Latest Odisha News

କିଏ ଏହି ଲରେନ୍ସ ବିଷ୍ଣୋଇ, ଯାହା ଗ୍ୟାଙ୍ଗ ଆତଙ୍କ ମଚାଇଛି….

ନୂଆଦିଲ୍ଲୀ: ବାବା ସିଦ୍ଦିକୀଙ୍କ ହତ୍ୟା ପରେ କୁଖ୍ୟାତ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ ନେଇ ପୁଣି ଚର୍ଚ୍ଚା । ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ ।  ସିଦ୍ଦିକୀଙ୍କୁ ଗୁଳି କରିଥିବା ତିନି ସୁଟରଙ୍କ ମଧ୍ୟରୁ ପ୍ରଥମେ ଧରାପଡିଥିବା ଦୁଇ ସୁଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଦସ୍ୟ । ତେବେ କିଏ ସେ ଲରେନ୍ସ ବିଷ୍ଣୋଇ ? କେମିତି ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହେଲା ? କେମିତି ଚଳାଉଛି ସେ ଅପରାଧର ସାମ୍ରାଜ୍ୟ ? ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଓ ତା ଗ୍ୟାଙ୍ଗ୍ ନେଇ ଦେଶରେ ଅଧିକ ଚର୍ଚ୍ଚା ହୋଇଛି ।

ସତବିନ୍ଦର ସିଂହରୁ ଲରେନ୍ସ

ପୋଲିସ ରେକର୍ଡ ଅନୁସାରେ ଲରେନ୍ସ ବିଷ୍ଣୋଇର ଅସଲ ନାଁ ହେଉଛି ସତବିନ୍ଦର ସିଂହ । କୁହାଯାଏ ଯେ, ପିଲାବେଳେ ଅଧିକ ଗୋରା ଥିବାରୁ ପରିବାର ଲୋକେ ଗେହ୍ଲାରେ ସତବିନ୍ଦରକୁ ଲରେନ୍ସ ନାଁରେ ଡାକିବା ଆରମ୍ଭ କରିଥିଲେ । ପରେ ସତବିନ୍ଦର ଏହି ନାଁରେ ହିଁ ଅଧିକ ପରିଚିତ ହେଲା । ପଂଜାବରେ ଜନ୍ମିଥିବା ଲରେନ୍ସର ବାପା ଜଣେ ପୋଲିସ କର୍ମଚାରୀ । ବାପା ମାତ୍ର ୫ ବର୍ଷ ହିଁ ପୋଲିସ ଚାକିରି କରି କୃଷିକାର୍ଯ୍ୟ ଆରମ୍ଭ କରିଥିଲେ । ଲରେନ୍ସ ୨୦୧୧ରେ ଚଣ୍ଡିଗଡର ଡିଏଭି କଲେଜରେ ପଢୁଥିବା ବେଳେ ଛାତ୍ର ରାଜନୀତିରେ ପାଦ ରଖିଥିଲା । କଲେଜରେ ପଢୁଥିବା ବେଳେ ଗୋଲଡି ବରାଡ ସହ ଲରେନ୍ସର ପରିଚୟ ହୋଇଥିଲା । ଗୋଲଡି ବରାଡ ହେଉଛି ଲରେନ୍ସର ମୁଖ୍ୟ ସହଯୋଗୀ ଯିଏ କି ବିଦେଶରେ ରହି ଗ୍ୟାଙ୍ଗ୍ ପରିଚାଳନା କରେ । ୨୦୧୧-୧୨ରେ ପଂଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ଗଠନ କରିଥିଲା ଲରେନ୍ସ । ପଞ୍ଜାବ, ହରିୟଣା ଓ ରାଜସ୍ଥାନରେ ବସବାସ କରୁଥିବା ବିଷ୍ଣୋଇ ସଂପ୍ରଦାୟର ପ୍ରତିନିଧିତ୍ୱ କରେ ଲରେନ୍ସ । ଲରେନ୍ସ ବିଷ୍ଣୋଇ ପଂଜାବୀ ସମେତ ତିନିଟି ଭାଷାରେ ପାରଙ୍ଗମ ।

ଛାତ୍ରନେତାରୁ ‘ଏ’ କ୍ୟାଟୋଗରୀ ଗ୍ୟାଙ୍ଗଷ୍ଟର

ନିଜ ଛାତ୍ର ଜୀବନର ଶେଷ ପର୍ଯ୍ୟାୟରେ ଥିବା ବେଳେ ଲରେନ୍ସ ବିରୋଧରେ ଦାୟର ହୋଇଥିଲା ପ୍ରଥମ ଏତଲା । ଜଣେ ଛାତ୍ର ନେତାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦାୟର ହୋଇଥିଲା ଏତଲା ।୨୦୧୪ରେ ଲରେନ୍ସକୁ ରାଜସ୍ଥାନରୁ ଧରି ଭରତପୁର ଜେଲରେ ରଖିଥିଲା ପୋଲିସ । ଭରତପୁରରୁ ମୋହାଲି କୋର୍ଟକୁ ହାଜିରା ପାଇଁ ନିଆଯାଉଥିବା ବେଳେ ପୋଲିସ ହାତରୁ ଖସି ପଳାଇଥିଲା ଲରେନ୍ସ । ଦୁଇ ବର୍ଷ ପରେ ପୁଣି ପୋଲିସ ହାତରେ ଲାଗିଥିଲା ଲରେନ୍ସ । ୨୦୨୧ରେ କଠୋର ମହାରାଷ୍ଟ୍ର କଂଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ ଆକ୍ଟ ଅଧୀନସ୍ଥ ଏକ ମାମଲାରେ ଲରେନ୍ସକୁ ତିହାର ଜେଲରେ ରଖାଯାଇଥିଲା । ତିହାର ଜେଲ୍ ପୂର୍ବରୁ ପଂଜାବର ଭଟିଣ୍ଡା ଜେଲରେ ଥିଲା ଲରେନ୍ସ । ୨୦୨୨ରେ ସିଦ୍ଧୁ ମୁସେୱାଲା ମର୍ଡର କେସରେ ଜେଲରୁ ହିଁ ଗିରଫ ହୋଇଥିଲା ଲରେନ୍ସ । ମୁସେୱାଲାଙ୍କ ହତ୍ୟାକ କିଛି ଦିନ ପରେ ହିଁ ଅଭିନେତା ସଲମନ ଖାନଙ୍କୁ ମିଳିଥିଲା ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ହତ୍ୟା ଧମକ । ୨୦୨୨ରେ ହିଁ ଗୁଜରାଟ ଏଟିଏସ ଡ୍ରଗ୍ସ ତସ୍କରୀ ଅଭିଯୋଗରେ ଲରେନ୍ସ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ପାକିସ୍ତାନରୁ ଲରେନ୍ସ ଡ୍ରଗ୍ସ ମଗାଇଥିଲା ବୋଲି ଆଶଙ୍କା କରିଥିଲା ପୋଲିସ । ୨୦୨୩ ଅଗଷ୍ଟରେ ଲରେନ୍ସକୁ ହାଜତକୁ ନେଇଥିଲା ଗୁଜରାଟ ପୋଲିସ । ସେ ଏବେ ସାବରମତି ଜେଲରେ ଅଛି । ଲରେନ୍ସ ଅତି ସଂଗୀନ ଅପରାଧ ଘଟାଉଥିବାରୁ ପୋଲିସ ପାଇଁ ସେ ‘ଏ’ କ୍ୟାଟୋଗୋରୀ ଗ୍ୟାଙ୍ଗଷ୍ଟର । ହତ୍ୟା, ଡକାୟତି ଓ  ମାରପିଟ୍ ଭଳି ଅନେକ ଅଭିଯେଗ ରହିଛି । ପଂଜାବ ଦିଲ୍ଲୀ ଓ ରାଜସ୍ଥାନରେ ଲରେନ୍ସ ବିରୋଧରେ ରହିଛି ଡଜନରୁ ଅଧିକ ମାମଲା । ତା ବିରୋଧରେ ୨୨ଟି ମୋକଦ୍ଦମା ଚାଲିଛି । ୭ଟିର ଚାଲିଛି ଯାଂଚ । ଚାରିଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ଲରେନ୍ସ ।

ବିଷ୍ଣୋଇ ଗ୍ୟାଙ୍ଗରେ ୭୦୦ ସଦସ୍ୟ, ବିଦେଶରେ ବି ଆଡ୍ଡା

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବ୍ୟାପକ ସଂପ୍ରସାରଣ ହୋଇଛି । ଗ୍ୟାଙ୍ଗରେ ୭ ଶହ ସଦସ୍ୟ ରହିଛନ୍ତି । ୭୦ଟି ଦେଶରେ ସକ୍ରିୟ ରହିଛି ଗ୍ୟାଙ୍ଗ୍ । ଲରେନ୍ସ ବିଷ୍ଣୋଇ ଜେଲରେ ଥିବାରୁ କାନାଡାରୁ ପରିଚାଳିତ ହେଉଛି ଗ୍ୟାଙ୍ଗ୍ । ଲରେନ୍ସର ସହଯୋଗୀ ଗୋଲଡି ବରାଡ କାନାଡାରେ ରହି ଗ୍ୟାଙ୍ଗ୍ ଚଳାଉଥିବା କୁହାଯାଉଛି ।

 

 

 

Leave A Reply

Your email address will not be published.