ନୂଆଦିଲ୍ଲୀ: ଦିଲ୍ଲୀରେ ହରିୟାଣା ଇଫେକ୍ଟ, ଏକା ଲଢିବ ଆପ୍ । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆପ୍ ଦିଲ୍ଲୀ ନିର୍ବାଚନ ପାଇଁ କାହା ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି । କଂଗ୍ରେସ ବି ସମାନ ସ୍ବରରେ ମେଣ୍ଟ ନହେବା ନେଇ କହିବା ସହ ଦଳ ସମସ୍ତ ୭୦ସିଟରେ ଏକା ଲଢିବ ବୋଲି କହିଛି । ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲ କଂଗ୍ରେସକୁ ନେଇ ଯେଉଁଭଳି ଆଭିମୁଖ୍ୟ ଦେଖାଇଥିଲେ, ସେଥିରୁ ଲାଗୁଥିଲା ଏକାଠି ବିଜେପିକୁ ଚ୍ୟାଲେଞ୍ଜ ଦେବେ ହାତ ଓ ଝାଡୁ । ହେଲେ ହରିୟାଣା ନିର୍ବାଚନରେ ଆପ୍ ପ୍ରତି କଂଗ୍ରେସର ଆଚରଣର ପ୍ରଭାବ ଏବେ ଦିଲ୍ଲୀ ଫାଇଟରେ ଦେଖିବାକୁ ମିଳୁଛି । ହାତ ଛାଡି ଏକାକୀ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଆପ୍ ।
ଦିଲ୍ଲୀରେ ହରିୟାଣା ଇଫେକ୍ଟ
ହରିୟାଣା ବିଧାନସଭା ନିର୍ବାଚନରେ ଆପକୁ ୧.୭୯ପ୍ରତିଶତ ଭୋଟ୍ ମିଳିଥିଲା ତ କଂଗ୍ରେସକୁ ୩୯.୦୯ ଓ ବିଜେପିକୁ ୩୯.୯୪ ପ୍ରତିଶତ ଭୋଟ୍ ମିଳିଥିଲା । ୯୦ଟି ସିଟରୁ ୪୮ଟି ଜିତି ହରିୟାଣାରେ ସରକାର ଗଠନ କଲା ବିଜେପି । ଯେବେକି କଂଗ୍ରେସକୁ ୩୭ରେ ସନ୍ତୁଷ୍ଟ ହେବାକୁ ପଡିଲା । ଯଦି ଆପ୍ ଓ କଂଗ୍ରେସ ସେଠାରେ ଏକାଠି ନିର୍ବାଚନ ଲଢିଥାନ୍ତେ, ହୁଏତ ଫଳାଫଳ ଭିନ୍ନ ହୋଇଥାନ୍ତା । କଂଗ୍ରେସ ସାମାନ୍ୟ ନଇଁଥିଲେ ହରିୟାଣାରେ ଦଳର ସରକାର ହୋଇଥାନ୍ତା । ହେଲେ ହରିୟାଣାରେ ମେଣ୍ଟ ଗଣିତ ବିଫଳ ହୋଇଥିବା ବେଳେ ଦିଲ୍ଲୀରେ ବି ଏହାର ଇଫେକ୍ଟ ଦେଖିବାକୁ ମିଳିଥିବା କୁହାଯାଉଛି ।
ବାଣ୍ଟିହେଉ ଶାସନ ବିରୋଧୀ ଭୋଟ୍
କଂଗ୍ରେସଠୁ ଦୂରେଇ ଏକା ଲଢିବା ପଛରେ ଆପର ଅନ୍ୟ ଏକ ରଣନୀତି ବି ହୋଇପାରେ । ଦିଲ୍ଲୀରେ ପ୍ରାୟ ୧୨ବର୍ଷ ଧରି କ୍ଷମତାରେ ରହିଛି ଆମ ଆଦମୀ ପାର୍ଟି । ତେଣୁ ଆପ ବିରୋଧରେ ଶାସନ ବିରୋଧୀ ଲହର ରହିଛି । କଂଗ୍ରେସ ଅଲଗା ନିର୍ବାଚନ ଲଢିଲେ ଆପ୍ ଉପରେ ଅସନ୍ତୁଷ୍ଟ ଭୋଟର ବିଜେପି ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯିବେ । ଯେବେକି ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେଲେ ଶାସନ ବିରୋଧୀ ଭୋଟ୍ କେବଳ ବିଜେପିକୁ ଯିବ । ଭୋଟ୍ ବାଣ୍ଟି ହେଲେ ଲାଭରେ ରହିବ ଆପ୍ ।
ଲୋକସଭାରେ ଲାଭ କମ୍ କ୍ଷତି ବେଶୀ
କଂଗ୍ରେସ ସହ ମିଶି ଲୋକସଭା ନିର୍ବାଚନ ଲଢିଥିଲା ଆପ୍ । ଦୁଇ ଦଳ ମଧ୍ୟରେ ମେଣ୍ଟ ତ ହେଲା, ହେଲେ ନେତାଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଲା । ପରସ୍ପର ପାଇଁ ପ୍ରଚାର କରିବାକୁ ଏକପ୍ରକାର କୁନ୍ଥକୁନ୍ଥ ହେଲେ । ନିଜ ପ୍ରାର୍ଥୀ ନଥିବା ସିଟରେ ମେଣ୍ଟ ସହଯୋଗୀ ସହଯୋଗ କରିନଥିବା ଉଭୟ ଦଳ ପରସ୍ପର ଉପରେ ଅଭିଯୋଗ ଆଣିଲେ । ଦୁଇ ଦଳ ମଧ୍ୟରେ ତାଳମେଳର ଅଭାବରୁ ସିଧାସଳଖ ଫାଇଦା ପାଇଲା ବିଜେପି । ତେଣୁ ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ସପକ୍ଷରେ ନାହାନ୍ତି କେଜ୍ରିଓ୍ବାଲ । ଯଦି ସେଭଳି ସ୍ଥିତି ଆସେ ତ ନିର୍ବାଚନ ପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରିବ ।
ମେଣ୍ଟ ନହେବା ପଛରେ କଂଗ୍ରେସର ବିଳମ୍ବ ନୀତି !
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି କଲେଣି ଅରବିନ୍ଦ କେଜ୍ରିଓ୍ବାଲ । ବିଭିନ୍ନ ସିଟରେ ପ୍ରାର୍ଥୀ ଫାଇନାଲ୍ କରିଛନ୍ତି । ତେବେ କଂଗ୍ରେସ ସହ ଆସନ ବୁଝାମଣା କଲେ ଶେଷ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାନ୍ତା । ଆପର କର୍ମୀ ସବୁ ଗଳି, ବଜାରରେ ପହଞ୍ଚି ପ୍ରଚାର କରନ୍ତି । ତେବେ ବିଳମ୍ବରେ ସିଟ୍ ମିଳିଲେ ସେମାନେ ସେଭଳି ପ୍ରଚାର କରିପାରିବେନି । ହରିୟାଣାରେ ନାମାଙ୍କନ ଦାଖଲ କିଛି ଦିନ ପୂର୍ବରୁ ହିଁ ରାହୁଲ ଗାନ୍ଧୀ ଆପ୍ ସହ ମିଶି ନିର୍ବାଚନ ଲଢିବା ଉଚିତ୍ ବୋଲି ଦଳୀୟ ନେତାଙ୍କୁ କହିଥିଲେ। ସମାନ ସ୍ଥିତି ଦିଲ୍ଲୀରେ ବି ହୋଇପାରେ । ନାମାଙ୍କନ ପୂର୍ବରୁ ହିଁ ନିଦରୁ ଉଠିପାରେ କଂଗ୍ରେସ । ସେଥିପାଇଁ ବିଭିନ୍ନ ରାଜ୍ୟରେ ମେଣ୍ଟ ରାଜନୀତିରୁ ଫାଇଦା ପାଇବାରେ ବିଫଳ ହେଉଛି କଂଗ୍ରେସ । ତେବେ ଦିଲ୍ଲୀକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ଅରବିନ୍ଦ କେଜ୍ରିଓ୍ବାଲ । କଂଗ୍ରେସର ଦୁର୍ବଳତା ପାଇଁ କ୍ଷତି ସହିବା ଅପେକ୍ଷା ଏକା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସଭା ଭୁଲ ସୁଧାରି ପୁଣି ଦିଲ୍ଲୀ ଦଖଲ କରିବାକୁ ପ୍ଲାନ୍ କରୁଛି ଆପ୍ ।
Comments are closed.