Latest Odisha News

BREAKING NEWS

ପ୍ରେମ ପାଇଁ ୪ ପିଲାଙ୍କ ସହ ଦେଶ ଛାଡିଲେ, ଧର୍ମ ଛାଡିଲେ ସୀମା ହାଇଦର…ହେଲେ ଏବେ ପଛରେ ପଡ଼ିଛି ପୋଲିସ

ନୂଆଦିଲ୍ଲୀ: ଏବେ ଜାତୀୟ ରାଜନୀତିର ଚିନ୍ତା ଆଉ ଚର୍ଚ୍ଚାର ବିଷୟ ହୋଇଛି ସୀମା ହାଇଦର । ସୀମା ହାଇଦର ପଛରେ ଲାଗି ଯାଇଛନ୍ତି ସୁରକ୍ଷା ଏଜେନନ୍ସି, ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ ଏବଂ ସ୍ଥାନୀୟ ପୋଲିସ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ସୀମା ହାଇଦର ବିନା ପାସପୋର୍ଟରେ ପାକିସ୍ତାନରୁ ଭାରତ ଆସିଲା କେମିତି ? ଚାରି ଚାରିଟି ଛୁଆଙ୍କୁ ଧରି ସମସ୍ତଙ୍କ ଆଖିରେ ଧୂଳି ଦେଇ ଏମିତି ଆସିବା ସମ୍ଭବ କି ?

ହୁଏତ ଏହାକୁ ଆପଣ ଏକ ଲଭ ଷ୍ଟୋରି କହିପାରିବେ । କିନ୍ତୁ ଏହି ପ୍ରେମ କାହାଣୀ ପଛରେ ପ୍ରକୃତରେ ପ୍ରେମ ଅଛି ନା କିଛି ଷଡଯନ୍ତ୍ର ତାହା ଜାଣିବା ପାଇଁ ପଛରେ ପଡିଛନ୍ତି ପୁରା ସୁରକ୍ଷା ବିଭାଗ । ପାକିସ୍ତାନରୁ ଭାରତ ଆସି ନିଜ ପ୍ରେମିକ ସଚିନଙ୍କୁ ପାଇ ଖୁବ ଖୁସି ସୀମା । ସୀମା ହାଇଦରରୁ ସେ ଏବେ ସୀମା ଠାକୁର ହୋଇ ଯାଇଛି । ହିନ୍ଦୁ ଧର୍ମ ଗ୍ରହଣ କରି ନେଇଛି । ଏପରିକି ତାର ଚାରି ଚାରିଜଣ ସନ୍ତାନ ବି ହିନ୍ଦୁ ଧର୍ମ ଗ୍ରହଣ କରି ନେଇଛନ୍ତି।

ସୀମା ସାମ୍ବାଦିକମାନଙ୍କୁ କହିଛି, ‘ଏବେ ମୁଁ ଠାକୁର ହୋଇ ଯାଇଛି । ମୋର ନାମ ସୀମା ସଚିନ ଠାକୁର । ପବଜୀ ଆମ ପ୍ରେମରେ ଲବଜୀ ହୋଇ ଆସିଥିଲା । କାରଣ ପବଜୀ ପାଇଁ ମୁଁ ସଚିନଙ୍କ ପରି ଜଣେ ପ୍ରେମ କରୁଥିବା ସ୍ୱାମୀ ପାଇଛି  । ନ ହେଲେ ପାକିସ୍ତାନରେ ମୋର ସ୍ୱାମୀ ଗୁଲମ ମୋର ଜୀବନକୁ ନର୍କ କରି ଦେଇଥିଲେ ।’

ସେ ଆହୁରି କହିଛନ୍ତି, ‘  ମଥାରେ ସିନ୍ଦୂର ଲଗାଇବି । କପାଳରେ ବିନ୍ଦ ଲଗାଇବି । ମଙ୍ଗଳସୂତ୍ର ବି ପିନ୍ଧିବି । ଏସବୁ  ପିନ୍ଧିବାକୁ ଖୁବ ଭଲ ଲାଗୁଛି । ସଚିନଙ୍କ ପାଇଁ ଏସବୁ କରିବା ଲାଗି ଖୁବ ଖୁସି ଲାଗୁଛି ।’

ଅନ୍ୟପଟେ ସୀମାଙ୍କ ପୂର୍ବତନ ପାକିସ୍ତାନୀ ସ୍ୱାମୀ ତାଙ୍କର ୪ ଛୁଆଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି ।

ସୂଚନାଥାଉ କି, ପବଜି ଖେଳରୁ ସଚିନଙ୍କ ସହ ସୀମାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ଏହା ପ୍ରେମ ରୂପ ନେଇଥିଲା । ସୀମା ବିବାହିତା ଥିଲେ ଏବଂ ୪ଟି ସନ୍ତାନର ମା’ ବି ଥିଲେ । ଶେଷରେ ପାକିସ୍ତାନରୁ ନିଜ ୪ ପିଲାଙ୍କୁ ଧରି ସେ ଭାରତ ଚାଲି ଆସିଥିଲେ । ଏବେ ତାଙ୍କୁ ଭେଟିବା ପାଇଁ ଅନେକ ଲୋକ ଯାଉଛନ୍ତି । ସଚିନ ଓ ସୀମା ବି ସେମାନଙ୍କୁ ସାକ୍ଷାତ କରୁଛନ୍ତି । ତେବେ ତାଙ୍କୁ ନେଇ ଏବେ ବିବାଦ ବି ଦେଖା ଦେଇଛି । ସେ ବିନା ପାସପୋର୍ଟ ଓ ଭିସାରେ କିପରି ଭାରତ ଆସିଲେ ସେ ନେଇ ବି ପ୍ରଶ୍ନ ଉଠିଛି । କେତେକ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବା ନେଇ ମଧ୍ୟ ଦାବି କରିଛନ୍ତି । ହେଲେ ସୀମା ଏଠାରେ ମରିବି ପଛେ, ପାକିସ୍ତାନ ଯିବି ନାହିଁ ବୋଲି କହିଛନ୍ତି ।

ସେ କହିଛନ୍ତି, ମୁଁ ଯଦି ପାକିସ୍ତାନ ଫେରିଯାଏ ତେବେ ସେଠାରେ ମୋର ଗୋଟି ଗୋଟି କରି ଦୁଇହାତ ଓ ଦୁଇ ଗୋଡ କାଟିନେବ । ତା’ ପରେ ମୋତେ ମାରିଦେବେ । ପାକିସ୍ତାନରେ ମୋର ମୃତ୍ୟୁ ସୁନିଶ୍ଚିତ ମୁଁ ଜାଣେ । ହେଲେ ସେଠାରେ ଶାନ୍ତିରେ ମରିବାକୁ ଦେବେନି । ତେଣୁ ସେ ଭାରତରେ ସବୁଦିନ ପାଇଁ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପାକିସ୍ତାନରେ ମରିବା ଅପେକ୍ଷା ଭାରତରେ ମରିବାକୁସେ ଅଧିକ ପସନ୍ଦ କରିଛନ୍ତି ।

ସୀମାଙ୍କ କହିବା ଅନୁଯାୟୀ, ସୀମା ପାକିସ୍ତାନର ଗୁଲାମ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ୨୦୧୯ରେ ଗୁଲାମ ଚାକିରି ପାଇଁ ସଉଦୀ ଆରବ ଚାଲି ଯାଇଥିଲେ । ତା’ ପରେ ସେ କେବେ ପାକିସ୍ତାନ ଫେରି ନାହାନ୍ତି । ୨୦୨୦ରେ ପବଜୀ ଖେଳୁ ଖେଳୁ ସଚିନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଗତ ମାର୍ଚ୍ଚ ୧୦ ତାରିଖରେ ଉଭୟଙ୍କର ନେପାଳରେ ଦେଖାସାକ୍ଷାତ ହୋଇଥିଲା । ସେହି ସମୟରେ ସେମାନେ ମନ୍ଦିରରେ ବିବାହ କରିଥିବା ସୀମା ଦାବି କରିଛନ୍ତି । ତେବେ ବିବାହ ପରେ ସେମାନେ ନିଜ ନିଜ ଦେଶକୁ ଫେରି ଯାଇଥିଲେ ।   ସଚିନ କହିଥିଲେ ଯେ, ସେ ସୀମାଙ୍କ ସହ ରହିବାକୁ ଚାହୁଁଛନ୍ତି  ଓ ସଚିନ ଚାରି ସନ୍ତାନଙ୍କ ସହ ତାଙ୍କୁ  ନିଜର କରି ରଖିବାକୁ ରାଜି ଅଛନ୍ତି ।  ସଚିନଙ୍କଠାରୁ ଏପରି ପ୍ରତିଶୟୁତି  ପାଇବା ପରେ ସୀମା ପିଲାଙ୍କ ସହ ପାକିସ୍ତାନ ଛାଡି ଚାଲି ଆସିଥିଲେ ।  ସେ ମେ’ ୧୦ ତାରିଖ ଦିନ ଚାରି ପିଲାଙ୍କ ସହ ପାକିସ୍ତାନର କରାଚିରୁ ବାହାରି ଶାରଜାହ ପହଞ୍ଚିଥିଲେ । ସେଠାରୁ ଫ୍ଲାଇଟରେ କାଠମାଣ୍ଡୁ ଆସିଥିଲେ । କାଠମାଣ୍ଡୁରୁ ପୋଖରା ଏକ ଘରୋଇ ଗାଡିରେ ଆସିଥିଲେ ।

ଏହାପରେ ସେ ପୋଖରାରୁ ଦିଲ୍ଲୀ ଯିବା ପାଇଁ ବସ ଧରିଥିଲେ । ରାସ୍ତାରେ ହିଁ ସଚିନ ତାଙ୍କୁ ଅପେକ୍ଷା କରିଥିଲେ । ମେ’ ୧୩ ତାରିଖରେ ସୀମା ନୋଏଡାରେ ପହଞ୍ଚିଥିଲେ । ସଚିନ ତାଙ୍କୁ ନବପୁରା  ନେଇ ସେଠାରେ ଏକ ଭଡା ଘରେ ରଖିଥିଲା  । ସେଠାରେ ସେ ଭଲରେ ଥିଲେ । ହେଲେ ଏହି ଖବର ପୋଲିସ ପାଖରେ ପହଞ୍ଚିଥିଲା । ଜୁଲାଇ ୪ ତାରିଖରେ ପୋଲିସ ସୀମା ଏବଂ ସଚିନ ଉଭୟଙ୍କୁ ଗିରଫ କରିଥିଲା । ତେବେ ଉଭୟ କୋର୍ଟରୁ ଜାମିନରେ ଆସିଛନ୍ତି ।  ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠା ଚାଲିଛି ।

ତେବେ ତାଙ୍କୁ ପାକିସ୍ତାନ ନ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ସୀମାଙ୍କ ପ୍ରଥମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି, ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ପାକିସ୍ତାନ ପଠାଇ ଦିଅନ୍ତୁ । ହେଲେ ସୀମା କହିଛନ୍ତି, ୪ ବର୍ଷ ହେଲା ତାଙ୍କ ସହ କିଛି ସମ୍ପର୍କ ନାହିଁ । ବିବାହ ପରଠାରୁ ସେ ତାଙ୍କୁ ମାରପିଟ କରୁଥିଲେ । ଅନେକ ଥର ତାଙ୍କୁ ମାଡ ମାରିବା ପରେ ଲଙ୍କା ଗୁଣ୍ଡ ପକାଇ ଦେଇଛନ୍ତି । ସେ ତାଙ୍କ ସହ ରହିବାକୁ ଆଦୌ ଚାହାନ୍ତି ନାହିଁ ।’

 

Leave A Reply

Your email address will not be published.