷ୍ଟା କରୁଛି। ସେତେବେଳେ କେନ୍ଦ୍ରରେ ମୋଦୀ ସରକାର ନଥିଲେ, ବରଂ ୟୁପିଏ ସରକାର କ୍ଷମତାରେ ଥିଲେ। ୨୦୦୯ରେ ଏନଆଇଏ ରାଣା ଓ ଡେଭିଡ ହେଡଲୀଙ୍କ ବିରୋଧରେ ପ୍ରଥମ ଏଫଆଇଆର ଦାୟର କରିଥିଲା। ସେହି ସମୟରେ ଏନଆଇଏ ଟିମ୍ ଚିକାଗୋ ଯାଇ ଉଭୟଙ୍କୁ ଜେରା କରିଥିଲେ।
୨୦୧୨ରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଓ ବୈଦେଶିକ ସଚିବ ଆମେରିକା ଗସ୍ତ କରି ତତ୍କାଳୀନ ଆମେରିକୀୟ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ସହ ରାଣାଙ୍କୁ ଭାରତ ପଠାଇବା ନେଇ ଆଲୋଚନା କରିଥିଲେ। ସଞ୍ଜୟ କହିଛନ୍ତି, ଏହା ଏକ ଆଇନଗତ ପ୍ରକ୍ରିୟା, ଯାହା ପୂରଣ ହେବାକୁ ସମୟ ଲାଗିଥାଏ।
ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ସଞ୍ଜୟ ରାଉତ କହିଛନ୍ତି, “ପୁଲଓ୍ବାମା ଆକ୍ରମଣର ଶ୍ରେୟ ନେବା ଏକ କଥା, କିନ୍ତୁ ଏହା ମଧ୍ୟ ସତ ଯେ ପାକିସ୍ତାନର ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ମୁକ୍ତ କରାଯାଇ ପାରିନାହିଁ।” ଯେଉଁମାନେ ‘ଘରେ ପଶି ମାରିବୁ’ ବୋଲି ଦାବି କରୁଛନ୍ତି, ସେମାନେ କୁଲଭୁଷଣ, ନୀରବ ମୋଦୀ ଓ ମେହୁଲ ଚୌକସିଙ୍କୁ ଭାରତ ଆଣିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
ସଞ୍ଜୟ ଦାବି କରିଛନ୍ତି ଯେ, ଦେଶରେ ଆର୍ଥିକ ଦୁର୍ନୀତିରେ ଅଭିଯୁକ୍ତ ନୀରବ ମୋଦୀ ଓ ମେହୁଲ ଚୌକସିଙ୍କୁ ମଧ୍ୟ ଭାରତ ଆଣାଯାଉ। ସଞ୍ଜୟ ରାଣାଙ୍କୁ ଆଣି ଏହାକୁ ବଡ଼ ବିଜୟ ଭାବେ ଦେଖାଇବା ଉଚିତ୍ ନୁହେଁ। ଏହାର ଶ୍ରେୟ ତତ୍କାଳୀନ ସରକାରଙ୍କୁ ଦିଆଯିବା ଉଚିତ୍, ଯେଉଁମାନେ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ।
ଏହା ସହିତ ରାଉତ ମହାରାଷ୍ଟ୍ରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ଆଜି ଆଇନର କୌଣସି ସ୍ଥାନ ନାହିଁ। ଦେବେନ୍ଦ୍ର ଫଡନାଭିସଙ୍କୁ ଏହା ଜଣା ନାହିଁ ଯେ ସେ ଗୃହମନ୍ତ୍ରୀ। ନାଗପୁର, ମୁମ୍ବାଇ ଓ ରାଜ୍ୟରେ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି।
Comments are closed.