Latest Odisha News

BREAKING NEWS

ହରିୟାଣା ହୃଦୟରେ କିଏ?

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ। ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ହରିୟାଣା ନିର୍ବାଚନରେ କିଏ କରିବେ ବାଜିମାତ୍? ହରିୟାଣାର ହୃଦୟରେ କିଏ? ଗତ ଲୋକସଭା ନିର୍ବାଚନରେ ହରିୟାଣାର ମୋଟ୍ ୧୦ଟି ସିଟ୍ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଜିତିଛନ୍ତି । ୨୦୧୯ରେ କ୍ଲିନ୍ ସୁଇପ୍ କରିଥିବା ବିଜେପିର ସ୍କୋର ଅଧାକୁ ଖସିଛି । ଦଳର ଭୋଟ୍ ସେୟାର ୨୦୧୯ର ୫୮ପ୍ରତିଶତରୁ କମି ୪୬ପ୍ରତିଶତରେ ପହଞ୍ଚିଛି । ବିଜେପିରୁ ସହରାଞ୍ଚଳରୁ ଭଲ ଭୋଟ୍ ମିଳିଥିଲେ ବି ଗ୍ରାମାଞ୍ଚଳ ଭୋଟର ନିରାଶ କରିଛନ୍ତି । ପୂର୍ବରୁ ହରିୟାଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେଉଥିବା ବେଳେ ଏଥର ଆପ୍, ଜେଜେପି ମଧ୍ୟ ଲଢେଇରେ ଭୂମିକା ନେବେ ।

ବିଜେପି ବିରୋଧରେ ଚାଷୀ ଅସନ୍ତୋଷ !

୨୦୧୯ରେ ବିଜେପିକୁ ହରିୟାଣାରେ ୪୦ସିଟ୍ ମିଳିଥିଲା । ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ସହ ମିଶି ମେଣ୍ଟ ସରକାର ଗଠନ କରିଥିଲା ବିଜେପି । ତେବେ ୨୦୨୪ ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ଦୁଷ୍ୟନ୍ତ ବିଜେପି ସହ ବ୍ରେକଅପ୍ କରିଥିଲେ । ଏହାପରେ ଜେଜେପିର ୪ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । ଲୋକସଭା ନିର୍ବାଚନ ବେଳେ ହରିୟାଣାର ଅନେକ ଗାଁ ବିଜେପିର ସଭା ଓ ରାଲିକୁ ବୟକଟ୍ କରିଥିଲେ । ପଞ୍ଜାବ ଭଳି ହରିୟାଣାର ଚାଷୀ ମଧ୍ୟ କୃଷି ଆଇନକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ । କୃଷି ଆଇନ ପ୍ରତ୍ୟାହାର କରାଯାଇଥିଲେ ବି ଅନ୍ୟ ଦାବି ନେଇ ନିରବ ରହିଥିଲା ବିଜେପି । ତେଣୁ ଦଳ ପ୍ରତି ଚାଷୀ ଆସନ୍ତୋଷ ଏବେ କେତେ ମାତ୍ରାରେ ରହିଛି, ତାଉପରେ ହରିୟାଣାରେ ବିଜେପିର ଭାଗ୍ୟ ନିର୍ଭର କରିପାରେ ।

ଜାଠ କରିବେ କି ନିରାଶ?

ହରିୟାଣା ମୋଟ୍ ଜନସଂଖ୍ୟାର ୨୦ରୁ ୩୦ପ୍ରତିଶତ ଜାଠ ମତଦାତା । ଜାଠ ସାଧାରଣ ଭାବେ ବିଜେପିକୁ ସମର୍ଥନ କରନ୍ତିନାହିଁ । ସେମାନେ ବିଜେପିକୁ ବ୍ରାହ୍ମଣ ଓ ପଞ୍ଜାବୀ ହିନ୍ଦୁଙ୍କ ପାର୍ଟି ମନେ କରନ୍ତି । ବେକାରୀ, ଓବିସି ମାନ୍ୟତା ନମିଳିବା, ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରଙ୍କ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେବାରେ ବିଜେପିର ବିଫଳତାକୁ ନେଇ ଦଳ ଉପରେ ଜାଠ ଅସନ୍ତୁଷ୍ଟ। ଅଗ୍ନିପଥ ଯୋଜନା ହେଉ କି ଚାଷୀ ଆନ୍ଦୋଳନ, ହରିୟାଣାରେ ଏଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଦେବାକୁ ଅଗ୍ନିପରୀକ୍ଷା ।

କୁଆଡେ ଯିବ ଦଳିତ ଭୋଟବ୍ୟାଙ୍କ?

ହରିୟାଣାରେ ବିଜେପି ହାତରୁ ଖସିପାରେ ଦଳିତ ଭୋଟବ୍ୟାଙ୍କ । ଗତ ଲୋକସଭା ନିର୍ବାଚନରେ ରାଜ୍ୟର ପ୍ରାୟ ୨୦ପ୍ରତିଶତ ଅନୁସୂଚିତ ଜାତି ଭୋଟର ବିଜେପି ହାତ ଛାଡି କଂଗ୍ରେସ ଆଡକୁ ଢଳିଥିଲେ । ଜେଜେପି, ଚନ୍ଦ୍ରଶେଖର ଆଜାଦଙ୍କ ସହ ମେଣ୍ଟ କରିବା ପରେ ବିଜେପି ବିରୋଧରେ ଦଳିତ ଭୋଟ୍ ବିଭାଜନ ବି ହୋଇପାରେ ।

କ୍ଷମତାର ବନବାସ ସାରି ଫେରିବ କଂଗ୍ରେସ !

ଆଇଏନଏଲଡି ହେଉ କି ଜେଜେପି, ଗତ ଲୋକସଭାରେ ଭଲ ପ୍ରଦର୍ଶନ କରିପାରିନଥିଲେ । ହେଲେ ରାଜ୍ୟରେ ବିଜେପିର ଦୁର୍ବଳତା ଦେଖି ସେମାନେ ବି ନିଜ ସ୍ଥିତି ମଜବୁତ କରିବାରେ ଲାଗିଛନ୍ତି । କଂଗ୍ରେସ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କୁ ସାଥିରେ ନେଇଛି ତ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛି । ମହିଳା, ଯୁବ ଓ ଚାଷୀଙ୍କୁ ଏକପ୍ରକାର ଫୋକସ୍ କରିଛି କଂଗ୍ରେସ । ଲୋକସଭା ନିର୍ବାଚନରେ ୫ଟି ସିଟ୍ ଜିତିବା ପରେ କଂଗ୍ରେସର ଜୋଶ ବି ହାଇ ରହିଛି । ତେବେ ଅଣବିଜେପି ଭୋଟ୍ ସିଧାସଖଳ କଂଗ୍ରେସ ଖାତାକୁ ବି ଯିବନି । କାରଣ କଂଗ୍ରେସ ସହ ଅନ୍ୟ ଦଳ ମଧ୍ୟରେ ଏହି ଭୋଟ୍ ବାଣ୍ଟିହେବ । ଉଭୟ ବିଜେପି ଓ କଂଗ୍ରେସ ଦଳ ଭିତରୁ ବିଦ୍ରୋହର ସାମନା କରୁଛନ୍ତି । ତେଣୁ ହରିୟାଣା ଲଢେଇ ବେଶ୍ ରୋଚକ ହେବ । ବିଜେପି ସରକାର ବିରୋଧୀ ଲହର ହରିୟାଣାରେ ନିର୍ଣ୍ଣାୟକ ହେବ କି ? ଜାତିଗତ ସମୀକରଣ ବଦଳାଇବ କି କ୍ଷମତା ଗଣିତ? ଏସବୁ ପ୍ରଶ୍ନର ଉତ୍ତର  ଅକ୍ଟୋବର ୮ରେ ମିଳିବ ।

Comments are closed.