Latest Odisha News

BREAKING NEWS

କୋଭାକ୍ସିନକୁ ମିଳିବ କି ଅନୁମୋଦନ ? ୨୬ରେ ବସିବ ବୈଷୟିକ ପରାମର୍ଶଦାତା କମିଟି ବୈଠକ

ନୂଆଦିଲ୍ଲୀ : କୋଭାକ୍ସିନକୁ ଅନୁମୋଦନ ଦେବା ଲାଗି ଆସନ୍ତା ୨୬ରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନକୁ ଯଦି ଅନୁମତି ମିଳେ, ତେବେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଏହାର ପ୍ରୟୋଗ ହୋଇପାରିବ । ଏହି ଟିକାକୁ ଅନୁମତି ମିଳିଲେ, ଏହା ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଭାରତ ବାୟୋଟେକର କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବେ ଭାରତରେ କୋଭିଡ ମୁକାବିଲାରେ ବ୍ୟବହୃତ ହେଉଛି ।

ରପ୍ତାନୀ ଓ ବିଦେଶ ଯାଉଥିବା ଲୋକଙ୍କ କ୍ଷେତ୍ରରେ କୋଭିସିଲ୍ଡକୁ ଅନୁମତି ମିଳିଥିବା ବେଳେ କୋଭାକ୍ସିନକୁ ଅନୁମତି ମିଳିନାହିଁ । ଗତ ୬ ତାରିଖରେ ସଙ୍ଗଠନର କୌଶଳଗତ ପରାମର୍ଶଦାତା କମିଟି ବୈଠକ ବସିଥିଲା । ମାତ୍ର କେତେକ କାରଣ ଯୋଗୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇପାରି ନଥିଲା । ବର୍ତ୍ତମାନ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ସମ୍ପର୍କରେ ବିଭିନ୍ନ ତଥ୍ୟାବଳୀକୁ ଅନୁଧ୍ୟାନ କରୁଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ବର୍ତ୍ତମାନ ସୁଦ୍ଧା ଭାରତରେ ଜରୁରୀକାଳୀନ ପ୍ରୟୋଗ ଲାଗି ଡିସିଜିଆଇଙ୍କ ପକ୍ଷରୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ- ଭିକୁ ଅନୁମତି ମିଳିଛି ।

Leave A Reply

Your email address will not be published.