Latest Odisha News

ଏମିତି ଚାଲିଥିଲା ନକଲି ଦୂତାବାସ !

ନୂଆଦିଲ୍ଲୀ: ନକଲି ସାମଗ୍ରୀ ନକଲି ଅଧିକାରୀଙ୍କ କଥା ତ ଶୁଣିଥିବେ। ଏବେ ଗାଜିଆବାଦରେ ନକଲି ଦୂତାବାସର ହୋଇଛି ପର୍ଦ୍ଦାଫାସ। ଗୋଟିଏ କୋଠାରେ ଚାଲିଥିଲା ୪ଟି ଦେଶର ଦୂତାବାସ ହେଲେ ସବୁ ଥିଲା ନକଲି। ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ବ୍ୟକ୍ତି ନିଜକୁ ଓ୍ବେଷ୍ଟ ଆର୍କଟିକା, ସବୋର୍ଗା, ପୋଲଭିଆ ଓ ଲଣ୍ଡୋନିଆ ଭଳି ଦେଶର ରାଷ୍ଟ୍ରଦୂତ କହୁଥିଲେ। ଉତ୍ତରପ୍ରଦେଶର ନୋଏଡା ଏସଟିଏଫ୍ ନକଲି ଦୂତାବାସର ଖୁଲାସା କରିବା ସହ ସେଠାରୁ ଅନେକ ଡିପ୍ଲୋମାଟିକ ନମ୍ବର ପ୍ଲେଟ୍, ଲଗଜୁରୀ ଗାଡି ଜବତ କରିଛି।

ଏମିିତି ଚାଲିଥିଲା ଦୂତାବାସ

ଗାଜିଆବାଦର କବିନଗରରେ ଏକ ଭଡ଼ା ଘରେ ଓ୍ବେଷ୍ଟ ଆର୍କଟିକା ଦୂତାବାସ ଚଳାଉଥିଲେ ହର୍ଷବର୍ଦ୍ଧନ ଜୈନ। ସେ ନିଜକୁ ୪ଟି ଦେଶର ରାଷ୍ଟ୍ରଦୂତ କହୁଥିଲେ। ଏହାସହ ଲୋକଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ନିଜ ଫଟୋସପ ଫଟୋ ଦେଖାଉଥିଲେ। କମ୍ପାନୀ ଓ ଲୋକଙ୍କୁ ବିଦେଶରେ କାମ ଦେବାର ଲୋଭ ଦେଖାଇ ଦଲାଲି କରୁଥିଲେ ହର୍ଷବର୍ଦ୍ଧନ। କେବଳ ସେତିକି ନୁହେଁ ସେଲ କମ୍ପାନୀ ମାଧ୍ୟମରେ ହଓ୍ବାଲା ରାକେଟ୍ ବି ଚଳାଉଥିଲେ। ୨୦୧୧ରେ ତାଙ୍କ ନିକଟରୁ ଅବୈଧ ସାଟେଲାଇଟ୍ ଫୋନ୍ ଜବତ କରାଯାଇଥିଲା। ଏନେଇ କବିନଗର ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ହର୍ଷବର୍ଦ୍ଧନଙ୍କ ଠକ ସାମ୍ରାଜ୍ୟ

ଲଣ୍ଡନର କଲେଜ ଅଫ୍ ଆପ୍ଲାଏଡ୍ ସାଇନ୍ସରୁ ଏମବିଏ କରିଛନ୍ତି ହର୍ଷବର୍ଦ୍ଧନ। ଏହାସହ ସେ ଗାଜିଆବାଦର ଆଇଟିସି କଲେଜରେ ଏମବିଏ କରିଛନ୍ତି। ହର୍ଷବର୍ଦ୍ଧନଙ୍କ ପାରିବାରିକ ବ୍ୟାକଗ୍ରାଉଣ୍ଡ ମଧ୍ୟ ବେଶ୍ ପ୍ରଭାବଶାଳୀ। ତାଙ୍କ ବାପା ବଡ଼ ଉଦ୍ୟୋଗପତି ଥିଲେ। ସେ ରାଜସ୍ଥାନରେ ମାର୍ବଲ ମାଇନ୍ସର ମାଲିକ ଥିଲେ। ତେବେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟବସାୟ କ୍ଷତି ସହିଥିଲା।

ଏହି ସମୟରେ ହର୍ଷବର୍ଦ୍ଧନ ଗାଜିଆବାଦରେ ଚନ୍ଦ୍ରାସ୍ବାମୀଙ୍କୁ ଭେଟିଥିଲେ। ଚନ୍ଦ୍ରାସ୍ବାମୀ ହର୍ଷବର୍ଦ୍ଧନଙ୍କୁ ଲଣ୍ଡନ ପଠାଇଥିଲେ। ସେଠାରେ ଚନ୍ଦ୍ରାସ୍ବାମୀ ନିଜ କଳାଟଙ୍କା ଲୁଚାଇବାକୁ ହର୍ଷବର୍ଦ୍ଧନଙ୍କ ମାଧ୍ୟମରେ ଅନେକ କମ୍ପାନୀ ଆରମ୍ଭ କରିଥିଲେ। ଲଣ୍ଡନରେ ହିଁ ହର୍ଷବର୍ଦ୍ଧନ ଜଣାଶୁଣା ଆର୍ମସ ଡିଲର ଅଦନାନ ଖଗୋସିଙ୍କ ସହ ସାକ୍ଷାତ ହୋଇଥିଲା। ପରେ ତାଙ୍କ ସହ କାମ କରିଥିଲେ ହର୍ଷବର୍ଦ୍ଧନ। ଏହାଛଡା ଦୁବାଇରେ ମଧ୍ୟ ଅନେକ କମ୍ପାନୀ ଚଳାଇଥିଲେ। ଚନ୍ଦ୍ରାସ୍ବାମୀଙ୍କ ମୃତ୍ୟୁ ପରେ ହର୍ଷବର୍ଦ୍ଧନ ଗାଜିଆବାଦ ଫେରି ଆସିଥିଲେ। ତେବେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ନକଲି ଦୂତାବାସ ଖୋଲିଥିଲେ।

ଖୋଲୁଛି ନକଲି ଦୂତାବାସ ଗୁମର

ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନଙ୍କଠାରୁ ପୋଲିସ ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ଥିବା ୪ଟି ଗାଡ଼ି, ମାଇକ୍ରୋନେସନ ଦେଶଙ୍କର ୧୨ଟି ଡିପ୍ଲୋମାଟିକ ପାସପୋର୍ଟ, ବିଦେଶ ମନ୍ତ୍ରାଳୟର ମୋହର ଥିବା ନକଲି ଦସ୍ତାବେଜ, ଦୁଇଟି ଫର୍ଜି ପ୍ୟାନକାର୍ଡ, ବିଭିନ୍ନ ଦେଶ ଓ କମ୍ପାନୀଙ୍କ ୩୪ଟି ମୋହର, ୨ଟି ଫର୍ଜି ପ୍ରେସ କାର୍ଡ ଜବତ କରିଛି। ସେହିପରି ୪୪ ଲକ୍ଷ ୭୦ ହଜାର ଟଙ୍କା ନଗଦ ସହ ବିଭିନ୍ନ ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ବିଭିନ୍ନ କମ୍ପାନୀର ଦସ୍ତାବେଜ ସହ ୧୮ଟି ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ମଧ୍ୟ ଜବତ କରାଯାଇଛି।

୨୦୧୭ ମସିହାରୁ ଗାଜିଆବାଦରେ ନକଲି ଦୂତାବାସ ଚଳାଇ ଆସୁଛନ୍ତି ହର୍ଷବର୍ଦ୍ଧନ। ଅନେକ ସମୟରେ ସେ ଦୂତାବାସ ବାହାରେ ଚାରିଟି ଇଭେଣ୍ଟ, ସାମୁହିକ ଭୋଜି ବା ଭଣ୍ଡାରାର ଆୟୋଜନ କରୁଥିଲେ। ହର୍ଷବର୍ଦ୍ଧନଙ୍କ ଠକେଇ ନେଟଓ୍ବର୍କରେ ଆଉ କିଏ କିଏ ସାମିଲ ? କେତେ ଲୋକଙ୍କୁ ଠକିଛନ୍ତି ହର୍ଷବର୍ଦ୍ଧନ? ହଓ୍ବାଲା ଜରିଆରେ କେତେ ଟଙ୍କା ଠକେଇ କରିଛନ୍ତି? ସେନେଇ ଖୋଳତାଡ଼ କରୁଛି ଏସଟିଏଫ୍।

 

Comments are closed.