Latest Odisha News

BREAKING NEWS

କାହିଁକି ସୋଫିଆ କୁରେଶୀଙ୍କୁ ନେଇ ଚର୍ଚ୍ଚା?

ନୂଆଦିଲ୍ଲୀ: ବଡ଼ ପ୍ରତିଶୋଧ ନେଇଛି ଭାରତ। ରାତି ଅଧରେ ପାକିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ ‘ଅପରେସନ୍ ସିନ୍ଦୂର’। ଏହା ପରେ ବୁଧବାର ‘ଅପରେସନ୍ ସିନ୍ଦୂର’ନେଇ ଭାରତୀୟ ସଶସ୍ତ୍ର ବାହିନୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା, ଯେଉଁଥିରେ ବରିଷ୍ଠ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ମିଳିତ ଭାବରେ ଭାରତର ପ୍ରତିଆକ୍ରମନକୁ ସମ୍ବୋଧିତ କରିଥିଲେ। ହେଲେ ଏହାରି ଭିତରେ ଏବେ କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା।

କିଏ ଏହି କର୍ଣ୍ଣେଲ କୁରେଶୀ?

କର୍ଣ୍ଣେଲ କୁରେଶୀ ଜଣେ ଡେକୋରେଟେଡ୍ ଭାରତୀୟ ସେନା ଅଧିକାରୀ । ଗୁଜରାଟର ଭଦୋଦରାରୁ ଆସିଥିବା କୁରେଶୀ ସେ ୧୯୯୭ ମସିହାରେ ଏମ୍.ଏସ୍. ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ବିଜ୍ଞାନରେ ତାଙ୍କର ଶିକ୍ଷାଗତ ପୃଷ୍ଠଭୂମି ଥିବା ସତ୍ତ୍ୱେ, ପରେ ସେ ଭାରତୀୟ ସେନାରେ ଯୋଗଦେବାକୁ ମନ ବଳାଇଥିଲେ। ଆଉ ବାଣୀ ଯାଇଥିଲେ ସିଗନାଲ କର୍ପସର ଅଂଶ।

ସାମରିକ ପରିବାରରୁ ଆସିଥିବା କୁରେଶୀଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ସେବା କରିଥିଲେ। ଏଥିସହିତ ସେ ଜଣେ ଯାନ୍ତ୍ରିକ ପଦାତିକ ଅଧିକାରୀଙ୍କୁ ବିବାହ ମଧ୍ୟ କରିଛନ୍ତି। କର୍ଣ୍ଣେଲ ସୋଫିଆ କୁରେଶୀ ୧୯୯୯ ମସିହାରେ ଅଫିସର୍ସ ଟ୍ରେନିଂ ଏକାଡେମୀ ମାଧ୍ୟମରେ ଭାରତୀୟ ସେନାରେ କମିଶନ ହୋଇଥିଲେ। ଏଥିସହିତ ଦେଶବ୍ୟାପୀ ବିଭିନ୍ନ ପଦବୀରେ କାର୍ଯ୍ୟ କରି ଅନେକ ସଫଳତା ହାସଲ କରିଛନ୍ତି।

କର୍ଣ୍ଣେଲ ସୋଫିଆ କୁରେଶୀ ପ୍ରଥମ ମହିଳା ଅଧିକାରୀ ଥିଲେ ଯିଏ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ସେନା ତାଲିମ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ସେ ୨୦୧୬ରେ  ‘ଏକ୍ସରସାଇଜ୍ ଫୋର୍ସ ୧୮’ରେ ୪୦ ଜଣିଆ ଭାରତୀୟ ସେନା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ସମସ୍ତ ଏସିଆନ୍ ପ୍ଲସ୍ କଣ୍ଟିଜେଣ୍ଟ ମଧ୍ୟରେ ସେ ଏକମାତ୍ର ମହିଳା ଅଧିକାରୀ କଣ୍ଟିଜେଣ୍ଟ କମାଣ୍ଡର ରହିଥିଲେ। ଏହି ଅଭ୍ୟାସ ପୁଣେରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚୀନ୍, ଆମେରିକା, ରୁଷ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୧୮ ଟି ଏସିଆନ୍ ପ୍ଲସ୍ ଦେଶ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ, ସେ ଛଅ ବର୍ଷ ଧରି ଜାତିସଂଘ ଶାନ୍ତିରକ୍ଷା ଅଭିଯାନ (PKO) ସହିତ କାର୍ଯ୍ୟ କରିଥିଲେ ଏବଂ ୨୦୦୬ ରେ କଙ୍ଗୋରେ ଜାତିସଂଘ ମିଶନର ଅଂଶ ଥିଲେ କୁରେଶୀ।

ଆଉ କାଲି ପାକିସ୍ତାନ ଉପରେ ଭାରତର ଅପରେସନ୍ ସିନ୍ଦୁର ପରେ କୁରେଶୀଙ୍କୁ ମିଳିଥିଲା ତଥ୍ୟ ପ୍ରମାଣ ସହ ଅପରେସନ ସିନ୍ଦୂର ବିଷୟରେ କହିବାର ନେତୃତ୍ବ। ଆଉ ତାଙ୍କ ସହ ରହିଥିଲେ ପ୍ରତିରକ୍ଷା ସଚିବ ଏବଂ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ତେବେ ବ୍ରିଫିଂର ନେତୃତ୍ୱ ନେବା ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କ ବାଛିବା ପ୍ରତୀକାତ୍ମକ, କେବଳ ଆତଙ୍କବାଦର ଅନ୍ତ ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ନାହିଁ ବରଂ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ବିଧବାମାନଙ୍କୁ ମଧ୍ୟ ସମ୍ମାନିତ କରିଛି।

Comments are closed.