Latest Odisha News

ଟେଷ୍ଟ କ୍ରିକେଟରେ ରାଜୁତି କରୁଛନ୍ତି ରୁଟ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ୨୦୧୩ରେ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ସେ ନେଇ ଆଲୋଚନା ଜୋର ଧରିଥିଲା । ବିରାଟ କୋହଲି ତାଙ୍କ ପ୍ରଦର୍ଶନ ବଳରେ ଏହି ପ୍ରଶ୍ନର ଉତର ସହଜରେ ଦେଇଥିଲେ । ସବୁ ଫର୍ମାଟରେ ସେ ଭଲ ପ୍ରଦର୍ଶନ କରି ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିଲେ । ୨୦୨୦ ପରେ ତାଙ୍କ ପ୍ରଦର୍ଶନସ୍ତର ହ୍ରାସ ପାଇଥିଲା । ଏହା ମଧ୍ୟରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ତେବେ ସେ ଏତେ ସହଜରେ ସଚିନଙ୍କ ରେକର୍ଡର ନିକଟତର ହୋଇଯିବେ କେହି କେବେ ଭାବି ନ ଥିଲେ ।

ଇତି ମଧ୍ୟରେ ସେ ଟେଷ୍ଟରେ କୋହଲିଙ୍କୁ ବହୁତ ପଛରେ ପକେଇ ଦେଇଛନ୍ତି । ୨୦୨୦ ପରେ କୋହଲି ୨୯ ଟେଷ୍ଟରେ ୨ ଶତକ ସହ ୧୬୪୬ ରନ କରିଥିଲେ । ଏହାର ଜବାବରେ ରୁଟ ଏହି ସମୟ ମଧ୍ୟରେ ୧୭ ଶତକ ସହାୟତାରେ ୫୦୧୮ ରନ ସଂଗ୍ରହ କରିଥିଲେ । କୋହଲି ଟେଷ୍ଟ କ୍ରିକେଟରେ ୧୧୩ ମ୍ୟାଚରେ ୮୮୪୮ ରନ କରିଛନ୍ତି । ଏଥିରେ ୨୯ ଶତକ ସାମିଲ । ଅପରପକ୍ଷରେ ରୁଟ ୧୪୪ ମ୍ୟାଚରେ ୧୨୧୩୧ ରନ କରିଛନ୍ତି । ସେ ୩୪ ଶତକ ମଧ୍ୟ ମାରି ସାରିଛନ୍ତି । ଏବେ ଟେଷ୍ଟ କ୍ରିକେଟରେ କୋହଲି, କେନ ୱିଲିୟମସନ, ଷ୍ଟିଭ ସ୍ମିଥ ଓ ରୁଟଙ୍କ ରାଜୁତି ଚାଲିଛି । ୨୦୨୧ ସୁଦ୍ଧା ରୁଟ ଉପରୋକ୍ତ ୩ ଖେଳାଳିଙ୍କଠାରୁ ବହୁତ ପଛରେ ଥିଲେ । ସେ ସମୟରେ ରୁଟ ୧୭ ଶତକ ମାରିଥିବା ବେଳେ କୋହଲିଙ୍କ ନାମରେ ୨୭, ସ୍ମିଥ ୨୬ ଓ ୱିଲିୟମସନ ୨୩ ଶତକ ହାସଲ କରିଥିଲେ ।

ଏବେ ସମୟ ବଦଳିଯାଇଛି । ରୁଟ ୩୪ ଶତକ ସହ ଶୀର୍ଷରେ ଥିବା ବେଳେ ୱିଲିୟମସନ ୩୨ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏମାନଙ୍କ ପଛକୁ ସ୍ମିଥ ଓ କୋହଲି ରହିଛନ୍ତି । ସ୍ମିଥ ୩୨ ଓ କୋହଲି ୨୯ ଶତକ ମାରିଛନ୍ତି । ରୁଟ ଏବେ ଧୀରେ ଧୀରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛନ୍ତି । ସଚିନ ୫୧ ଶତକ ସହ ୧୫୯୨୧ ରନ କରି ଏବେ ବି ଶୀର୍ଷରେ ରହିଛନ୍ତି । ରୁଟ ଓଭରାଲ ୮ମ ସ୍ଥାନରେ ରହିଛନ୍ତି । ସେ ୧୨୩୭୭ ରନ ହାସଲ କରିଛନ୍ତି । ରିକି ପଂଟିଂ(୧୩୩୭୮), ଜ୍ୟାକ୍ସ କାଲିସ(୧୩୨୮୯), ରାହୁଲ ଡ୍ରାଭିଡ(୧୩୨୮୮), ଆଲିଷ୍ଟର କୁକ(୧୨୪୭୨) ଓ କୁମାର ସଙ୍ଗକାରା ୨ୟରୁ ୭ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Comments are closed.