Latest Odisha News

BREAKING NEWS

କିଏ ହେବେ ବିଜେପିର ବସ୍ ?

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ମୋଦି ସରକାରର ତୃତୀୟ ପାଳିରେ ସ୍ବାସ୍ଥ୍ୟ ସହ ରସାୟନିକ ଓ ସାର ମନ୍ତ୍ରାଳୟ ଦାୟିତ୍ବ ଜେପି ନଡ୍ଡାଙ୍କୁ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେବ । ଏଥିସହ ବିଜେପିର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଅନୁସାରେ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ । ପୂର୍ବରୁ ଅମିତ ଶାହା ପଦକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା। ଧର୍ମେନ୍ଦ୍ର ପ୍ରଧାନ ଓ ଶିବରାଜ ସିଂ ଚୌହାନଙ୍କ ନାଁ ମଧ୍ୟ ରେସରେ ରହିଥିଲା । କିନ୍ତୁ ସମସ୍ତେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଣୁ ପ୍ରଶ୍ନ, ନଡ୍ଡାଙ୍କ ପରେ କିଏ ହେବେ ବିଜେପିର ନୂଆ ଅଧ୍ୟକ୍ଷ?

ରେସରେ ଆଗରେ ଅନୁରାଗ ଠାକୁର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ରେସରେ ଆଗରେ ରହିଛନ୍ତି ଅନୁରାଗ ଠାକୁର। ହମିରପୁରରୁ ୫ଥର ସାଂସଦ ରହିଥିବା ଅନୁରାଗ ଠାକୁରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି। ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅନୁରାଗ ମନ୍ତ୍ରୀ ରହିଥିଲେ । ପୂର୍ବରୁ ସେ ଯୁବ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୧୯ ଜାନୁଆରୀରେ ବିଜେପିର ପ୍ରଥମ ସାଂସଦ ଭାବେ ଅନୁରାଗଙ୍କୁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଭାରତୀୟ ଅଲିମ୍ପିକ ସଂଘର କାର୍ଯ୍ୟକାରୀ ସଦସ୍ୟ, ବିସିସିଆଇର ଅଧ୍ୟକ୍ଷ ଓ ଯୁଗ୍ମ ସଚିବ ରହିଥିଲେ। ଅନୁରାଗ ଠାକୁର ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଜେପି ନଡ୍ଡାଙ୍କ ପରେ  ହିମାଚଳରୁ ଦ୍ବିତୀୟ ନେତା ଭାବେ ଦଳର ଶୀର୍ଷ ଦାୟିତ୍ବ ପାଇବେ।

ବିନୋଦ ତାଓ୍ବଡେଙ୍କୁ ଟପ୍ ପୋଷ୍ଟ !

ମହାରାଷ୍ଟ୍ରର ବିନୋଦ ତାଓ୍ବଡେ ଓବିସି ବର୍ଗର । ଏବେ ସେ ବିହାର ପ୍ରଭାରୀ ରହିଛନ୍ତି । ଲୋକସଭା ନିର୍ବାଚନରେ ବିହାରରେ ବିଜେପି ଭଲ ପ୍ରଦର୍ଶନ କରିଛି । ମୋଦି ସରକାର ଓବିସି ବିରୋଧୀ ବୋଲି ଅଭିଯୋଗ କରିଆସୁଛି ଇଣ୍ଡିଆ ମେଣ୍ଟ । ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଉପରେ ବି ଏହାର ପ୍ରଭାବ ପଡିବା ସହ କ୍ଷତି ସହିଛି ବିଜେପି। ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବି ରହିଛି। ଏଭଳି ସ୍ଥିତିରେ ଜଣେ ଓବିସି ଚେହେରାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରି ହାତରୁ ଖସିଥିବା ଭୋଟବ୍ୟାଙ୍କ ପୁଣି ନିଜ ପାଖକୁ ଆଣିବାକୁ ଉଦ୍ୟମ କରିପାରେ ବିଜେପି । ମରାଠା ସମୁଦାୟର ବିନୋଦ ତାଓ୍ବଡେଙ୍କୁ ଶୀର୍ଷ ପଦ ଦେଇ ମାଷ୍ଟରଷ୍ଟ୍ରୋକ୍ ଖେଳିପାରେ ବିଜେପି ।

ସୁନୀଲ ବଂଶଲଙ୍କ ନାଁ ବି ଚର୍ଚ୍ଚା

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ ସୁନୀଲ ବଂଶଲଙ୍କ ନାଁ ବି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ହେଉଛି। ଏବେ ବଂଶଲ ବିଜେପିର ରାଷ୍ଟ୍ରୀୟ ମହାସଚିବ ପଦରେ ରହିଛନ୍ତି । ସେ ଆରଏସଏସର ପୂର୍ବ ପ୍ରଚାରକ ବି ରହିଥିଲେ । ୨୦୧୪ରେ ଅମିତ ଶାହା ୟୁପି ବିଜେପି ପ୍ରଭାରୀ ଥିବା ବେଳେ ସହପ୍ରଭାରୀ ଦାୟିତ୍ବ ତୁଲାଇଥିଲେ ସୁନୀଲ ବଂଶଲ। ପରେ ୨୦୧୭ରେ ୟୁପି ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ପ୍ରଭାରୀ ଥିଲେ। ଏଥିରେ ରେକର୍ଡ ବିଜୟ ହାସଲ କରିଥିଲା ବିଜେପି । ପରେ ତାଙ୍କୁ ଓଡିଶା ଓ ତେଲେଙ୍ଗାନା ଦାୟିତ୍ବ ଦିଆଯାଇଥିଲା। ସେଥିରେ ସଫଳ ହୋଇଛନ୍ତି ବଂଶଲ ।

ରେସରେ ଆଉ କେଉଁ ନେତା ?

ବିଜେପିର ସଂଗଠନ ମହାସଚିବ ବିଏଲ ସନ୍ତୋଷ ଆରଏସଏସର ପ୍ରଚାରକ ରହିଥିଲେ । ତାଙ୍କ ନାଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ହେଉଛି । ତେବେ ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ତାଙ୍କୁ ରାଜ୍ୟ ବିଜେପିର ବଡ ବର୍ଗ ଦାୟୀ କରିଥିଲା । ତାଙ୍କୁ ପରଦା ପଛର ରଣନୀତିକାର ବି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଓମ୍ ମାଥୁରଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଛତିଶଗଡ଼ ପ୍ରଭାରୀ ରହିଥିବା ଓମ୍ ମାଥୁର ବିଧାନସଭା ନିର୍ବାଚନରେ ସଫଳତା ଆଣିଥିଲେ । ସେହିପରି ତେଲେଙ୍ଗାନାର ପୂର୍ବତନ ବିଜେପି ଅଧ୍ୟକ୍ଷ କେ ଲକ୍ଷ୍ମଣ ବି ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସରେ ରହିଛନ୍ତି । ସେ ଏବେ ବିଜେପି ଓବିସି ମୋର୍ଚ୍ଚା ପ୍ରମୁଖ ପଦରେ ରହିଛନ୍ତି । କୁହାଯାଉଛି, କେ ଲକ୍ଷ୍ମଣଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରି ଦକ୍ଷିଣରେ ଓବିସି ଭୋଟବ୍ୟାଙ୍କ ନିଜ ଖାତାକୁ ଆଣିପାରେ ବିଜେପି  ।

Comments are closed.