Latest Odisha News

ଇଶିକା ତନେଜା କିଏ? ଯିଏ ମହାକୁମ୍ଭରେ ଚର୍ଚ୍ଚାର ଶୀର୍ଘରେ ଅଛନ୍ତି

ନୂଆଦିଲ୍ଲୀ: ଇଶିକା ତନେଜା ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏ କିଛି ସିନେମା ଏବଂ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ସିନେ ଜଗତରେ ନୁହେଁ ବରଂ ମହାକୁମ୍ଭରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। କାରଣ ସେ ଗ୍ଲାମର ଜୀବନକୁ ତ୍ୟାଗ କରି ସାଧ୍ୱୀ ପାଲଟିଛନ୍ତି । ବଲିଉଡର ଗ୍ଲାମର ଜୀବନ ତାଙ୍କୁ ଆକର୍ଷିତ କରୁନଥିଲା ବୋଲି ସେ ସନ୍ଥ ଜୀବନରେ ପରିଣତ ହୋଇଛନ୍ତି। ଇଶିକା ତନେଜା ସିନେ ଜଗତ ଛାଡି ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତା ଆଡକୁ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ବାସିନ୍ଦା ଇଶିକା ମିସ୍‌ ଇଣ୍ଡିଆ ଓ ମିସ୍‌ ୱର୍ଲଡ୍‌ ଟୁରିଜମ୍‌ ଟାଇଟଲ ପାଇଥିଲେ । ରାଷ୍ଟ୍ରପତି ସମ୍ମାନ ଦ୍ୱାରା ମଧ୍ୟ ସେ ସମ୍ମାନିତ । କିନ୍ତୁ ଏବେ ସେ ଗ୍ଲାମର୍‌ ଦୁନିଆକୁ ଅଲ୍‌ବିଦା କହି ଆଧ୍ୟାତ୍ମ ମାର୍ଗ ଚୟନ କରିଛନ୍ତି । ଇଶିକା ଏବେ ଶ୍ରୀ ଲକ୍ଷ୍ମୀ ହୋଇ ସନାତନ ଧର୍ମର ପ୍ରଚାର-ପ୍ରସାର କରୁଛନ୍ତି । ସେ ଦ୍ୱାରକା-ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସଦାନନ୍ଦ ସରସ୍ୱତୀଙ୍କଠୁ ଗୁରୁ ଦୀକ୍ଷା ନେଇଛନ୍ତି ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଇଶିକା କହିଛନ୍ତି, ଖ୍ୟାତି ଓ ପ୍ରସିଦ୍ଧି ସତ୍ତେ୍ୱ ତାଙ୍କ ଜୀବନ ଅପୂର୍ଣ୍ଣ ମନେହେଉଥିଲା। ଜୀବନରେ ସୁଖ-ଶାନ୍ତି ସହିତ ବାସ୍ତବ ଜୀବନକୁ ମଧ୍ୟ ସୁନ୍ଦର କରିବା ଜରୁରୀ। ଧର୍ମ ରକ୍ଷା ଓ ଏହାର ପ୍ରଚାର ପାଇଁ ସବୁ ଝିଅଙ୍କୁ ଆଗକୁ ଆସିବା ଉଚିତ୍‌। ଜଣେ ସନାତନୀ ସାଧ୍ୱୀ ଭାବେ ସେ ଗର୍ବିତ ବୋଲି କହିଛନ୍ତି। ମହାକୁମ୍ଭରେ ଦିବ୍ୟ ଶକ୍ତି ଅଛି। ଶଙ୍କରାଚାର୍ଯ୍ୟଙ୍କଠୁ ଗୁରୁ ଦୀକ୍ଷା ମିଳିବା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି। କାରଣ ଗୁରୁ ଥିଲେ ଜୀବନକୁ ମାର୍ଗ ମିଳେ। ସେ ଗିନିଜ୍‌ ରେକର୍ଡ ଅଧିକାରିଣୀ। ଅନେକ ଟି-ସିରିଜ୍‌ ଗୀତରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଠିକ୍‌ ସମୟରେ ସେ ଘରକୁ ଫେରିଥିବା କହିଛନ୍ତି।

ତାଙ୍କ ମତରେ, ମହିଳାମାନେ ଛୋଟ ପୋଷାକ ପିନ୍ଧି ନୃତ କରିବାକୁ ଜନ୍ମ ହୋଇନାହାନ୍ତି । ସେମାନେ ସନାତନର ସେବା ପାଇଁ ଉତ୍ସର୍ଗୀକୃତ । ସେ କଦାପି ପୁରୁଣା ଦିଗକୁ ଯିବି ନାହିଁ ବୋଲି କହିଛନ୍ତି ଇଶିକା। ସେହିପରି ସନାତନରେ ଫ୍ୟାଶନ୍‌ର ଆବଶ୍ୟକତା ଉପରେ ମଧ୍ୟ ସେ କହିଛନ୍ତି, ଯୁବପିଢ଼ି ଯଦି ସୁନ୍ଦର ଭାବେ ଶାଢ଼ି ପିନ୍ଧିବେ, ଗେରୁଆ ରଙ୍ଗକୁ ଧାରଣ କରିବେ ତେବେ ଏହାର ପ୍ରଚାର ହେବ। ସନାତନ ଫ୍ୟାଶନେବଲ ହେବା ଉଚିତ୍‌ ଏବଂ ସତ୍ତାରେ ବି ରହିବା ଉଚିତ୍‌ ବୋଲି ଇଶିକା କହିଛନ୍ତି।

Comments are closed.