କୋଲକାତା: ପୁନେର ଜଣେ ୨୨ ବର୍ଷୀୟା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ କୋଲକାତା ପୋଲିସ ଶୁକ୍ରବାର ଗୁରୁଗ୍ରାମରୁ ଗିରଫ କରିଛି । ଯାହାକୁ ନେଇ ଏବେ ଏବେ ଉଠୁଛି ପଡୁଛି ପୂରା ପଶ୍ଚିମବଙ୍ଗ । ତେବେ ଅଭିଯୋଗ ହୋଇଛି ସୋସିଆଲ ମିଡିଆ ପୋଷ୍ଟରେ ଧର୍ମ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଛନ୍ତି ଶର୍ମିଷ୍ଠା । ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ତାଙ୍କର ଭିଡିଓଟି ଏକ ଧାର୍ମିକ ସମ୍ପ୍ରଦାୟ ଏବଂ ପୟଗମ୍ବର ମହମ୍ମଦଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଶର୍ମିଷ୍ଠାଙ୍କୁ ହେପାଜତକୁ ନେଇଛି ପୋଲିସ୍ । ତେବେ ପ୍ରଶ୍ନ ଉଠୁଛି କିଏ ଏହି ଶର୍ମିଷ୍ଠା ପାନୋଲି? କାହିଁକି ତାଙ୍କୁ ଗିରଫ ଗଲା ପୋଲିସ୍? ଇଣ୍ଟରନେଟରେ ତ ପ୍ରତିଦିନ ଏମିତି ମନ୍ତବ୍ୟ ଭାଇରାଲ ହେଉଛି? ହେଲେ ୨୨ ବର୍ଷୀୟ ଶର୍ମିଷ୍ଠାଙ୍କ ପ୍ରତି ଏତେ କଠୋର ହେଲା କାହିଁକି କୋଲକାତା ପୋଲିସ୍ ?
ଶର୍ମିଷ୍ଠା ପାନୋଲି ପୁନେ ଆଇନ ବିଶ୍ୱବିଦ୍ୟାଳୟର ଜଣେ ଆଇନ ଛାତ୍ରୀ ଏବଂ ଜଣେ ଇନଷ୍ଟାଗ୍ରାମ ପ୍ରଭାବଶାଳୀ ବ୍ୟକ୍ତି ଯାହାଙ୍କ ଫଲୋଅର୍ସ ସଂଖ୍ୟା ବି ବେଶ୍ ରହିଛି । ସେ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିବା ପାଇଁ ବେଶ୍ ଜଣାଶୁଣା । ଗତ ୧୪ ମେରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ମତ ଉପରେ ପ୍ରଶ୍ନ ଉଠାଇଥିବା ଜଣେ ପାକିସ୍ତାନୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପ୍ରତିକ୍ରିୟାରେ ଏକ ଭିଡିଓ ପୋଷ୍ଟ କରିଥିଲେ। କ୍ଲିପରେ, ସେ ଆକ୍ରମଣ ପରେ ଏକ ପ୍ରମୁଖ ସାମରିକ ପ୍ରତିକ୍ରିୟା ରଖିଥିଲେ, ଯେଉଁଥିରେ ଅପରେସନ ସିନ୍ଦୂର ଉପରେ ନୀରବ ରହିବା ପାଇଁ ବଲିଉଡ ସେଲିବ୍ରିଟିମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ ଶର୍ମିଷ୍ଠା । ଆଉ ପରେ ରାଜନୈତିକ ପ୍ରତିକ୍ରିୟା ପାଇଁ ଉଦ୍ଦିଷ୍ଟ ପାନୋଲିଙ୍କ ଭିଡିଓଟି ଶୀଘ୍ର ବିବାଦରେ ପରିଣତ ହେଲା। ବିଶେଷକରି ଭାରତ ଏବଂ ବିଦେଶର ମୁସଲିମ ସମ୍ପ୍ରଦାୟର ଅନେକ ଦର୍ଶକ, ଉକ୍ତ ଭିଡିଓଟିକୁ, ଇସଲାମ ଏବଂ ପୟଗମ୍ବର ମହମ୍ମଦଙ୍କ ସହ ଯୋଡି ତାଙ୍କ ବିଷୟରେ ଶର୍ମିଷ୍ଠା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଦାବି କରିଥିଲେ । ପରେ ଆରେଷ୍ଟ ଶର୍ମିଷ୍ଠା ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିବା ଆରମ୍ଭ କଲା, ଏବଂ ତାଙ୍କୁ ବଳାତ୍କାର ଏବଂ ମୃତ୍ୟୁ ଧମକ ମିଳିଥିବା ରିପୋର୍ଟ ବି ହୋଇଛି। ହେଲେ ମାମଲା ତେଜିବା ପରେ ପୋଷ୍ଟ ଡିଲିଟ୍ କରିବା ଏବଂ ତା ପରଦିନ କ୍ଷମା ପ୍ରାର୍ଥନା କରିଥିଲେ ଶର୍ମିଷ୍ଠା । ତଥାପି ଏହା ସତ୍ତ୍ୱେ ବି ତାଙ୍କୁ ଏବେ କୋଲକାତା ପୋଲିସ୍ ଉଠାଇ ନେଇଛି । ଏଥିସହିତ ଆଲିପୁର କୋର୍ଟ ତାଙ୍କୁ ଆସନ୍ତା ଜୁନ୍ ୧୩ ଯାଏଁ ଜୁଡିସିଆଲ କଷ୍ଟେଡିରେ ରହିବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କୋଲକାତା ପୋଲିସ ଦ୍ୱାରା ସୋସିଆଲ ମିଡିଆ ପ୍ରଭାବଶାଳୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯିବା ପରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ବଙ୍ଗଳା ସରକାରଙ୍କ ଉପରେ କଡା ଆକ୍ରମଣ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି। ଏହା ସହିତ, ସେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ ଏକ ବର୍ଗକୁ ଖୁସି କରିବାର ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ।
ବିଜେପି ନେତା ପବନ କଲ୍ୟାଣ ଏହି ଗିରଫଦାରୀକୁ ଭୁଲ ବୋଲି କହି ମମତାଙ୍କୁ ପ୍ରଶ୍ନ କରିଛନ୍ତି । ଯେତେବେଳେ ନିର୍ବାଚିତ ନେତା, ଟିଏମସିର ସାଂସଦମାନେ ସନାତନ ଧର୍ମର ମଜା କରନ୍ତି, ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ଗଭୀର, ତୀକ୍ଷ୍ଣ ଯନ୍ତ୍ରଣା ବିଷୟରେ କ’ଣ? ଯେତେବେଳେ ଆମ ଧର୍ମକୁ ‘ମଇଳା ଧର୍ମ’ କୁହାଯାଏ ସେତେବେଳେ କ୍ରୋଧ କେଉଁଠି? ତାଙ୍କର କ୍ଷମା ପ୍ରାର୍ଥନା କେଉଁଠି? ତାଙ୍କର ଶୀଘ୍ର ଗିରଫଦାରୀ କେଉଁଠି? ବୋଲି କହି ମମତା ସରକାରଙ୍କୁ ପ୍ରଶ୍ନର କାଠଗଡାକୁ ଟାଣିଛନ୍ତି । କଲ୍ୟାଣ କହିଛନ୍ତି ଯେ ଧର୍ମନିନ୍ଦାକୁ ସବୁବେଳେ ନିନ୍ଦା କରାଯିବା ଉଚିତ! ଧର୍ମନିରପେକ୍ଷତା କାହା ପାଇଁ ଢାଲ ଏବଂ ଅନ୍ୟମାନଙ୍କ ପାଇଁ ଖଣ୍ଡା ନୁହେଁ। ଏହା ଦୁଇ ପାର୍ଶ୍ୱ ରାସ୍ତା ହେବା ଉଚିତ। ପଶ୍ଚିମବଙ୍ଗ ପୋଲିସ, ଦେଶ ଦେଖୁଛି। ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ କାର୍ଯ୍ୟ କର। ମୁଁ ଶର୍ମିଷ୍ଠାଙ୍କ ସହିତ ଠିଆ ହୋଇଛି ବୋଲି ଲେଖିଛନ୍ତି ପବନ ।
ସେହିପରି ଏଲଓପି ଣୁଭେନ୍ଦୁ ଅଧିକାରୀ ବି ମମତାଙ୍କ ଉପରେ ବର୍ଷିଛନ୍ତି, ମମତାଙ୍କୁ ତାଙ୍କ ପୁରୁଣା ଘଟଣା ମନେପକାଇ ଦେିଛନ୍ତି । ସେ କହିଛନ୍ତି ଯେ ମମତା ବାନାର୍ଜୀ ‘ମହାକୁମ୍ଭ ମୃତ୍ୟୁକୁମ୍ଭ’ ବୋଲି କହିଥିଲେ, ଜୟ ଶ୍ରୀ ରାମ ତାଙ୍କ ପାଇଁ ଏକ ଅପମାନଜନକ ଶବ୍ଦ। ଏହା ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯେତେବେଳେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ର ଦେବୀ କାଳୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ତାଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇନଥିଲା। ଫିରହାଦ ହାକିମ କହିଛନ୍ତି ଯେ ଯେଉଁମାନେ ଇସଲାମରେ ଜନ୍ମ ହୋଇନାହାଁନ୍ତି ସେମାନେ ଦୁର୍ଭାଗ୍ୟବାନ। ଆମକୁ ସେମାନଙ୍କୁ ଇସଲାମର ପରିସରକୁ ଆଣିବାକୁ ପଡିବ ଏବଂ ଦାୱତ-ଏ-ଇସଲାମକୁ ସମର୍ଥନ କରି ଅଣ-ମୁସଲିମମାନଙ୍କ ମଧ୍ୟରେ ଇସଲାମ ପ୍ରଚାର କରିବାକୁ ପଡିବ। ଏହି ବୟାନ ଉପରେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଥିସହିତ ପଶ୍ଚିମବଙ୍ଗରେ ହିନ୍ଦୁ ଦେବତାଙ୍କ ମୂର୍ତ୍ତି ଭାଙ୍ଗିବା ସମୟରେ କୋଲକାତା ପୋଲିସର ଉତ୍ସାହ କେଉଁଠି ଥିଲା? ଯେତେବେଳେ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ଫିଙ୍ଗାଯାଏ? ଯେତେବେଳେ ଅନୁବ୍ରତ ମଣ୍ଡଳ ତୁମ ଅଧୀନସ୍ଥଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ବଳାତ୍କାର କରିବାକୁ ଧମକ ଦେଉଥିଲେ, ସେତେବେଳେ ତୁମେ କେଉଁଠି ଥିଲ? ବୋଲି ସେ ପ୍ରଶ୍ନ କରିଛନ୍ତି । କହିଛନ୍ତି, ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଜାତୀୟବାଦୀ ଓକିଲମାନେ ଶର୍ମିଷ୍ଠାଙ୍କ ମାମଲା ଗ୍ରହଣ କରୁଛନ୍ତି ଏବଂ ତାଙ୍କୁ ଯାହା ସର୍ବୋତ୍ତମ ଆଇନଗତ ପ୍ରତିରକ୍ଷା ଦିଆଯିବ ତାହା ଦିଆଯିବ। ମୁଁ ଆଶା କରୁଛି ଯେ ସେ ଦୁଷ୍ଟ ଏବଂ ନିଷ୍ଠୁର ମମତା ପୋଲିସର କବଳରୁ ମୁକ୍ତ ହେବେ।
ଏଥିସହିତ ଇଣ୍ଟରନେଟରେ ମଧ୍ୟ ଏହାକୁ ନେଇ ମମତା ସରକାରଙ୍କୁ ସମୋଲୋଚନା କରାଯାଇଛି । ଯଦି ଆରଜି କର ଘଟଣାରେ ମମତା ଏପରି ପଦକ୍ଷେପ ନେଇଥାନ୍ତେ, ବୋଧେ ହୁଏ ଏପର୍ଯ୍ୟନ୍ତ ନ୍ୟାୟ ମିଳିସାରିଥାନ୍ତା ବୋଲି କହି ତାତ୍ସଲ୍ୟ କରିଛନ୍ତି ୟୁଜର୍ସ । ଏଥିସହିତ ଶର୍ମିଷ୍ଠାକୁ ରିଲିଜ୍ କରିବା ପାଇଁ ଦାବି କରିଛନ୍ତି ।
Comments are closed.