ନୂଆଦିଲ୍ଲୀ: କେମିତି ଆଗାମୀ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି? ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଆକ୍ରାମକ ରହୁଥିବା ବିଜେପି ଦିଲ୍ଲୀରେ ଏକପ୍ରକାର କନଫ୍ୟୁଜଡ ଲାଗୁଛି । ଶାସନ ବିରୋଧୀ ଲହରର ସାମନା କରୁଥିବା ଆମ ଆଦମୀ ପାର୍ଟି ଏଥର ସବୁଠୁ କଷ୍ଟ ନିର୍ବାଚନ ଲଢୁଛି । ତେବେ ବିଜେପି ଦିଲ୍ଲୀରେ ସକ୍ରିୟ ରହିଥିଲେ ବି ନିର୍ବାଚନ ରଣନୀତିକୁ ନେଇ ଦ୍ବନ୍ଦ୍ବରେ ରହିଥିବା ଭଳି ଜଣାପଡୁଛି । ୨୦୧୩ରେ ବିଜେପି ଡକ୍ଟର ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା ତ ୨୦୧୫ରେ କିରଣ ବେଦୀଙ୍କୁ ପାରାସ୍ୟୁଟ ଏଣ୍ଟ୍ରି ଦେଇ ମୁଖ୍ୟମନ୍ତ୍ରୀ ଚେହେରା ବନାଇଥିଲା । ୨୦୨୦ରେ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢିଥିଲା ବିଜେପି । ତେବେ ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ ହିଁ ସବୁଠୁ ଭଲ ପ୍ରଦର୍ଶନ ସହ ୩୧ସିଟ୍ ଜିତିଥିଲା ଦଳ । ଏଥର କେମିତି ନିର୍ବାଚନ ଲଢିବ ବିଜେପି, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।
କେଜ୍ରିଓ୍ବାଲଙ୍କ ଚ୍ୟାଲେଞ୍ଜର କିଏ?
୨୦୧୩ରେ ବିଜେପିକୁ ଭଲ ନେତୃତ୍ବ ଦେଇଥିବା ହର୍ଷବର୍ଦ୍ଧନଙ୍କୁ ଦିଲ୍ଲୀ ରାଜନୀତିରୁ ହଟାଇ କେନ୍ଦ୍ରକୁ ପଠାଗଲା । ୨୦୨୦ରେ ଭୋଜପୁରୀ ଷ୍ଟାର ମନୋଜ ତିଓ୍ବାରୀଙ୍କୁ ଆଗକୁ ରଖାଗଲା । ହେଲେ ପ୍ରବେଶ ବର୍ମା ନା ମନୋଜ ତିଓ୍ବାରୀ ବିଜେପି କାହାକୁ ସାମନାରେ ରଖିଛି ଜଣାପଡିଲାନି । ଏଥର ନୂଆଦିଲ୍ଲୀ ସିଟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ସମାନ ଚର୍ଚ୍ଚା ସ୍ମୃତି ଇରାନୀଙ୍କୁ ନେଇ ବି ହେଉଛି । ଫଳରେ ବିଜେପି ପକ୍ଷରୁ କେଜ୍ରିଓ୍ବାଲଙ୍କ ବିପକ୍ଷରେ କିଏ ଚେହେରା ହେବେ, ସେନେଇ ଚିତ୍ର ସ୍ପଷ୍ଟ ହୋଇପାରିନି ।
ମହିଳାଙ୍କ ପାଇଁ ଯୋଜନା, ପଛରେ ବିଜେପି
ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରି ଦିଲ୍ଲୀରେ ବି ମହିଳାଙ୍କ ପାଇଁ ଯୋଜନା ଘୋଷଣା ନେଇ ପ୍ରସ୍ତୁତି କରୁଛି ବିଜେପି । ହେଲେ ବିଜେପି ପ୍ରସ୍ତୁତି କରୁଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ମହିଳା ସମ୍ମାନ ଯୋଜନା ଘୋଷଣା କରିଛନ୍ତି । କ୍ଷମତାକୁ ଫେରିଲେ ମହିଳାଙ୍କୁ ମାସକୁ ୨୧ଶହ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି ପ୍ରଶ୍ନ ଉଠାଇବା ପରେ ଦିଲ୍ଲୀ ଉପରାଜ୍ୟପାଳ ସମ୍ଭାବ୍ୟ ହିତାଧିକାରୀଙ୍କ ପଂଜୀକରଣ ଠକେଇ ନେଇ ଦିଲ୍ଲୀ ପୋଲିସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଆପର ଯୋଜନା ନେଇ ପ୍ରଶ୍ନ ଉଠାଇଲେ ବିଜେପିକୁ ସେମିତି ଫାଇଦା ମିଳିବନି, ବରଂ ନିଜସ୍ବ ଯୋଜନା ଘୋଷଣା କରିବାକୁ ପଡିବ ।
ଅନୁପ୍ରବେଶକାରୀଙ୍କୁ ଧରିଲେ କାହାର ଲାଭ?
ଦିଲ୍ଲୀ ପୋଲିସ ଗତ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ରୋହିଙ୍ଗ୍ୟା ପ୍ରସଙ୍ଗରେ ବିଜେପି ଓ ଆପ୍ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବି ଜୋରଦାର ଚାଲିଛି । ଦେଶର ସୀମା ଉପରେ ନଜର ରଖିବା ସହ ଦିଲ୍ଲୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଦାୟିତ୍ବ କେନ୍ଦ୍ର ସରକାରଙ୍କ ଉପରେ ଥିବା ବେଳେ ବାଂଲାଦେଶ ଅନୁପ୍ରବେଶକାରୀ ପ୍ରସଙ୍ଗରେ ଆପ୍ ସରକାରକୁ ଟାର୍ଗେଟ୍ କରିବା ଯୁକ୍ତିଯୁକ୍ତ ନୁହେଁ । ଝାଡଖଣ୍ଡରେ ବି ବିଜେପି ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଥିଲା। ହେଲେ କିଛି ଲାଭ ହେଲାନି । ଦିଲ୍ଲୀରେ ସେମିତି ଫାଇଦା ହେବାର ଆଶା ବି କମ୍ ।
ଶାସନ ବିରୋଧୀ ଲହର ଭରସାରେ ବିଜେପି !
ଦିଲ୍ଲୀରେ ଆମ ଆଦମୀ ପାର୍ଟି ବିରୋଧରେ ଶାସନ ବିରୋଧୀ ଲହର ରହିଛି । ଏକଥା ଆପ୍ ବି ଜାଣିଛି । ଆଉ ସେଥିପାଇଁ ଅନେକ ସିଟିଂ ଏମଏଲଏଙ୍କ ଟିକେଟ ବି କଟିଛି । ଦିଲ୍ଲୀ ମଦ ନୀତିକୁ ନେଇ ବି ଆପ୍ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି । ତେବେ କେବଳ ଏହା ଭରସାରେ ରହିବା ବିଜେପିକୁ ମହଙ୍ଗା ପଡିପାରେ । ଏପର୍ଯ୍ୟନ୍ତ କେବଳ ନୂଆଦିଲ୍ଲୀ ବିଧାନସଭା ସିଟକୁ ଛାଡିଦେଲେ ବାକି ବିଧାନସଭା କ୍ଷେତ୍ରରେ ବିଜେପି ପକ୍ଷରୁ ସେଭଳି ହଲଚଲ ଦେଖିବାକୁ ମିଳୁନି । ସାଂସଦ ମନୋଜ ତିଓ୍ବାରୀ ଓ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍ ତ କରୁଛନ୍ତି । ହେଲେ ବିଧାନସଭା କ୍ଷେତ୍ରରେ ବିଜେପିର ସ୍ବର ଉଠାଇବାକୁ କେହି ନାହାନ୍ତି । ଆପ ପକ୍ଷରୁ ସବୁ ସିଟ ପାଇଁ ପ୍ରାର୍ଥୀ ଘୋଷଣା ସହ ମଇଦାନରେ ପ୍ରାର୍ଥୀ ଓ ନେତା ରହିଥିବା ବେଳେ ପଛରେ ପଡିଛି ବିଜେପି ।
Comments are closed.