Latest Odisha News

BREAKING NEWS

ପୁରୀ ଐତିହ୍ୟ ପ୍ରକଳ୍ପ: ଅପରାଜିତା ଷଡ଼ଙ୍ଗୀଙ୍କୁ ଦୂରେଇ ଦେଉଛି କି ବିଜେପି ?

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବିଜେପିରେ ଫାଟ । ଗୋଟିଏ ପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ୟପଟେ ଦଳର ବାକି ନେତା । ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବୁଧବାର ପୁରୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡଦାଣ୍ଡରେ ଏକ ପଦଯାତ୍ରା କରିବାକୁ ଆୟୋଜନ କରିଥିଲେ । ଯଦିଓ ଏହି ପଦଯାତ୍ରାକୁ ପ୍ରଶାସନ ଅନୁମତି ନଦେବାରୁ ସ୍ଥଗିତ ରହିଛି । ହେଲେ ଅପରାଜିତା ନିଜ ସମର୍ଥକଙ୍କ ସହ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

BjdElectrycity

ଅପରାଜିତା ନିଜ ସମର୍ଥକଙ୍କ ସହ ପୁରୀ ଯିବା ବେଳେ ଚନ୍ଦନପୁରରେ ପ୍ରଶାସନ ତାଙ୍କୁ ଅଟକାଇଥିଲା। ଅପରାଜିତା ଏକା ଯାଇପାରିବେ ହେଲେ ସମର୍ଥକଙ୍କୁ ନେଇ ଯାଇପାରିବେନି ବୋଲି ପୁରୀ ପୁଲିସ କହିଥିଲା। ଅପରାଜିତା କିନ୍ତୁ ଯିବେ ବୋଲି ଜିଦରେ ଅଟଳ ରହିଥିଲେ। ପରେ କାର ଛାଡି ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଥିଲେ। ଶେଷରେ ପ୍ରଶାସନ ବାଧ୍ୟ ହୋଇ ପଛକୁ ହାଟିଥିଲା ଏବଂ ଅପରାଜିତଙ୍କ କାରକୁ ଆଗକୁ ବଢିବାକୁ ସୁଯୋଗ ଦେଇଥିଲା।

କିନ୍ତୁ ଇତି ମଧ୍ୟରେ ଭୁବନେଶ୍ୱରରେ ଦଳୀୟ ଅଫିସରେ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ପ୍ରେସମିଟ୍ କରିଥିଲେ। ଚନ୍ଦନପୁରରେ ଅପରାଜିତାଙ୍କୁ ପ୍ରଶାସନ ଅନୁମତି ନଦେବା ନେଇ ଜବାବ ରଖିବା ବଦଳରେ ସେ କହିଥିଲେ ଦଳ କୌଣସି ରାଲିକୁ ସମର୍ଥନ କରୁନି । ଦଳ ଐତିହ୍ୟ ପ୍ରକଳ୍ପକୁ ମଧ୍ୟ ବିରୋଧ କରିନି । ଏଏସଆଇର ଅନୁମତି ନନେଇ ହୋଇଥିବାରୁ ବିଜେପି ବିରୋଧ କରୁଛି ବୋଲି କହିଥିଲେ। କିନ୍ତୁ ହଠାତ୍ ବିଜେପି ଏପରି ଏକ ପ୍ରେସମିଟ୍ କରିବାର କାହିଁକି ଆବଶ୍ୟକତା ଥିଲା ? ସୁରଥ ରାଲି ବାବଦରେ କହିବା ବେଳେ ସାଂସଦ କିମ୍ବା ଅପରାଜିତାଙ୍କ ନାଁ ନନେଇ କେବଳ ଗୋଟିଏ ଧାଡିରେ କହିଥିଲେ ଦଳ ସମର୍ଥନ କରୁନି କୌଣସି ରାଲିକୁ ।

ଅନ୍ୟପଟେ କିଛି ଦିନ ପୂର୍ବରୁ ସେଭ୍ ଜଗନ୍ନାଥ ନାଁରେ ଏକ ଅଭିଯାନ ସୋଶିଆଲ ମିଡିଆରେ ଆରମ୍ଭ ହୋଇଥିଲା। ଏହି ସମୟରେ ବିଜେପିର ତୁଙ୍ଗ ନେତା ମାନେ ପ୍ଲାକାର୍ଡ ଧରି ସେଭ୍ ଜଗନ୍ନାଥ ଅଭିଯାନକୁ ଆଗେଇ ନେଇଥିଲେ। ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଏପରି କରି ବିଜେପି ଯଦି ଅଭିଯାନକୁ ଆଗକୁ ନେଉଛି ତାହେଲେ ଅପରାଜିତାଙ୍କ ପଦଯାତ୍ରାକୁ ସମର୍ଥନ କାହିଁକି କଲାନି ? ଅପରାଜିତାଙ୍କ ପଦଯାତ୍ରା ବି ତ ବିନା ଏଏସଆଇ ଅନୁମତିରେ ମନ୍ଦିର କାର୍ଯ୍ୟ ହୋଇଥିବାକୁ ନେଇ ଥିଲା । ଅନ୍ୟପଟେ ସେଭ ଜଗନ୍ନାଥ ଅଭିଯାନ ବେଳେ ଅପରାଜିତା ମଧ୍ୟ କାହିଁକି ନିରବ ରହିଥିଲେ ?

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳର ପ୍ରଭାବଶାଳୀ ବ୍ୟକ୍ତି ଏବେ ଦିଲ୍ଲୀ ରାଜନୀତି ପାଇଁ ରାଜ୍ୟରେ ଶାସକ ଦଳ ବିରୋଧରେ ମୌନ ରହୁଛନ୍ତି । ଅନ୍ୟପଟେ ରାଜ୍ୟରେ ବିରୋଧୀ ଶୂନ୍ୟ ଭଳି ରାଜନୀତି ପରିସ୍ଥିତି ଉପୁଜିଥିବା ବେଳେ ସାଂସଦ ଅପରାଜିତା ବିରୋଧୀ ଦଳର ପ୍ରମୁଖ ଚେହେରା ହୋଇ ନିଜର ପତିଆରା ବଢାଇବାକୁ ଚାହିଁଛନ୍ତି । ଯାହାକୁ ଦଳ ଭିତରୁ ଗୋଟିଏ ବଡ ଗୋଷ୍ଠୀ ସମର୍ଥନ କରୁନାହାନ୍ତି । ହେଲେ ପୁରୀ ଐତିହ୍ୟ କରିଡର ପ୍ରସଙ୍ଗଟି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଂସଦରେ ଏକଥାକୁ ଉଠାଇ ଅପରାଜିତା ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏବେ ଅପରାଜିତା ଏହି ପ୍ରସଙ୍ଗର ଶ୍ରେୟ ଏବଂ ବିଫଳତାକୁ ନିଜ କାନ୍ଧରେ ନେବାକୁ ଚାହୁଁଛନ୍ତି । ଯାହାକୁ ଦଳ ସମର୍ଥନ କରୁନଥିବା ଜଣାପଡିଛି । ଅନ୍ୟପଟେ ସାଂସଦ ଅପରାଜିତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଲିଙ୍କ ଥିବାରୁ ଦଳର ଅପରପକ୍ଷ ଗୋଷ୍ଠୀ ଖୋଲିକରି କିଛି କହିବାକୁ ସାହାସ ମଧ୍ୟ କରିପାରୁନି।

Leave A Reply

Your email address will not be published.