ନୂଆଦିଲ୍ଲୀ: ନବରାତ୍ରିରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜା କରାଯାଇଥାଏ। ଏହି ନଅ ଦିନରେ ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ।ପଞ୍ଚମ ଦିନରେ ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପ, ମା ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦମାତାଙ୍କ ଅର୍ଥ ଭଗବାନ ସ୍କନ୍ଦ (କାର୍ତ୍ତିକେୟ)ଙ୍କ ମାତା।ସ୍କନ୍ଦମାତାଙ୍କ କୃପାରେ ଭକ୍ତ ମାନଙ୍କୁ ସୁଖ, ସମୃଦ୍ଧି, ଦିବ୍ୟ ଜ୍ଞାନ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ର ରେ ଉଲ୍ଲେଖ ଅଛି।ଯେଉଁମାନେ ସତ୍ ହୃଦୟରେ ମାତାଙ୍କ ପୂଜା କରିଥାନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହେବା ସହ ପରିବାରରେ ଶାନ୍ତି ଓ ସମୃଦ୍ଧି ଆସିଥାଏ।
ତେବେ ଶାରଦୀୟ ନବରାତ୍ରିର ପଞ୍ଚମୀ ତିଥି ଆଜି ଅର୍ଥାତ୍ ସେପ୍ଟେମ୍ବର ୨୭ ତାରିଖ ଦିନ ପଡୁଛି। ଆଜି ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତ ସକାଳ ୪:୩୬ ରୁ ୫:୨୪ ପର୍ଯ୍ୟନ୍ତ ଓ ଅଭିଜିତ ମୁହୂର୍ତ୍ତ ସକାଳ ୧୧:୪୮ ରୁ ୧୨:୩୬ ପର୍ଯ୍ୟନ୍ତ ରହିବା ନେଇ କୁହା ଯାଉଛି। ସେହିପରି ସନ୍ଧ୍ୟା ପୂଜା ମୁହୂର୍ତ୍ତ ସନ୍ଧ୍ୟା ୬:୩୦ ରୁ ସନ୍ଧ୍ୟା ୭:୪୨ ପର୍ଯ୍ୟନ୍ତ ରହିବ।ଏହି ମୁହୂର୍ତ୍ତ ମାନଙ୍କରେ ଦେବୀଙ୍କ ପୂଜା କରିବା ଦ୍ୱାରା ପୁଣ୍ୟ ମିଳିବା ସହ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।
ଶାସ୍ତ୍ରରେ ଦେବୀ ସ୍କନ୍ଦମାତାଙ୍କୁ ସିଂହ ଉପରେ ବସି ଚତୁର୍ଭୁଜ ଦେବୀ ଭାବରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ଦୁଇଟି ହାତରେ ପଦ୍ମ ଫୁଲ ଧାରଣ କରିଥାନ୍ତି ଓ ଅନ୍ୟ ଏକ ହାତରେ ଭକ୍ତମାନଙ୍କୁ ବରଦ ମୁଦ୍ରାରେ ଆଶୀର୍ବାଦ କରିଥାନ୍ତି।ଏଥିସହିତ ସେ ଭଗବାନ କାର୍ତ୍ତିକେୟଙ୍କ ବାଲ୍ୟ ରୂପ କୁ ତାଙ୍କ କୋଳରେ ଧରି ବସିଥିବାର ମଧ୍ୟ ଦେଖା ଯାଇଥାଏ।ତେବେ ଏହି ରୂପରେ ଦେବୀ କମଳ ଆସନରେ ବସିଥିବାରୁ ତାଙ୍କୁ ପଦ୍ମାସନା ଦେବୀ ମଧ୍ୟ କୁହାଯାଇଥାଏ।
ନବରାତ୍ରି ର ପଞ୍ଚମ ଦିନରେ ରେ, ଭକ୍ତମାନେ ଦେବୀଙ୍କୁ ଅତି ସୁନ୍ଦର ଭାବରେ ସଜାଇଥନ୍ତି। ପୂଜା ସମୟରେ ଦେବୀ ସ୍କନ୍ଦମାତା ଏବଂ ଶିଶୁ କାର୍ତ୍ତିକେୟଙ୍କୁ ପୂର୍ଣ୍ଣ ଭକ୍ତିରେ ପୂଜା କରାଯାଇଥାଏ।ମାତା ଦେବୀଙ୍କୁ କୁଙ୍କୁମ, ଚାଉଳ, ଫୁଲ, ଚନ୍ଦନ ଲେପ ଏବଂ ଫଳ ଅର୍ପଣ କରାଯାଇଥାଏ।ଏହା ସହିତ ଘିଅ ର ଦୀପ ଜାଳି ପ୍ରାର୍ଥନା କରାଯାଇଥାଏ।ଏଥିସହିତ ଦେବୀ ମାତାଙ୍କୁ ପ୍ରସାଦ ରୂପରେ କଦଳୀ ଅର୍ପଣ କରାଯାଇଥାଏ ଓ ବିଶ୍ୱାସ କରାଯାଏ ଯେ ବ୍ରାହ୍ମଣଙ୍କୁ କଦଳୀ ଦାନ କରିବା ଦ୍ୱାରା ଜ୍ଞାନ ବୃଦ୍ଧି ହୁଏ ଏବଂ ଜୀବନରେ ପ୍ରଗତି ହେବା ସହ ଏହା ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି କୁ ମଧ୍ୟ ଆଣିଥାଏ।
Comments are closed.