ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏବେଠୁ ମେଣ୍ଟ ଗଣିତ ନେଇ ଜୋରଦାର ହେଲାଣି ଅଙ୍କକଷା। ବିହାରରେ ବିଜେପି, ଜେଡିୟୁ ସହ ମିଶି ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ସେପଟେ ମହାଗଠବନ୍ଧନର ନେତୃତ୍ବ ନେଉଥିବା ଲାଲୁଙ୍କ ଆରଜେଡି ମଧ୍ୟ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ସ୍ପଷ୍ଟ କରିସାରିଛି। ଯୁଦ୍ଧ ପୂର୍ବରୁ ଘେରାବନ୍ଦୀ ମଜବୁତ କରିବାରେ ଲାଗିଛନ୍ତି ଉଭୟ ମେଣ୍ଟ। ତେବେ ମହାଗଠବନ୍ଧନରେ କାହାର କେତେ ଦମ୍?
ଆରଜେଡିର ସହଯୋଗୀ କିଏ?
ମହାଗଠବନ୍ଧନରେ ଆରଜେଡିର ସହଯୋଗୀ ଦଳ ରହିଛନ୍ତି କଂଗ୍ରେସ, ସିପିଆଇ, ସିପିଏମ୍, ସିପିଆଇଏମଏଲ୍ ସହ ମୁକେଶ ସହନୀଙ୍କ ନେତୃତ୍ବାଧୀନ ବିକାଶଶୀଳ ଇନସାନ ପାର୍ଟି ବା ଭିଆଇପି। କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନଙ୍କ ଦାଦା ପଶୁପତି ପାରସଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ମଧ୍ୟ ମହାଗଠବନ୍ଧନରେ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ନୀତିଶ କୁମାରଙ୍କ ବିରୋଧରେ ଲଗାତର ମୁଖର ହେଉଛନ୍ତି ପଶୁପତି ପାରସ। ଏପ୍ରିଲ 14ପରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ। ପଶୁପତିଙ୍କ ଦଳ ମହାଗଠବନ୍ଧନରେ ସାମିଲ ହେଲେ ମେଣ୍ଟରେ ଦଳ ସଂଖ୍ୟା 7ରେ ପହଞ୍ଚିବ।
ଆରଜେଡି ପାଇଁ ଏସବୁ ଚ୍ୟାଲେଞ୍ଜ
ପୂରା ବିହାରରେ ରହିଛି ଲାଲୁଙ୍କ ଆରଜେଡିର ଉପସ୍ଥିତି। ଦଳର ନେତୃତ୍ବ କରୁଛନ୍ତି ତେଜସ୍ବୀ ଯାଦବ। ଯୁବ ଚେହେରା ସାଙ୍ଗକୁ ଆରଜେଡି ପାଖରେ ରହିଛି ଲାଲୁପ୍ରସାଦ ଯାଦବଙ୍କ ପରି ପୁରୁଖା ନେତାଙ୍କ ମାର୍ଗଦର୍ଶନ। ଯାଦବ, ମୁସଲିମ ଭୋଟବ୍ୟାଙ୍କ ହେଉଛି ଦଳର ସବୁଠୁ ବଡ଼ ବଳ। ତେବେ ଲାଲୁ ଓ ରାବିଡି ଦେବୀଙ୍କ ସରକାର ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆରଜେଡି ସବୁବେଳେ ବିଜେପି ଓ ଜେଡିୟୁର ଟାର୍ଗେଟରେ ରହିଆସିଛି। ପରିବାରବାଦକୁ ନେଇ ବି ଦଳ ଉପରେ ଆଙ୍ଗୁଳି ଉଠାଯାଇଛି। ଓବିସି ଭୋଟରଙ୍କ ଉପରେ ଦଳର ସେଭଳି ଦଖଲ ନାହିଁ, ଯାହା ଆରଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ବିହାରରେ କଂଗ୍ରେସର କେତେ ଦମ୍ ?
ବିହାରରେ ଆରଜେଡିର ପ୍ରମୁଖ ସହଯୋଗୀ କଂଗ୍ରେସ ସବୁଠୁ ପୁରୁଣା ଦଳ। କଂଗ୍ରେସ ବିହାରର କୋଶୀ ସୀମାଞ୍ଚଳ ଅଞ୍ଚଳରେ ମଜବୁତ ରହିଛି। ମୁସଲିମ ଭୋଟ ସହ ଦଳିତ ଭୋଟର କଂଗ୍ରେସକୁ ସମର୍ଥନ କରିପାରନ୍ତି। ତେବେ ଦଳ ସହ କୌଣସି ଜାତିର ଟ୍ୟାଗ ଲାଗିନି। ତେବେ ରାଜ୍ୟରେ ବର୍ଷ ବର୍ଷ ଧରି କଂଗ୍ରେସ ଥାଇ ବି ନଥିଲା ଭଳି ରହିଛି। ଲାଲୁଙ୍କ ଛତ୍ରଛାୟାରେ ହିଁ ଚାଲିଛି ଦଳ। କୌଣସି ମଜବୁତ ଭୋଟବ୍ୟାଙ୍କ ଉପରେ କଂଗ୍ରେସର ଏକଚାଟିଆ ଅଧିକାର ନାହିଁ।
ମେଣ୍ଟ ସହଯୋଗୀଙ୍କ ବଳ କେତେ?
ବିକାଶଶୀଳ ଇନସାନ ପାର୍ଟିର ସହନୀ ଜାତିର ଭୋଟବ୍ୟାଙ୍କରେ ଭଲ ପକଡ ରହିଛି। ମିଥିଳା, ଦରଭଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ଦଳ ମଜବୁତ ସ୍ଥିତିରେ ରହିଛି। ବିହାରର ଅଧିକାଂଶ ଅଞ୍ଚଳରେ ଦଳର ସଂଗଠନ ରହିଛି। ତେବେ ଦଳ ପୂର୍ଣ୍ଣ ରୂପେ ମୁକେଶ ସହନୀଙ୍କ ଉପରେ ନିର୍ଭରଶୀଳ। ଗୋଟିଏ ଜାତି ଓ କିଛି ସୀମିତ ଅଞ୍ଚଳକୁ ଛାଡିଦେଲେ, ଭିଆଇପିର ଗ୍ରହଣୀୟତା ସେଭଳି ନାହିଁ। ମହାଗଠବନ୍ଧନରେ ରହିଥିବା ତିନିଟି ବାମ ଦଳର ପକଡ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ବିହାରରେ ବାମ ଦଳର ସକ୍ରିୟ କ୍ୟାଡର ଓ ଭୋଟର ବେସ୍ ରହିଛି। ତେବେ ଏହାର ଫାଇଦା ମେଣ୍ଟକୁ କେତେ ମିଳୁଛି, ତାଉପରେ ନଜର ରହିଛି।