Latest Odisha News

BREAKING NEWS

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମା ସୁଭଦ୍ରାଙ୍କ ରଥ ବଳଗଣ୍ଡି ଛକରେ ଅଟକି ରହିଥିଲା । ନନ୍ଦିଘୋଷ ରଥ ବଗଲା ଧର୍ମଶାଳା ପାଖରେ ଅଟକି ରହିଥିଲା । ଆଜି ସକାଳେ ରଥଟଣା ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚିଛି ୩ ରଥ ।

ଆଜି ଠାକୁର ରାତିରେ ରହିବେ । ଆସନ୍ତାକାଲି ଅପରାହ୍ଣ ପରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀଜୀଉ । ଶ୍ରଦ୍ଧାଳୁ ଆଜି ଓ ଆସନ୍ତାକାଲି ରଥରେ ଠାକୁରଙ୍କ ଦର୍ଶନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଯେହେତୁ ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ, ତେଣୁ ଆଡ଼ପ ଅବଢ଼ା ଶୁକ୍ରବାର ବାହାରିବ ।

ତେବେ ରଥ କାହିଁକି ଶରଧା ବାଲିରେ ପହଞ୍ଚି ପାରିଲାନି । ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଠିକ୍ ସମୟରେ ନୀତିକାନ୍ତି ସରିଥିଲା । ବୋଧ ହୁଏ ଠାକୁର କେଉଁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାଟରେ ଅଟକି ଗଲେ ତାହା କହି ହେବ ନାହିଁ । ସମସ୍ତ ବିଷୟରେ ତର୍ଜମା କରାଯିବ ବୋଲି ରଞ୍ଜନ ଦାସ କହିଛନ୍ତି ।

ତେବେ ଚର୍ଚ୍ଚା ହେଉଛି, ରଥଯାତ୍ରା ସମୟରେ କୁଆଡ଼େ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଲା । ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପଛର କାରଣ ଯାହା ବି ହେଉନା କାହିଁକି ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.