Latest Odisha News

BREAKING NEWS

କିଏ ମାରିବ ଝାଡ଼ଖଣ୍ଡ ବାଜି ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆସିବ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ । ନେତାମାନଙ୍କ ବୟାନରେ ମଧ୍ୟ ସରଗରମ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟରେ ଇଣ୍ଡିଆ ଓ ଏନଡିଏ ମଧ୍ୟରେ କଡା ମୁକାବିଲା ହୋଇଛି। ଏକଜିଟ ପୋଲ ଅନୁସାରେ ଏନଡିଏ ଆଗରେ ରହିଛି। ସେହିପରି ନିର୍ବାଚନ ଫଳାଫଳ ପୂର୍ବରୁ ଉଭୟ ଇଣ୍ଡିଆ ଓ ଏନଡିଏ ନେତାମାନେ ନିଜ ନିଜ ଜିତ୍ ଜାହିର କରିଛନ୍ତି। ତେବେ ଫଳାଫଳ ଘୋଷଣା ପରେ ସଂଖ୍ୟା ହିଁ ନିର୍ଣ୍ଣୟ କରିବ କିଏ ଗଢିବ ଝାଡ଼ଖଣ୍ଡର ସରକାର।

ରାଜ୍ୟରେ କାଣ୍ଟେ କି ଟକ୍କର
ରାଜ୍ୟର ପ୍ରାୟ ୧୫ ସିଟରେ କାଣ୍ଟେ କି ଟକ୍କର ଦେଖାଯାଇଥିଲା। ଏହି ଆସନଗୁଡିକରେ ହାର ଜିତର କଳନା କରିବା ମୁଷ୍କିଲ ରହିଛି। ହଟିଆ, ଜାମସେଦପୁର ପଶ୍ଚିମ, ସାରଠ, ଚନ୍ଦନକୀୟାରୀ, ଡୁମରୀ ଓ ବେରମୋ ଆଦି ଆସନରେ ଏଥର କଡା ଟକ୍କର ଦେଖିବାକୁ ମିଳିଛି। ଆଉ ଏହି ସିଟ ଗୁଡିକ ହିଁ ଝଡଖଣ୍ଡର ସତ୍ତା ନିରୂପଣ କରିବ ବୋଲି କୁହାଯାଉଛି।

ଫଳାଫଳ ପୂର୍ବରୁ କଣ କହିଲେ ବାବୁଲାଲ ?
ନିର୍ବାଚନ ଫଳ ଆସିବ ପୂର୍ବରୁ ବିଜେପି ସରକାର ଗଢିବା ନେଇ ଘୋଷଣା କରିଛନ୍ତି ବିଜେପି ପ୍ରଦେଶ ଅଧକ୍ଷ ବାବୁଲାଲ ମାରଣ୍ଡୀ। ସେ କହିଛନ୍ତି, ଏଥର ରାଜ୍ୟବାସୀ ବିଜେପିକୁ ଭୋଟ ଦେଇଛନ୍ତି। ରାଜ୍ୟର ୫୧ ଆସନରେ ବିଜେପି ବିଜୟ ଲାଭ କରିବ।ଏପରିକି ହେମନ୍ତ ସୋରେନଙ୍କ ବିଧାନସଭା ଆସନ ବରହେଟରୁ ମଧ୍ୟ ଚମକାଇଲା ଭଳି ଖବର ଆସିବ ବୋଲି ସେ କହିଛନ୍ତି।

ରାଜ୍ୟବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି
ବିଜେପି ବହୁମତ ସହ ଝାଡଖଣ୍ଡରେ ସରକାର କରିବ ନେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ବିଜେପି ସପକ୍ଷରେ ମତଦାନ କରିଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦାକୁ ନେଇ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଇଣ୍ଡିଆ ମେଣ୍ଟ ନିଶ୍ଚୟ ଜିତିବ
ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟ ବିଜଯ ହାସଲ କରିବ। ସବୁ ଏକଜିଟ ପୋଲର ତଥ୍ୟ ଭୁଲ ପ୍ରମାଣିତ ହେବ। ପୁଣି ଠାରେ ରାଜ୍ୟରେ ଜେଏମଏମ ଓ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।

ଝାଡ଼ଖଣ୍ଡ ନିର୍ବାଚନ ଫଳ ଉପରେ କେବଳ ଦେଶ ନୁହେଁ ରାଜ୍ୟର ସବୁ ଦଳର ବି ନଜର ରହିଛି । ଫଳାଫଳ ପରେ ହିଁ ନିର୍ଦ୍ଧାରିତ ହେବ କିଏ ମାରିବ ଝାଡ଼ଖଣ୍ଡ ବାଜି।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.