ନୂଆଦିଲ୍ଲୀ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଡିଏମକେକୁ ମାତ୍ ଦେବାକୁ ବଡ଼ ରଣନୀତି । ବିଜେପି ସହ ହାତ ମିଳାଇଲା ଏଆଇଏଡିଏମକେ । କାହିଁକି ୟୁ-ଟର୍ଣ୍ଣ ନେଲା ଦଳ ? ଆସନ୍ତା ନିର୍ବାଚନରେ ଡିଏମକେ ବିଜୟ ରଥ ଓଗାଳିବା ସହ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରଭାବ କମାଇବାକୁ ବିଜେପିର ବଡ଼ ରଣନୀତି । ନିର୍ବାଚନର ଯଥେଷ୍ଟ ଆଗରୁ ଏଆଇଏଡିଏମକେ ସହ ମେଣ୍ଟ କରିବା ସହ ଏଡାପ୍ପାଡି କେ ପାଲାନିସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛନ୍ତି ଅମିତ ଶାହା। ଷ୍ଟାଲିନ ସରକାର ବିରୋଧରେ ରହିଥିବା ଶାସନ ବିରୋଧୀ ଲହରରୁ ଫାଇଦା ନେବାକୁ ବଡ଼ ପ୍ଲାନ୍ କରିଛି ବିଜେପି ।
କାହିଁକି ଏକାଠି ଆସିଲେ ବିଜେପି-ଏଆଇଏଡିଏମକେ?
ବିଜେପି ଓ ଏଆଇଏଡିଏମକେ ଏକାଠି ହେବା ପଛରେ ଗତ ଲୋକସଭା ନିର୍ବାଚନକୁ ସବୁଠୁ ବଡ଼ କାରଣ କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ତାମିଲନାଡୁରେ କ୍ଲିନ ସୁଇପ୍ କରିଥିଲା ଡିଏମକେ ନେତୃତ୍ବାଧୀନ ମେଣ୍ଟ । ୩୯ରୁ ୩୯ଟି ସିଟ ଜିତିଥିଲା ମେଣ୍ଟ । ସେତେବେଳେ ବିଜେପି ଓ ଏଆଇଏଡିଏମକେ ଅଲଗା ଅଲଗା ନିର୍ବାଚନ ଲଢିଥିବା ବେଳେ ଉଭୟ ଖାତା ଖୋଲି ପାରିନଥିଲେ । ତେଣୁ ଆସନ୍ତା ବିଧାନସଭା ନିର୍ବାଚନରେ ପୁରୁଣା ଭୁଲ୍ ଦୋହରାଇବାକୁ ଚାହୁଁନାହାନ୍ତି ଉଭୟ ଦଳ । ତେଣୁ ପୁରୁଣା କଥା ଭୁଲି ପୁଣି ଏକାଠି ହୋଇଛନ୍ତି ବିଜେପି ଓ ଏଆଇଏଡିଏମକେ ।
ମେଣ୍ଟ ଆଗରୁ ଅନ୍ନାମଲାଇ ବିଦା !
ବିଜେପି ଓ ଏଆଇଏଡିଏମକେ ମେଣ୍ଟ ପୂର୍ବରୁ ବିଜେପି ତାମିଲନାଡୁ ମୁଖ୍ୟ ଅନ୍ନାମଲାଇ ପଦ ଛାଡିବାକୁ ନେଇ ଚର୍ଚ୍ଚା ହୋଇଥିଲା । କୁହାଯାଉଛି, ମେଣ୍ଟ ପାଇଁ କୁଆଡେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆଗରେ ଅନ୍ନାମଲାଇଙ୍କୁ ପଦରୁ ବିଦା କରିବାକୁ ସର୍ତ୍ତ ରଖିଥିଲେ କେ ପାଲାନିସ୍ବାମୀ । କାରଣ ଅନ୍ନାମଲାଇଙ୍କୁ ନେଇ ଦୁଇ ଦଳ ମଧ୍ୟରେ ଦୂରତା ବଢିଥିଲା । ଅନ୍ନାମଲାଇ ରାଜ୍ୟରେ ଏଆଇଏଡିଏମକେକୁ ପ୍ରଭାବହୀନ କରି ବିଜେପିକୁ ମୁଖ୍ୟ ବିରୋଧୀ ଦଳ ଭାବେ ପ୍ରତିଷ୍ଠିତ କରିବାକୁ ଉଦ୍ୟମ କରୁଥିବା ଦଳ ମନେ କରୁଥିଲା । ୨୦୨୩ରେ ଦିବଂଗତ ଜୟଲଳିତାଙ୍କୁ ନେଇ ଅନ୍ନାମଲାଇଙ୍କ ମନ୍ତବ୍ୟ ବିଭେଦକୁ ଚରମରେ ପହଞ୍ଚାଇଥିଲା। ତେବେ ବିଜେପି ଓ ଏଆଇଏଡିଏମକେ ମେଣ୍ଟ ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ପଦ ଛାଡିଥିଲେ ଅନ୍ନାମଲାଇ।
ଡିଏମକେକୁ ମାତ୍ ଦେବାକୁ ବଡ଼ ପ୍ଲାନ୍
୨୦୨୧ରେ ଏନଡିଏ ତାମିଲନାଡୁରେ ହାରିଥିଲା, ତେବେ ଦୁଇ ମେଣ୍ଟ ମଧ୍ୟରେ ମାତ୍ର ୬ପ୍ରତିଶତ ଭୋଟର ବ୍ୟବଧାନ ରହିଥିଲା । କେବଳ ଏଆଇଏଡିଏମକେ ସରକାର ବିରୋଧୀ ଲହର ଯୋଗୁଁ ଏହି ଭୋଟ୍ ବ୍ୟବଧାନ ରହିଥିବା କୁହାଯାଉଛି । ଏଥର ସ୍ଥିତି ଓଲଟା । ଷ୍ଟାଲିନ ସରକାର ବିରୋଧରେ ଲହର ରହିଛି । ଜନତାଙ୍କ ଆଗରେ ଡିଏମକେକୁ ନିଜ ରିପୋର୍ଟ କାର୍ଡ ଦେଖାଇବାକୁ ପଡିବ । ୫ବର୍ଷରେ ରାଜ୍ୟରେ କିଭଳି ବିକାଶ କରିଛନ୍ତି, ତାର ହିସାବ ଦେବାକୁ ପଡିବ । ତେଣୁ ଶାସନ ବିରୋଧୀ ଲହରର ଫାଇଦା ନେବାକୁ ଯୋଜନା କରୁଛି ଏନଡିଏ ।
ମେଣ୍ଟ ଆଗରେ ଅନେକ ଚ୍ୟାଲେଞ୍ଜ
ବିଜେପି ଓ ଏଆଇଏଡିଏମକେ ଏକାଠି ଆସିଛନ୍ତି ସତ, ତେବେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସମନ୍ବୟ ଓ ଜନତାଙ୍କର ମେଣ୍ଟ ଉପରେ କେତେ ବିଶ୍ବାସ ରହୁଛି, ସେନେଇ ବି ପ୍ରଶ୍ନ ଉଠୁଛି । କାରଣ କିଛି ଦିନ ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ଅନ୍ନାମଲାଇ ଉଭୟ ଦ୍ରାବିଡ ଦଳକୁ ଦୁର୍ନୀତିଗ୍ରସ୍ତ କହୁଥିଲେ । ଏବେ ପୁଣି ଏଆଇଏଡିଏମକେ ସହ ବିଜେପି ହାତ ମିଳାଇବା ପରେ, ତାକୁ ବିଶ୍ବାସ କରିପାରିବେ ତ ଜନତା? କର୍ମୀ ମଧ୍ୟ ପରସ୍ପରକୁ ଗ୍ରହଣ କରିବା କଷ୍ଟ ହେବ । କାରଣ ବାଜପେୟୀ ଓ ଜୟଲଳିତାଙ୍କ ଅମଳରୁ ଉଭୟ ଦଳ ମେଣ୍ଟ ସହଯୋଗୀ ରହିଥିଲେ ମଧ୍ୟ ସଂପର୍କ କେବେ ଗରମ ତ କେବେ ଥଣ୍ଡା ରହିଛି । ଓ୍ବକଫ୍ ଆଇନ ଯୋଗୁଁ ବିଜେପି ସହ ମେଣ୍ଟ ପରେ ଏଆଇଏଡିଏମକେ ସଂଖ୍ୟାଲଘୁ ଭୋଟ ହରାଇବା ଆଶଙ୍କା ବି ରହିଛି । କାରଣ ବିଲକୁ ବିରୋଧ କରିଥିଲେ ଏଆଇଏଡିଏମକେ ସାଂସଦ । ଏବେ ଜନତାଙ୍କୁ କେମିତି ବୁଝାଇବ ଦଳ? ଡିଏମକେ ସରକାର ରାଜ୍ୟ ସ୍ବାର୍ଥକୁ ନେଇ ଦିଲ୍ଲୀ ବିରୋଧରେ ହୁଙ୍କାର ଭରୁଥିବା ବେଳେ ଏଆଇଏଡିଏମକେ ପାଇଁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ବିଜେପି ଓ ଏଆଇଏଡିଏମକେ ହାତ ମିଶାଇଲେ ମଧ୍ୟ ଏକାଠି ଚାଲିବା ବାଟରେ ଅନେକ ଚ୍ୟାଲେଞ୍ଜ ରହିଛି ।
Comments are closed.