Latest Odisha News

BREAKING NEWS

କିଏ ହେବେ ଓଡ଼ିଶା କଂଗ୍ରେସର ‘ରେବନ୍ତ ରେଡ୍ଡୀ’?

ଭୁବନେଶ୍ୱର: ତେଲେଙ୍ଗାନାରେ ଆରମ୍ଭ ହୋଇଛି କଂଗ୍ରେସ ସରକାରର ରାଜ୍ । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଯୁବ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ବିଜେପି ଛାଡି କଂଗ୍ରେସର ଯୋଗ ଦେଇଥିବା ଏହି ନେତା ଆଜି ଶପଥ ନେବା ବେଳେ ଫିଲ୍ମ Bharat Ane Nenu Bharathର ହିରୋ ମହେଶ ବାବୁଙ୍କ ଶୈଳୀରେ ଶପଥ ଗ୍ରହଣ କରିଥିଲେ। ଆଉ ଉପସ୍ଥିତ କଂଗ୍ରେସ କର୍ମୀ ଓ ନେତାଙ୍କ ସମର୍ଥନର ଧ୍ବନି ପ୍ରମାଣିତ କରିଛି ନୂଆ କରି ଜନ୍ମ ନେଇଥିବା ଏହି ରାଜ୍ୟରେ ପ୍ରଥମ ଥର କ୍ଷମତାରେ ବସିଥିବା କେସିଆର ସରକାର ବିରୋଧରେ ଅସନ୍ତୋଷ। ତେଲେଙ୍ଗାନାର ଫଳାଫଳକୁ ନେଇ ଓଡ଼ିଶା କଂଗ୍ରେସ ଉତ୍ସାହିତ ହୋଇଥିବା ବେଳେ ଏଠାରେ କିଏ ହେବେ ରେବନ୍ତ ରେଡ୍ଜୀ ଯିଏକି ବିଜେଡି ଭଳି ଦଳକୁ ହଟାଇବାରେ ସଫଳ ହେବେ।

ପଡ଼ୋଶୀ ରାଜ୍ୟ ତେଲଙ୍ଗାନାରେ କଂଗ୍ରେସର ବିଜୟ ପରେ ଓଡ଼ିଶା କଂଗ୍ରେସର ବେଶ୍ ଆତ୍ମବିଶ୍ୱାସ ବଢିଛି। ଓଡ଼ିଶାରେ କଂଗ୍ରେସ ତେଲେଙ୍ଗାନାର ସଫଳତା ଦୋହରାଇବ ବୋଲି ପିସିସି ମୁଖ୍ୟ ଶରତ ପଟ୍ଟନାୟକ କହିଛନ୍ତି।

ଗୁରୁବାର ଦିନ ଶ୍ରୀ ପଟ୍ଟନାୟକ କହିଛନ୍ତି, ତେଲେଙ୍ଗାନାରେ ଯାହା ସ୍ଥିତି ଥିଲା, ଓଡ଼ିଶାରେ ଆମର ସ୍ଥିତି ସେମିତି ରହିଛି। ସେଠାକାର ଭଳି ଏଠାରେ ମଧ୍ୟ ଦଳ ଏକ ନମ୍ବର ହେବ। ଆଗାମୀ ନିର୍ବାଚନରେ ୯୦ ଆସନ ଜିତି ଆମେ ଆମର ‘ମିଶନ ୯୦’ ଲକ୍ଷ୍ୟ ହାସଲ କରିବୁ ବୋଲି ଆମେ ନିଶ୍ଚିତ ବୋଲି ସେ କହିଛନ୍ତି।

ସରକାରଙ୍କ ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ ଦଳର ଜାରି ରହିଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ତେଲେଙ୍ଗାନାର ବିଜୟ ଆମ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇଛି, ଓଡ଼ିଶାରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଦଳର ସ୍ଥିତିକୁ ଉପରକୁ ଉଠାଇବା ପାଇଁ ସ୍ଥିର କରି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ, “ଆମର ବର୍ତ୍ତମାନର ତୃତୀୟ ସ୍ଥାନରୁ କଂଗ୍ରେସକୁ ଏକ ନମ୍ବର ସ୍ଥାନକୁ ଆଣିବା ପାଇଁ ହାଇକମାଣ୍ଡ ମୋତେ ଦାୟିତ୍ୱ ଦେଇଛନ୍ତି। ସେହି ଲକ୍ଷ୍ୟରେ ମୁଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି। ଲୋକଙ୍କ ଆଶୀର୍ବାଦରେ କଂଗ୍ରେସକୁ ରାଜ୍ୟରେ ଏକ ନମ୍ବର ଦଳ କରିବା ପାଇଁ ଆମର ସମସ୍ତ ନେତା ଓ କର୍ମୀ ସଙ୍କଳ୍ପ ନେଇଛନ୍ତି।

ସେହିପିରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସର ସ୍ଥିତି ଓଡ଼ିଶାରେ ମଜବୁତ ହେଉଛି। କଂଗ୍ରେସର ଶୀର୍ଷ ନେତା ଆସି ଏଠାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଓଡିଶାରେ ଦଳର ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ସେ ନେତୃତ୍ବ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ପ୍ରାର୍ଥୀ ଚୟନ ପାଇଁ ମାନଦଣ୍ଡ ସମ୍ପର୍କରେ ଶରତ ପଟ୍ଟନାୟକ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ବିଜୟ ଆମର ସର୍ବୋଚ୍ଚ ପ୍ରାଥମିକତା। ଆମେ ଜିତିବା ପାଇଁ ପ୍ରାର୍ଥୀଙ୍କ ସାମର୍ଥ୍ୟକୁ ଆଧାର କରି ପ୍ରାର୍ଥୀ ଚୟନ କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ପୂର୍ବରୁ ଘୋଷଣା କରିସାରିଛି ଯେ ଟିକେଟ୍ ଚୟନ ପାଇଁ ବିଶେଷ କରି ୫୦ ବର୍ଷରୁ କମ୍ ବୟସର ଯୁବ ବ୍ୟକ୍ତି ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ସକ୍ରିୟ ଭାବେ ସାମିଲ ଅଛନ୍ତି।”ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଏଯାଏଁ ପିସିସି ସଭାପତିଙ୍କ ବୟାନ ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଆଗାମୀ ଓଡିଶା ନିର୍ବାଚନରେ କଂଗ୍ରେସ ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଥିବା ସ୍ପଷ୍ଟ ହୋଇଛି।

କହିରଖୁଛୁ ତେଲେଙ୍ଗାନାରେ ରେବନ୍ତ ରେଡ୍ଡୀ ମଧ୍ୟ ଦଳୀୟ କନ୍ଦଳର ସାମ୍ନା କରିଥିଲେ। ହେଲେ ଦିଲ୍ଲୀ ଶୀର୍ଷ ନେତାଙ୍କ ବିଶ୍ୱାସ ଜିତିଥିବାରୁ ରାଜ୍ୟରେ ଦଳକୁ ମଜବୁତ କରିବାରେ କେବେ ପଛଘୁଂଚା ଦେଉନଥିଲେ। ଆଉ ଓଡ଼ିଶା କଂଗ୍ରେସରେ ପୂର୍ବ ଅପେକ୍ଷା ଅସନ୍ତୋଷ ପ୍ରଶମିତ ହୋଇଥିବା କୁହାଯାଉଥିବା ବେଳେ ସେହିଭଳି ଯୁବ ନେତୃତ୍ବ ବା ଚେହେରା କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

Leave A Reply

Your email address will not be published.