ନୂଆଦିଲ୍ଲୀ: ବିଶ୍ବ ତଥା ଦେଶର ସବୁଠୁ ଧନୀ ବ୍ୟକ୍ତି, ଧନୀ ବ୍ୟବସାୟୀ, ଧନୀ ସେଲିବ୍ରିଟି ଏମିତି ବିଭିନ୍ନ ଆକଳନ ଦ୍ବାରା ଜାରି କରାଯାଇଥିବା କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି । ଯାହାଙ୍କର ସମ୍ପତ୍ତି ଏବଂ ମାସିକ ଆୟ ଆଖି ଝଲସାଇ ଦେବ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ସବୁଠୁ ଧନୀ ଭିକାରୀ ଭାବେ ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ ରହିଛନ୍ତି । ଯାହାଙ୍କର ପେଶା ଭିକ ମାଗିବା, ହେଲେ ସମ୍ପତ୍ତି ଆଉ ମାସିକ ଆୟ ପଣଙ୍କ ହୋସ୍ ଉଡେଇଦେବ । ତେବେ ଭାରତରେ ଭିକାରୀଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ, କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଭିକାରୀ ରୁହନ୍ତି ଏବଂ ସେମାନେ ଗୋଟିଏ ମାସରେ କେତେ ରୋଜଗାର କରନ୍ତି?
ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ମୋଟ ଭିକାରୀଙ୍କ ସଂଖ୍ୟା ୪,୧୩,୬୭୦ । ଏହି ସଂଖ୍ୟା ୨୦୧୧ ଜନଗଣନାର ଆକଳନ ଅନୁଯାୟୀ । ଯାହା ବୋଧେ ଏବେ ବୃଦ୍ଧି ପାଇଥିବ । ଯାହା ମଧ୍ୟରୁ ପୁରୁଷ ଭିକ୍ଷାକାରୀଙ୍କ ସଂଖ୍ୟା ୨,୨୧,୬୭୩ ଏବଂ ମହିଳା ୧,୯୧,୯୯୭ ରହିଥିଲା ।
ଭାରତର ଶ୍ରେଷ୍ଠ ୫ ଧନୀ ଭିକାରୀ….
ଭାରତର ଧନୀ ଭିକାରୀଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ମୁମ୍ବାଇର ଭରତ ଜୈନ । ଭାରତର ସବୁଠାରୁ ଧନୀ ଭିକାରୀ ଭାବରେ ବିବେଚିତ ଭରତ ଜୈନ ପ୍ରତିଦିନ ପ୍ରାୟ ୨୦୦୦-୨,୫୦୦ ଟଙ୍କା ରୋଜଗାର କରନ୍ତି, ଏହାର ଆକଳନ ବେଳେ ବେଳେ ବୃଦ୍ଧି ବି ହୁଏ । ଯାହା ତାଙ୍କୁ ମାସିକ ୬୦,୦୦୦-୭୫,୦୦୦ ଟଙ୍କା ରୋଜଗାର କରାଇଥାଏ । ଅର୍ଥାତ୍ ବାର୍ଷିକ ୯ଲକ୍ଷରୁ କୋଟିଏ ପର୍ଯ୍ୟନ୍ତ ଇଏ ରୋଜଗାର କରନ୍ତି । ଆଉ ବର୍ତ୍ତମାନ ସେ ପ୍ରାୟ ୭ କୋଟିରୁ ଅଧିକ ସମ୍ପତ୍ତିର ମାଲିକ । ସେହିପରି କୋଲକାତାର ଲକ୍ଷ୍ମୀ ଦାସ ୧୬ ବର୍ଷ ବୟସରୁ ଭିକ୍ଷା ମାଗୁଛନ୍ତି ଏବଂ ମାସିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ବିହାରର ପାଟନାର ବାସିନ୍ଦା ସରବତୀୟା ଦେବୀ ମାସିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ବାର୍ଷିକ ୩୬,୦୦୦ ଟଙ୍କା ବୀମା ପ୍ରିମିୟମ୍ ବି ଦିଅନ୍ତି । ସେହିପରି କୃଷ୍ଣ କୁମାର ଗୀତେ ମୁମ୍ବାଇରେ ଭିକ୍ଷା ମାଗୁଛନ୍ତି । ଗୀତେ ପ୍ରତିଦିନ ୧୫୦୦ ଟଙ୍କା ରୋଜଗାର କରନ୍ତି, ଯାହା ତାଙ୍କୁ ମାସିକ ୪୫,୦୦୦ ଟଙ୍କା ରୋଜଗାର କରାଇଥାଏ । ସମ୍ଭାଜୀ କାଲେ ମୁମ୍ବାଇର ବସ୍ତି ଅଞ୍ଚଳରେ ରୁହନ୍ତି ଏବଂ ସେ ବି ଭିକ୍ଷା ମାଗି ଭରଣାପୋଷଣା କରନ୍ତି । ଆଉ ପ୍ରତିଦିନ ପ୍ରାୟ ୧୫୦୦ ଟଙ୍କା ରୋଜଗାର କରନ୍ତି ।
କେଉଁ ରାଜ୍ୟରେ ସବୁଠାରୁ ଅଧିକ ଭିକାରୀ?
ଭିକ୍ଷାକାରୀଙ୍କ ଦୃଷ୍ଟିରୁ, ପଶ୍ଚିମବଙ୍ଗ ଶୀର୍ଷରେ ରହିଛି । ଏଠାରେ ୮୧,୨୪୪ ଭିକାରୀ ଅଛନ୍ତି, ଯାହା ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ପଶ୍ଚିମବଙ୍ଗ ପରେ, ଉତ୍ତର ପ୍ରଦେଶ ରହିଛି । ଏହାରେ ୬୫,୮୩୫ ଭିକାରୀ ଅଛନ୍ତି । ଏହା ପରେ ଆନ୍ଧ୍ର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର ନାମ ରହିଛି । ସେହିପରି ଓଡିଶାରେ ୭୯୮୪ ଭିକାରୀ ରହିଛନ୍ତି ।
ଭାରତୀୟ ଭିକାରୀଙ୍କ ମାସିକ ରୋଜଗାର?
ଭାରତରେ ଭିକାରୀଙ୍କ ମାସିକ ଆୟ ସ୍ଥାନ, ଭିଡ଼ କିମ୍ବା ସହର ଉପରେ ନିର୍ଭର କରେ । କୌଣସି ସରକାରୀ ସର୍ଭେ ଭିକାରୀଙ୍କ ଆୟର ସଠିକ୍ ତଥ୍ୟ ପ୍ରଦାନ କରେ ନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ଜଣେ ସାଧାରଣ ଭିକାରୀ ପ୍ରତିଦିନ ୧୦୦ରୁ ୫୦୦ ଟଙ୍କା ରୋଜଗାର କରନ୍ତି, ଯାହା ତାଙ୍କର ମାସିକ ଆୟ ୩୦୦୦ରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଥାଏ । ଯେତେବେଳେ ଦିଲ୍ଲୀ, ମୁମ୍ବାଇ, କୋଲକାତା କିମ୍ବା ଲକ୍ଷ୍ନୌ ଭଳି ବଡ଼ ସହରରେ, ଭିକାରୀ ପ୍ରତିଦିନ ୫୦୦ରୁ ୧୦୦୦ ଟଙ୍କା ଅର୍ଥାତ୍ ମାସିକ ୧୫ ହଜାରରୁ ୩୦ ହଜାର ଟଙ୍କା ରୋଜଗାର କରିଥାନ୍ତି ।
Comments are closed.