Latest Odisha News

ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ । ୨୦୨୪ ଲୋକସଭା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ବିଜେପି ନା କଂଗ୍ରେସ । କିଏ ମାରିବ ହରିୟାଣା ବାଜି? ଆଉ କିଏ ଗଢିବ ଜାମ୍ମୁ-କାଶ୍ମୀରରେ ସରକାର? ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ଭୋଟ୍ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ସବୁ ଗଣତି କେନ୍ଦ୍ରରେ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ । ଏହା ପରେ ଇଭିଏମ୍‌ର ଭୋଟ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯିବ ।

ତେବେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସେଠାରେ ନିର୍ବାଚନ ହେଇଥିଲା, ଆଉ ଦୀର୍ଘ ୧୦ ବର୍ଷ ପରେ ଲୋକ ସେଠାରେ ଭୋଟ୍ ଦେଇଥିଲେ । ତେଣୁ ଏହି ନିର୍ବାଚନର ଫଳାଫଳକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି । ସେପଟେ ଜାମ୍ମୁ-କାଶ୍ମୀରରେ କିଏ ସରକାର ଗଢିବ ସେନେଇ ସସ୍‌ପେନ୍ସ ଲାଗି ରହିଛି ।

ଅନ୍ୟପଟେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ରେଜଲ୍ଟ ମଧ୍ୟ ଆଜି ପ୍ରକାଶ ପାଇବ । ହରିୟାଣାରେ ହାଟ୍ରିକ୍‌ ଲକ୍ଷ୍ୟରେ ବିଜେପି ଥିବା ବେଳେ ପୁଣି କମ୍‌ବ୍ୟାକ୍‌ ଆଶାରେ ଅଛି କଂଗ୍ରେସ । ଏଠାରେ ଗତ ୧୦ ବର୍ଷ ହେଲା ବିଜେପି କ୍ଷମତାରେ ଥିବାବେଳେ ପୁଣିଥରେ ସରକାର ଗଢ଼ିବା ପାଇଁ ଆଶାବାଦୀ ରହିଛି କଂଗ୍ରେସ।

କହିରଖୁଛୁ ଯେ, ଏକଜିଟ୍ ପୋଲରେ ଏହି ଦୁଇ ବିଧାନସଭାର ରେଜଲ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅଧିକାଂଶ ଏକଜିଟ୍ ପୋଲରେ ହରିୟାଣାରେ କଂଗ୍ରେସ ସରକାର ଗଢିବ ବୋଲି କୁହାଯାଉଥିବା ବେଳେ ଜାମ୍ମୁକାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ସରକାର ଗଢିବ ବୋଲି କୁହାଯାଇଛି । ତେବେ ଏକଜିଟ୍ ପୋଲ୍ ସତ ହେଉଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ।

ଉଲ୍ଲେଖ‌ଯୋଗ୍ୟ ଯେ ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା।

Leave A Reply

Your email address will not be published.