Latest Odisha News

BREAKING NEWS

ବଲୁଚିସ୍ତାନକୁ କେମିତି ଓ କାହିଁକି କବଜା କଲା ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ଦ୍ୱାରା କେମିତି ଅଧୀକୃତ ହେଲା ବଲୁଚିସ୍ତାନ? କଣ ଏହି ବଲୁଚିସ୍ତାନ? ପାକିସ୍ତାନ ଏହାକୁ କାହିଁକି କବଜା କଲା? ଆସନ୍ତୁ ଜାଣିବା ଏହାର ରହସ୍ୟ…

ଆଜି ବଲୁଚିସ୍ତାନର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ସେଠାକାର ଖବର ବାହାରକୁ ଆସୁନାହିଁ ବା ଏମିତି କହିପାରିବା ସେ ଖବରସବୁ ବାହାରକୁ ଆସିବାକୁ ଦିଆଯାଉ ନାହିଁ । ପ୍ରତ୍ୟେକ ଦିନ ସେଠାରେ ପାକିସ୍ତାନ ବିରୋଧୀ ନାରା ଶୁଣିବାକୁ ମିଳୁଛି । ପାଖାପାଖି ୭୦ ବର୍ଷ ହେଲାଣି ବଲୁଚିସ୍ତାନର ଲୋକେ ପାକିସ୍ତାନଠାରୁ ସ୍ୱାଧୀନତା ପାଇଁ ଆନ୍ଦୋଳନ କରିଆସୁଛନ୍ତି । କିନ୍ତୁ କାହା ପାଖରେ ମଧ୍ୟ ସେମାନଙ୍କ ଆନ୍ଦୋଳନର ସ୍ୱର ପହଞ୍ଚି ପାରିନାହିଁ ।

କିଛିଦିନ ତଳେ ବଲୁଚିସ୍ତାନର ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇ ଅନେକ ଲୋକଙ୍କ ପ୍ରାଣହାନି ଘଟିଥିଲା । ଗତ କିଛିଦିନ ଭିତରେ ବଲୁଚିସ୍ତାନ ପ୍ରାନ୍ତରେ ଏମିତି ଏକାଧିକ ବିସ୍ଫୋରଣ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଲାଣି ।

ପାକିସ୍ତାନ ଅଧୀନରେ ଥିବା ବଲୁଚିସ୍ତାନରେ ଲୋକଙ୍କ ଜୀବନ ଯିବା ଏକ ସାଧାରଣ କଥା ହୋଇଗଲାଣି । ଏସବୁର ମୂଳ ଜାଣିବା ପାଇଁ ଆମକୁ ଜାଣିବାକୁ ପଡିବ, କଣ ରହିଛି ଏହା ପଛର ଇତିହାସ !

ବଲୁଚିସ୍ତାନର ଇତିହାସ:
ଆମ ଦେଶ ଭାରତ ୧୫ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ୧୪ ଅଗଷ୍ଟରେ ପାଳନ କରେ ସ୍ୱାଧୀନତା ଦିବସ । କିନ୍ତୁ କଣ ଆପଣ ଜାଣନ୍ତି ୧୧ ଅଗଷ୍ଟ ହେଉଛି ବଲୁଚିସ୍ତାନର ସ୍ଵାଧୀନତା ଦିବସ । ୧୯୪୭ ମସିହା ୧୧ ଅଗଷ୍ଟରେ ଇଂରେଜଙ୍କଠାରୁ ବଲୁଚିସ୍ତାନକୁ ସ୍ୱାଧୀନତା ପ୍ରାପ୍ତି ହୋଇଥିଲା । ପରେ ପାକିସ୍ତାନ ଏହା ଉପରେ ଜବରଦସ୍ତ କବଜା କରିନେଇଥିଲା ।

ବିଭାଜନ ସମୟରେ ଏହା ନିର୍ଣ୍ଣୟ କରାଯାଇଥିଲା ଯେ ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ରାଷ୍ଟ୍ର ହେବ । ପାଖପାଖି ୫୬୫ଟି ରାଜବଂଶଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଗଲା ଯେ ସେମାନେ ଭାରତ କିମ୍ବା ପାକିସ୍ତାନରେ ମିଶି ପାରିବେ ଅଥବା ନିଜେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହୋଇ ମଧ୍ୟ ରହିପାରିବେ ।

ସିଧାସଳଖ ବ୍ରିଟିଶ ଶାସନ ଅଧୀନରେ ନଥିବା ବଲୁଚିସ୍ତାନ ମଧ୍ୟରେ କଲାତ୍, ଖରାନ, ଲାସବୁଲ୍ଲା, ମକରାନ ଆଦି ଅଂଚଳ ଥିଲା । ବଲୁଚିସ୍ତାନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଗଲା ଯେ ସେ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହ ମିଶି ପାରିବ । ଅଥବା ନିଜକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିପାରିବ । ଏହା ପରେ ଖରାନ, ଲାସବୁଲ୍ଲା ଓ ମକରାନ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ଚାପରେ ପାକିସ୍ତାନ ସହ ମିଶିବାକୁ ବାଧ୍ୟ ହେଲେ । ମାତ୍ର କଲାତର ରାଜା ମିର ଅହମ୍ମଦ ଖାନ ନିଜକୁ ସ୍ୱତନ୍ତ୍ର ଘୋଷିତ କରିଦେଲେ ।

ଯେପରି ପାକିସ୍ତାନ କଶ୍ମୀରରେ ଆକ୍ରମଣ କରିଥିଲା, ସେହିପାରି ପାକିସ୍ତାନ ସେନା ୧୯୪୮ରେ ବଲୁଚିସ୍ତାନର କଲାତ ଉପରେ ମଧ୍ୟ ଆକ୍ରମଣ କରିଥିଲା । ବାଧ୍ୟବଧକତାରେ ସେଠାକାର ରାଜା ପାକିସ୍ତାନ ସହ ନିଜ ସାମ୍ରାଜ୍ୟକୁ ବିଲୟ କରିବା ସହ ବିଲୟ କାଗଜରେ ଦସ୍ତଖତ କରିଦେଲେ ।

୧୯୬୩ରୁ ୧୯୬୯ ଭିତରେ ପାକିସ୍ତାନ ସେନା ବଲୁଚିସ୍ତାନ ଅକ୍ତିଆର କରିଥିଲା! ୧୯୭୩ ରୁ ୧୯୭୭ ମଧ୍ୟରେ ରାଜନୈତିକ ଦଳଗୁଡିକ ଏକଜୁଟ ହୋଇ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ଜବାବରେ ପାକିସ୍ତାନ ସରକାର ବଲୁଚିସ୍ତାନ ସରକାରକୁ ଭାଙ୍ଗି ଦେଇଥିଲେ । ଏହାପରେ ବାଲୁଚିସ୍ତାନରେ ହିଂସା ସୃଷ୍ଟି ହେଲା ।

ବଲୁଚିସ୍ତାନର ଅବସ୍ଥା ତ ସେତେବେଳେ ଆହୁରି ସଙ୍ଗିନ ହୋଇଗଲା ଯେତେବେଳେ ଅଗଷ୍ଟ ୨୦୦୬ରେ ୭୯ ବର୍ଷୀୟ ବଲୁଚି ନେତା ଆକବର ବୁଗତିଙ୍କ ସହ ପାକ ସେନାର ମତଭେଦ ପରେ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ଆରୋପ ପରଭେଜ ମୁଶାରଫଙ୍କ ଉପରେ ଲାଗିଥିଲା ।

୩ ଏପ୍ରିଲ ୨୦୦୯ରେ ବଲୁଚି ନେସନଲ ମୁଭମେଣ୍ଟର ଅଧ୍ୟକ୍ଷ ଗୁଲାମ ମହମ୍ମଦ ଏବଂ ତାଙ୍କ ସାଥି ଲାଲା ମୁନିର୍ ଓ ସେଖ ମହମ୍ମଦଙ୍କୁ ଗିରଫ କରି ନିଆଗଲା । ଏହାର ପାଞ୍ଚଦିନ ପରେ ଏକ ଜନଶୂନ୍ୟ ସ୍ଥାନରୁ ସେମାନଙ୍କ ମୃତଦେହ ମିଳିଲା । ଯଦି ସେଠାକାର ନେତାଙ୍କୁ ରାତାରାତି ଗାୟବ କରି ଦିଆଯାଇ ପାରୁଛି ଓ ତାଙ୍କର ଏଭଳି ଅବସ୍ଥା କରାଯାଉଛି, ତେବେ ସେଠାକାର ସାଧାରଣ ଜନତାଙ୍କ ପରିସ୍ଥିତି କେଉଁ ଭଳି ହୋଇଥିବ ଅନୁମେୟ ।

ଖଣିଜ ପଦାର୍ଥ ଯୋଗୁଁ ଏହି ଇଲାକା ବେଶ ଗୁରୁତ୍ୱପୂର୍ଣ୍ଣ । ଏଠାରେ କୋଇଲା, ମାର୍ବଲ, ଲାଇମଷ୍ଟୋନ ଓ ପ୍ରାକୃତିକ ଗ୍ୟାସ ପ୍ରଚୁର ମାତ୍ରାରେ ମିଳିଥାଏ । ତାପରେ ମଧ୍ୟ ଏଠାକାର ଲୋକେ ଦାରିଦ୍ର୍ୟ ଭିତରେ ନିଜ ଜୀବନ ଅତିବାହିତ କରୁଛନ୍ତି । ଏହି ଅଞ୍ଚଳ ପାକିସ୍ତାନର ଗରିବ ଅଞ୍ଚଳମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ପାକିସ୍ତାନର ଅନ୍ୟ ଅଞ୍ଚଳ ତୁଳନାରେ ବଲୁଚିସ୍ତାନରେ ଶିକ୍ଷା ଓ ରୋଜଗାରର ସୁବିଧା ବହୁତ କମ ।

ଏପରି ଜଟିଳ ପରିସ୍ଥିତିରେ, ଦୁନିଆର କୌଣସି ଦେଶର ନଜର ଏଠାକାର ଲୋକଙ୍କ ଉପରେ ପଡୁନଥିବା ବେଳେ, ୨୦୧୬ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାଠାରେ ବଲୁଚିସ୍ତାନ ପ୍ରସଙ୍ଗ ଉଠାଇ ଥିଲେ ।

ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳାଦିବସ ଭାବେ ପାଳନ କରୁଥିବା ବେଳେ ବଲୁଚିସ୍ତାନର ସମାଜସେବୀ ଅସରଫ ସେରଜାନ ଭାରତକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ! ଏଥିସହିତ ବଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବା ପାଇଁ ବିଶ୍ୱସ୍ତରରେ ବଲୁଚିବାସୀଙ୍କ ସ୍ୱର ହେବାକୁ ଭାରତକୁ ଅନୁରୋଧ ମଧ୍ୟ କରିଛନ୍ତି । କିଛିଦିନ ତଳେ ବଲୁଚି ନେତା ନାୟଲ କଦରି ଏମିତି ବି କହିଛନ୍ତି ଯେ ଯଦି ବଲୁଚିସ୍ତାନ ସ୍ୱାଧୀନତା ପାଏ, ତେବେ ସେ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପନ କରିବେ ।

ଭାରତର ଅଭିନ୍ନ ଅଙ୍ଗ ଜମ୍ମୁ-କଶ୍ମୀରରେ ସର୍ବଦା ଅଯଥା ହସ୍ତକ୍ଷେପ କରୁଥିବା ପାକିସ୍ତାନ ନିଜ ଭିତରେ ଥିବା କଳା ରହସ୍ୟକୁ କେବେ ଦେଖିବାକୁ ହିଁ ଚେଷ୍ଟା କରୁନାହିଁ; ଯାହା ହୁଏତ ଦିନେ ତା ପାଇଁ ଘାତକ ସାବ୍ୟସ୍ତ ହେବ !

Leave A Reply

Your email address will not be published.