Latest Odisha News

BREAKING NEWS

WHO ମୁଖ୍ୟଙ୍କ ଚେତାବନୀ, ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହୁ ବିଶ୍ୱ

ଜେନିଭା: କରୋନା କବଳେ ଏବେ ସାରା ବିଶ୍ୱ । ଆମେରିକା, ବ୍ରିଟେନ୍, ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ହାତ ଟେକି ଦେଇଛନ୍ତି । ଔଷଧ ନାହିଁ କି ଟିକା ବାହାରିନି । ମହାମାରୀରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକୁଛି ସାରା ବିଶ୍ୱ । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏଭଳି ସ୍ଥିତିରେ ପରବର୍ତ୍ତୀ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନା ମହାମାରୀ ସଂକ୍ରମଣ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ । ସେ କହିଛନ୍ତି, ଏବେ ସମୟ ଆସିଛି ସବୁ ଦେଶ ପବ୍ଲିକ ହେଲଥ ଉପରେ ଅଧିକ ନିବେଶ କରିବା ଜରୁରୀ । ନହେଲେ କରୋନା ଭଳି ମହାମାରୀ ଆଶଙ୍କା ରହିଛି ।

ଟେଡ୍ରୋସ କହିଛନ୍ତି, କରୋନା ୨୦୧୯ ଡିସେମ୍ବରରୁ ଆଜି ଭିତରେ ୨ କୋଟି ୭୧ ଜଣଙ୍କୁ ସଂକ୍ରମିତ କରିଛି । ପାଖାପାଖି ୯ ଲକ୍ଷ ଜୀବନ ନେଲାଣି । ଏବେ ବି ବହୁ ଦେଶ ଏହାର ଭୟାବହତା ଭୋଗୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ।

କରୋନା ଶେଷ ମହାମାରୀ ନୁହେଁ । ଏହାର ଅନ୍ତ ନାହିଁ । କିନ୍ତୁ ଆଉ ଗୋଟିଏ ମହାମାରୀ ସାରା ବିଶ୍ୱ ଉପରେ ହମଲା କରିବା ଆଗରୁ ପ୍ରାକ୍ ପ୍ରସ୍ତୁତିର ଆବଶ୍ୟକତା ଥିବା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ।

ପବ୍ଲିକ ହେଲଥ ଉପରେ ନିବେଶ ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତୁରନ୍ତ ଔଷଧ ଓ ଟିକା ବାହାର କରିବା ଏବଂ ବଜାରରେ ଉପଲବ୍ଧ କରାଇବା ବ୍ୟବସ୍ଥା କରିବା ଆବଶ୍ୟକ । ଏହାଦ୍ୱାରା ଆଗକୁ ଆସିବାକୁ ଥିବା ମହାମାରୀ ବ୍ୟାପିବା ଆଗରୁ ନିୟନ୍ତ୍ରଣ କରାଯାଇପାରିବ ।

WHO ବିଶେଷଜ୍ଞ ସ୍ପଷ୍ଟ କରି ସାରିଛନ୍ତି ଯେ, ଚଳିତବର୍ଷ ଶେଷ ସୁଦ୍ଧା କରୋନାର କୌଣସି ଟିକା ଆସିବ ନାହିଁ । ଭ୍ୟାକସିନ୍ ବିକଶିତ କାମ ଜୋରସୋରରେ ଚାଲିଛି । ଆଗାମୀ ବର୍ଷ (୨୦୨୧) କରୋନା ଟିକା ଉପଲବ୍ଧ ହେବା ଅନୁମାନ କରାଯାଉଛି ।

Comments are closed.