ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦେଶରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିସହିତ ଲିବରାଲ ପାର୍ଟିର ସଦସ୍ୟତାପଦରୁ ମଧ୍ ଟ୍ରୁଡୋ ଇସ୍ତଫା ଦେଇଛନ୍ତି । ହେଲେ ପରବର୍ତ୍ତୀ ପିଏମ୍ ଚୟନ ପର୍ଯ୍ୟନ୍ତ ଟ୍ରୁଡୋ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହାପରେ ଏବେ ଆରମ୍ଭ ହୋଇଛି ସସପେନ୍ସ.. କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏନେଇ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଥିବା ବେଳେ ଲିବରାଲ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ୩ ମାସ ସମୟ ଲାଗିବ ।
ଏହାକୁ ନେଇ ଏବେ ଆରମ୍ଭ ହୋଇଛି ତର୍ଜମା କାହା ହାକୁ ଯିବ କାନାଡା ଶାସନ ? ଟ୍ରୁଡୋଙ୍କ ଇସ୍ତଫା ଘୋଷଣା ପରେ ଏବେ ତାଙ୍କ ସ୍ଥାନରେ ପ୍ରାର୍ଥୀ କିଏ ପାର୍ଟିର ନେତୃତ୍ବ ସେନେଇ ଦଳକୁ ଦାୟିତ୍ବ ଦିଆଯାଇଛି । ଯିଏ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ସବୁଠୁ ବଡ କଥା ହେଉଛି, ପ୍ରଧାନମନ୍ତ୍ରୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ଭାରତୀୟ ବଂଶୋଦ୍ଭବଙ୍କ ଅନୀତା ଆନନ୍ଦ ନାଁ । ସେହିପରି କ୍ୟାବିନେଟ ମନ୍ତ୍ରୀ ମେଲାନି ଜୋଲି, କ୍ରିଷ୍ଟ୍ରିୟା ଫ୍ରିଲାଣ୍ଡ, ମାର୍କ କାରନେ, ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
କିଏ ଏହି ଅନୀତା ଆନନ୍ଦ?
ଗତ ପାଞ୍ଚ ବର୍ଷ ମଧ୍ୟରେ, ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡା ସରକାରରେ ପରିବହନ ମନ୍ତ୍ରାଳୟ ଭଳି ଅନେକ ଗୁରୁଦାୟିତ୍ୱ ତୁଲାଇଛନ୍ତି । ଯେଉଁଥିରେ ପବ୍ଲିକ୍ ସର୍ଭିସେସ୍ ଏବଂ ପ୍ରୋକ୍ୟୁରମେଣ୍ଟ, ପ୍ରତିରକ୍ଷା ଏବଂ ଟ୍ରେଜେରୀ ବୋର୍ଡର ସଭାପତି ଭାବେ କାର୍ଯ୍ୟ କରିଛନ୍ତି ୫୭ ବର୍ଷୀୟା ଅନୀତା । ତାଙ୍କ ବାପା ଜଣା ତାମିଲ ହୋଇଥିବା ବେଳେ ମା ପଞ୍ଜାବୀ ଅଟନ୍ତି । ୨୦୧୯ରେ ଓକଭିଲ୍ ନିର୍ବାଚନୀ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ତାଙ୍କୁ ସେତେବେଳେ ଟ୍ରୁଡୋଙ୍କ କ୍ୟାବିନେଟରେ ସାମିଲ କରାଯାଇଥିଲା ।
ନଭେମ୍ବର ୨୦୧୯ ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ, ସେ କାନାଡାର ସାର୍ବଜନୀନ ସେବା ଏବଂ କ୍ରୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ଅକ୍ଟୋବର ୨୦୨୧ ରୁ ଜୁଲାଇ ୨୦୨୩ ପର୍ଯ୍ୟନ୍ତ କାନାଡାର ପ୍ରତିରକ୍ଷା ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ । ଅନୀତା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ରୁଷ-ୟୁକ୍ରେନ ଯୁଦ୍ଧରେ କାନାଡାର ଆଭିମୁଖ୍ୟର ନେତୃତ୍ବ ନେିଥିଲେ । ଗି ୨୦୨୪ ଡିସେମ୍ବରରେ ସେ ପୁଣି ଟ୍ରେଜେରୀ ବୋର୍ଡର ଅଧ୍ୟକ୍ଷତା କରିଥିଲେ । ଆଉ ଗତ ମାସରେ କ୍ୟାବିନେଟ ପୁନର୍ଗଠନ ସମୟରେ ତାଙ୍କୁ ପୁଣି ପରିବହନ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ ବଛାଯାଇଥିଲା ।