ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି? ପୁଣି ରିପିଟ୍ ହେବେ କି ମନମୋହନ ସାମଲ୍ ! ନା ନୂଆ ଚେହେରାକୁ ଦାୟିତ୍ବ ଦେବ ବିଜେପି ? ରାଜ୍ୟ ବିଜେପି ସଭାପତି ଦୌଡ଼ରେ ଏକାଧିକ ବରିଷ୍ଠ ନେତାଙ୍କ ନାଁ ରହିଛି । ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବି ଜୋରଦାର ଲବି ଚାଲିଛି । ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ବିଶ୍ବେଶ୍ବର ଟୁଡୁ ପ୍ରମୁଖ ରେସରେ ରହିଛନ୍ତି । ତେବେ ମନମୋହନଙ୍କ ନେତୃତ୍ବରେ ରାଜ୍ୟରେ ପ୍ରଥମ ଥର ପାଇଁ ଦଳ କ୍ଷମତାକୁ ଆସିଥିବାରୁ ତାଙ୍କୁ ପୁଣି ରାଜ୍ୟ ବିଜେପି ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ମନମୋହନଙ୍କୁ ପୁଣି ଭରସା !
ନିର୍ବାଚନର ବର୍ଷକ ପୂର୍ବରୁ ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ପଦରେ ବସାଇଥିଲା ବିଜେପି । ମନମୋହନଙ୍କ କାନ୍ଧ ଉପରେ ଥିଲା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳର ଗୁରୁଦାୟିତ୍ବ । ଦଳ ଦେଇଥିବା ଏହି ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଥିଲେ ମନମୋହନ । ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲା ତ ୨୦ଟି ଲୋକସଭା ସିଟ୍ ଜିତି ରାଜ୍ୟରେ ନୂଆ ରେକର୍ଡ କଲା । ନିଜେ ଲଢୁଥିବା ସିଟ୍ ହାରିଥିଲେ ମଧ୍ୟ ବିଜେପି ବିଜୟର ସାମଗ୍ରିକ ଶ୍ରେୟ ମନମୋହନଙ୍କୁ ଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ପୁଣି ମନମୋହନଙ୍କୁ ରାଜ୍ୟ ବିଜେପି ସଭାପତି କରି ସମାନ ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିପାରେ ବିଜେପି । ଏଥିସହ ମନମୋହନ ବରିଷ୍ଠ ହୋଇଥିବାରୁ ଦଳର ବିଭିନ୍ନ ଗୋଷ୍ଠୀଙ୍କୁ ଏକାଠି କରିବା ତାଙ୍କ ପାଇଁ ସହଜ ହେବ ।
ଗୋଲକଙ୍କ ପାଇଁ ଜୋରଦାର ଲବି
ମନମୋହନ ସାମଲଙ୍କ ସହ ରାଜ୍ୟ ବିଜେପି ସଭାପତି ରେସରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ନାଁ ମଧ୍ୟ ଶୁଣାଯାଉଛି । ଚର୍ଚ୍ଚା ହେଉଛି, ବିଜେପିର ଏକ ପାଓ୍ବାରଫୁଲ୍ ଗୋଷ୍ଠୀ ଗୋଲକଙ୍କ ପାଇଁ ଲଗାତର କେନ୍ଦ୍ର ନେତୃତ୍ବ ପାଖରେ ଲବି କରୁଛନ୍ତି । ଦୀର୍ଘ ବର୍ଷ ଧରି ଦଳରେ ଶୃଙ୍ଖଳିତ ଢଙ୍ଗରେ କାମ କରିଆସିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଗୋଲକ ମହାପାତ୍ର। ଦୀର୍ଘ ଦିନର ସାଂଗଠନିକ ଦକ୍ଷତା ସାଙ୍ଗକୁ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିବା ଗୋଲକଙ୍କୁ ରାଜ୍ୟ ବିଜେପିର ଟପ୍ ପୋଷ୍ଟ ପାଇଁ ଦାବିଦାର କୁହାଯାଉଛି ।
ସରପ୍ରାଇଜ୍ ଦେବ କି ବିଜେପି?
ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନାଁକୁ ନେଇ ଚର୍ଚ୍ଚା ହେଲା । ବରିଷ୍ଠ ନେତା, କେନ୍ଦ୍ରମନ୍ତ୍ରୀଙ୍କ ନାଁକୁ ରେସରେ ଆଗରେ ଥିବା ଦର୍ଶାଗଲା । ହେଲେ ମୋହନ ମାଝୀଙ୍କ ନାଁ ଘୋଷଣା କରି ବଡ଼ ସରପ୍ରାଇଜ୍ ଦେଲା ବିଜେପି । ରାଜ୍ୟ ବିଜେପି ସଭାପତି ପଦରେ ବି ସେଭଳି ଚମକାଇପାରେ ଦଳ । ମନମୋହନ ସାମଲ ଓ ଗୋଲକ ମହାପାତ୍ରଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲେ ବି ଭିନ୍ନ ନେତାଙ୍କୁ ଦାୟିତ୍ବ ଦେଇପାରେ ବିଜେପି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଯିଏ ବି ପରବର୍ତ୍ତୀ ରାଜ୍ୟ ସଭାପତି ହେବେ, ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ । କେବଳ ସେତିକି ନୁହେଁ ରାଜ୍ୟ ସରକାରରେ ବି ତାଙ୍କର ପ୍ରଭାବ ରହିବ । ରାଜ୍ୟରେ ବିଜେପି ସରକାରକୁ ୭ମାସ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରିନି । ନୂଆ ସଭାପତି ଆସିବା ପରେ ଏନେଇ ନିଷ୍ପତ୍ତି ହୋଇପାରେ । ଏଥିସହ ବିଭିନ୍ନ ନିଗମ ନିଯୁକ୍ତିରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହା ନୂଆ ସଭାପତିଙ୍କ ପାଇଁ ବଡ଼ ଆହ୍ବାନ । ଦଳ ଭିତରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଦକ୍ଷତା ରଖୁଥିବା ନେତାଙ୍କୁ ରାଜ୍ୟ ବିଜେପିର ଟପ୍ ପୋଷ୍ଟରେ ବସାଇପାରେ ଦଳ ।