ନୂଆଦିଲ୍ଲୀ: ପାକିସ୍ତାନର ବଲୁଚସ୍ତାନରେ ଲମ୍ବା ସମୟ ଧରି ଅଶାନ୍ତି ଲାଗି ରହିଛି । ପାକ୍ ସରକାର ବିରୋଧରେ ବର୍ଷ ବର୍ଷ ଧରି ବଲୁଚିସ୍ତାନରେ ବିରୋଧର ସ୍ବର ଉଠିଛି । ନିକଟରେ ଟ୍ରେନ୍ ଅପହରଣ ସହ ପାକ୍ ସେନା ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ବଲୁଚ ଲିବରେସନ୍ ଆର୍ମି । ଗୋଟେପଟେ ବିଏଲଏ ପାକିସ୍ତାନ ସରକାର ବିରୋଧରେ ସଶସ୍ତ୍ର ଆକ୍ରମଣ କରୁଥିବା ବେଳେ ଗାନ୍ଧୀଙ୍କ ନୀତିରେ ବିରୋଧ ପ୍ରଦର୍ଶନ କରୁଛନ୍ତି ୩୨ବର୍ଷୀୟ ମହରଙ୍ଗ ବଲୋଚ । ବଲୁଚିସ୍ତାନର ଜନତାଙ୍କ ହକ୍ ପାଇଁ ଦୀର୍ଘ ଦିନ ହେଲା ଅହିଂସା ଆନ୍ଦୋଳନ କରୁଛନ୍ତି ମହରଙ୍ଗ ।
ମହରଙ୍ଗ ବଲୁଚ କିଏ?
ବଲୁଚ ଏକଜହତି କମିଟିର ନେତ୍ରୀ ହେଉଛନ୍ତି ଡକ୍ଟର ମହରଙ୍ଗ ବଲୁଚ । ପାକିସ୍ତାନ ସରକାର ବିରୋଧରେ ସେ ଅହିଂସା ମାର୍ଗରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ପାକିସ୍ତାନ ସେନା ଉପରେ ବଲୁଚିସ୍ତାନ ଲୋକଙ୍କୁ ଅପହରଣ, ନିର୍ଯାତନା ତଥା ହତ୍ୟା ଅଭିଯୋଗ ଲଗାଯାଉଛି । ୨୦୦୬ରୁ ବଲୁଚ ଲୋକଙ୍କ ଅପହରଣ ବିରୋଧରେ ଲଢୁଛନ୍ତି ମହରଙ୍ଗ । କେବେବି ସେ ହିଂସାକୁ ମାଧ୍ୟମ କରିନାହାନ୍ତି । ସବୁବେଳେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସହ ଦାବି ରଖିଛନ୍ତି ମହରଙ୍ଗ ବଲୁଚ । ତାଙ୍କ ଭାଷଣରେ ପିଲାଙ୍କଠାରୁ ବୟସ୍କ, ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଆନ୍ଦୋଳନରେ ସାମିଲ ହେଉଛନ୍ତି ।
ବାପାଙ୍କୁ ଅପହରଣ ପରେ ହତ୍ୟା !
ପେଶାରେ ଡାକ୍ତର ମହରଙ୍ଗ ବଲୁଚ ଏବେ ମାନବାଧିକାର କର୍ମୀ ଭାବେ କାମ କରୁଛନ୍ତି । ମହରଙ୍ଗଙ୍କ ବାପା ଜଣେ ରାଜନୈତିକ କର୍ମକର୍ତ୍ତା ଥିଲେ। ୨୦୦୯ରେ ତାଙ୍କୁ ଅପହରଣ କରାଯାଇଥିଲା । ଦୁଇ ବର୍ଷ ପରେ ତାଙ୍କ ମୃତଦେହ ମିଳିଥିଲା । ୨୦୧୭ରେ ମହରଙ୍ଗଙ୍କ ଭାଇଙ୍କୁ ଅପହରଣ କରାଯାଇଥିଲା, ତେବେ ସେ ୨୦୧୮ରେ ଫେରି ଆସିଥିଲେ । କେବଳ ମହରଙ୍ଗଙ୍କ ପରିବାର ନୁହେଁ ପୂରା ବଲୁଚିସ୍ତାନରେ ଏଭଳି ଅନେକ ଅପହରଣ ମାମଲା ସାମନାକୁ ଆସିଛି । ଏହା ବିରୋଧରେ ସଂଗଠିତ ଭାବେ ଲଢେଇ ପାଇଁ ୨୦୧୯ରେ ବଲୁଚ ଏକଜହତି କମିଟି ଗଠନ କରିଥିଲେ ମହରଙ୍ଗ । ଗତବର୍ଷ ପାକିସ୍ତାନ ସରକାର ବିରୋଧରେ ଲଢେଇକୁ ଆହୁରି ତିବ୍ର କରିଥିଲେ ମହରଙ୍ଗ ।
ଭୟରେ କଟିଥିଲା ପିଲାଦିନ
ଅଶାନ୍ତ ବଲୁଚିସ୍ତାନରେ କଟିଥିଲା ମହରଙ୍ଗଙ୍କ ପିଲାଦିନ । ତାଙ୍କୁ ସେତେବେଳେ ବହୁତ ଭୟ ଲାଗୁଥିଲା । ଶବ ଦେଖିଲେ ସେ ଡରୁଥିଲେ ଏପରିକି ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ବି ସେ ଭୟ କରୁଥିଲେ । ହେଲେ ଯେତେବେଳେ ୨୦୧୧ରେ ବାପାଙ୍କ କ୍ଷତବିକ୍ଷତ ମୃତଦେହକୁ ଚିହ୍ନଟ କରିବାକୁ ପଡିଲା, ପିଲାଦିନର ସେ ଡର ସବୁଦିନ ପାଇଁ ଛାଡି ଚାଲିଯାଇଥିଲା । ଗତ ୧୫ବର୍ଷ ଭିତରେ ଅନେକ ବଲୁଚ ଲୋକଙ୍କ ମୃତଦେହ ଦେଖିଛନ୍ତି ମହରଙ୍ଗ । ଏହାପରେ ମୃତ୍ୟୁକୁ ତାଙ୍କର ଆଉ ଭୟ ନଥିବା ମହରଙ୍ଗ ବଲୁଚ କହିଛନ୍ତି ।
ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ପାକିସ୍ତାନର ସବୁଠୁ ରକ୍ଷଣଶୀଳ କ୍ଷେତ୍ର କୁହାଯାଉଥିବା ବଲୁଚିସ୍ତାନରେ ମହିଳାଙ୍କୁ ସେଭଳି ଅଧିକାର ମିଳିନଥାଏ । ଏହାପରେ ବି ନିଜ ପାଇଁ ଲଢିବା ସହ ଅନ୍ୟ ମହିଳାଙ୍କୁ ଲଢେଇରେ ସାମିଲ ହେବାକୁ ପ୍ରୋତ୍ସାହିତ କରୁଛନ୍ତି ମହରଙ୍ଗ । ଏବେ ତାଙ୍କ ସହ କିଶୋରୀ, ଯୁବତୀଙ୍କଠାରୁ ଆରମ୍ଭ କରି ବୟସ୍କ ମହିଳା ବି ଯୋଗ ଦେଉଛନ୍ତି । ବଲୁଚ ଲୋକ ସାମନା କରୁଥିବା ସମସ୍ୟା ନେଇ ତୃଣମୂଳସ୍ତରରେ ବୈଠକ କରି ଲୋକଙ୍କୁ ବୁଝାଉଛନ୍ତି ମହରଙ୍ଗ । ଅହିଂସା ବାଟରେ ମହରଙ୍ଗଙ୍କ ଆନ୍ଦୋଳନକୁ ସବୁଠି ପ୍ରଶଂସା ମିଳୁଛି । ମହରଙ୍ଗ ବଲୁଚଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ୩୩୮ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି । ମହରଙ୍ଗଙ୍କ ମତରେ ୨୦୦୩ରୁ ୨୦୨୪ମଧ୍ୟରେ ୫୦ହଜାର ବଲୁଚ ଲୋକଙ୍କୁ ଅପହରଣ କରାଯାଇଥିବା ବେଳେ ୨୫ହଜାର ଲୋକଙ୍କୁ ହତ୍ୟା କରାଯାଇଛି । ଲଗାତର ବଲୁଚସ୍ତାନର ଲୋକଙ୍କୁ ଅପହରଣ ଓ ହତ୍ୟା କରାଯାଉଥିବା ବେଳେ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଲଢେଇ ଜାରି ରହିଛନ୍ତି ମହରଙ୍ଗ ବଲୁଚ ।