Latest Odisha News

ନବୀନ ନେଇଥିଲେ ଆକ୍ସନ୍, ମୋହନ ଦେଲେ ପୁରସ୍କାର

ନୂଆଦିଲ୍ଲୀ: ନବୀନ ସରକାର ବେଳେ ହୋଇଥିଲେ କୋଣଠେସା, ମୋହନ ସରକାର ଦେଲେ ପୁରସ୍କାର । ରାଜ୍ୟରେ ବିଜେପି ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ଜିଲ୍ଲାପାଳ ବଦଳିଥିବା ବେଳେ ଦୀର୍ଘଦିନ ହେଲା କୋଣଠେସା ହୋଇ ରହିଥିବା ଅଧିକାରୀଙ୍କୁ ବଡ ଦାୟିତ୍ବ ଦିଆଯାଇଛି । ନବୀନ ସରକାରରେ କ୍ଷମତାକେନ୍ଦ୍ରର ନିକଟତର ରହିଥିବା ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବରୁ ହଟାଯାଇଛି । ଆଇଏଏସ ଅଦଳବଦଳରେ ବେଶ୍ ସ୍ପଷ୍ଟ ଭାବେ ବିଜେପି ସରକାର ନିଜ ଛାପ ଛାଡିଛି। ବାବୁଙ୍କୁ ବଦଳି କରିବା ସହ ନିଜ ସରକାର ପାଇଁ କାର୍ଯ୍ୟପାଳିକାର ନୂଆ ଖସଡା ପ୍ରସ୍ତୁତ କରିଛନ୍ତି ।

ସେବେ ଜେଲ୍ ଏବେ ପୁରସ୍କାର !
୨୦୦୯ ବ୍ୟାଚ ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ନବୀନ ସରକାରରେ ଲାଞ୍ଚ ନେବା ଅଭିଯୋଗରେ ବିଜୟକେତନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଉଦ୍ୟନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ବିଜୟ କେତନ ଏକ ବିଲ୍ ପାସ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ତେବେ ସେତେବେଳର କ୍ଷମତା କେନ୍ଦ୍ର ସହ ଭଲ ସଂପର୍କ ନରଖିବାରୁ ବିଜୟଙ୍କ ବିରୋଧରେ ଆକ୍ସନ୍ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ । ଜେଲରୁ ବାହାରିବା ପରେ ବିଜୟଙ୍କୁ ବୋର୍ଡ ଅଫ୍ ରେଭିନ୍ୟୁର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ବିଜୟକେତନଙ୍କ ଭାଗ୍ୟ ବଦଳିଥିବା କୁହାଯାଉଛି । ବିଜେପି ସରକାର ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଉଥିବା ବେଳେ ସେହି ବିଭାଗର ଦାୟିତ୍ବ ବିଜୟକେତନଙ୍କୁ ମିଳିଛି । ଏହାସହ ସେ ଓଡିଶା ପରିବାର ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଭାବେ ବି ଦାୟିତ୍ବ ତୁଲାଇବେ ।

ସରକାର ବଦଳିଲା ପାଓ୍ବାର ଖସିଲା !
ନବୀନ ସରକାରରେ ଅନ୍ୟତମ ପାଓ୍ବାରଫୁଲ୍ ଜିଲ୍ଲାପାଳ ଥିଲେ ଆଶିଷ ଠାକରେ । ତାଙ୍କୁ ଜିଲ୍ଲା ଦାୟିତ୍ବରୁ ମୁକ୍ତ କରି ବୋର୍ଡ ଅଫ୍ ରେଭିନ୍ୟୁ ସଚିବ ଭାବେ ବଦଳି କରିଛି ବିଜେପି ସରକାର । ଗତ ସରକାରରେ କେନ୍ଦୁଝର ଜିଲ୍ଲାପାଳ ରହିଥିଲେ ଆଶିଷ ଠାକରେ । ସେ ସମୟରେ ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଜାତୀୟ ଜନଜାତି କମିଶନର ସମନକୁ ନେଇ ବି ସେ ଚର୍ଚ୍ଚାରେ ରହିଥିଲେ । ଏପରିକି ଦୀର୍ଘ ବର୍ଷ ଧରି ଗୋଟିଏ ଜିଲ୍ଲାରେ ସେ ଜିଲ୍ଲାପାଳ ନିଯୁକ୍ତ ରହିବାକୁ ନେଇ ବି ଆଶିଷଙ୍କ ବିରୋଧରେ ସେତେବେଳେ ବିଜେପି ଅଭିଯୋଗ ଆଣିଥିଲା । ପରେ ସେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ ।

ନୂଆ ସରକାର ନୂଆ ପାଓ୍ବାର କରିଡର
କ୍ଷମତା ପରିବର୍ତ୍ତନ ପରେ ନିଜ ହିସାବରେ ପାଓ୍ବାର କରିଡର ସଜାଡୁଛନ୍ତି ମୋହନ ସରକାର । ବିଜେଡି ସରକାରରେ ଗେହ୍ଲାପୁଅ ରହିଥିବା ଅଧିକାରୀଙ୍କୁ ବଦଳି କରିଛନ୍ତି । କେଉଁଠି ଜିଲ୍ଲାପାଳ ଅଦଳବଦଳ କରିଛନ୍ତି ତ କେଉଁଠି ପଦୋନ୍ନତି ଦେଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଥିବା ସ୍ବଧା ଦେବ ସିଂଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ୨୦୧୬ବ୍ୟାଚର ଯୁବ ଆଇଏଏସ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣା ବେଳେ କାର୍ଯ୍ୟ ଦକ୍ଷତାକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ସେ କଟକ ଜିଲ୍ଲାପାଳ ଭାବେ ଦାୟିତ୍ବ ନେବେ ।

ପୂର୍ବରୁ ବି ବଦଳିଥିଲେ ବାବୁ
କ୍ଷମତାକୁ ଆସିବା ପରେ ହିଁ ନବୀନଙ୍କ ପାଓ୍ବାର କରିଡର ଭାଙ୍ଗିଥିଲେ ମୋହନ ସରକାର । କ୍ରୀଡା ବିଭାଗରୁ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ବଦଳି କରାଯାଇଥିଲା ତ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀରେ ନିଯୁକ୍ତି ମିଳିଥିଲା । ସେହିପରି ବିଶାଲ ଦେବଙ୍କୁ ଶକ୍ତି ଓ ଅର୍ଥ ବିଭାଗରୁ ବାଦ୍ ଦିଆଯାଇ ଆଇଟି ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା । ପୂର୍ବ ନବୀନ ପଟ୍ଟନାୟକଙ୍କ ସରକାରରେ ସରକାରୀ ବାବୁଙ୍କ ହାତରେ ଶାସନ ଡୋର ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ରାଜନେତାଙ୍କଠାରୁ ବାବୁ ଅଧିକ ପାଓ୍ବାରଫୁଲ୍ ରହିଥିବା କୁହାଯାଉଥିଲା । ଦୀର୍ଘ ୨୪ବର୍ଷ ଧରି ଶାସନରେ ରହିଥିବା ନବୀନ ସରକାର ନିଜ ବିଶ୍ବାସନୀୟ ଆଇଏଏସ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ଜିଲ୍ଲା ଦାୟିତ୍ବ ଦେଇଥିଲେ । ତେବେ ବିଜେପି ସରକାର ଆସିବା ପରେ ନୂଆ ପାଓ୍ବାର କରିଡର ପ୍ରସ୍ତୁତ କରୁଛନ୍ତି । ଆଇଏଏସ ଅବଦଳବଦଳ କରୁଛନ୍ତି ତ ପୂର୍ବ ସରକାରର କ୍ଷମତାକେନ୍ଦ୍ରର ଖାସ୍ ଥିବା କିଛି ଅଧିକାରୀ ସ୍କାନରକୁ ଆସିଛନ୍ତି ।

Comments are closed.