Latest Odisha News

BREAKING NEWS

ଭୁବନେଶ୍ୱର ମେୟର ନିର୍ବାଚନ: କାହିଁକି ସୁନୀତି ମୁଣ୍ଡଙ୍କୁ ବାଛିଲା ବିଜେପି ?

ଭୁବନେଶ୍ୱର: ରାଜଧାନୀବାସୀ ନିଜର ମେୟର ବାଛିବାକୁ ଯାଉଛନ୍ତି । ଏଠି ସାଂସଦ ବିଜେପିର ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଶାସକ ଦଳ ବିଜେଡିର । ତେଣୁ ମେୟର ପଦ ପାଇଁ ଦୁଇ ପୂର୍ବତନ ସହଯୋଗୀ ଦଳ ଭିତରେ କଡା ମୁକାବିଲା ହେବ ବୋଲି ଆକଳନ ହେଉଥିଲା । କିନ୍ତୁ ପାର୍ଟି ଉଇଥ ଡିଫରେନ୍ସ ବୋଲି କହୁଥିବା ଦଳ ବିଜେପି ଭୁବନେଶ୍ୱରର ମେୟର ପ୍ରାର୍ଥୀ ଭାବେ ସୁନୀତି ମୁଣ୍ଡଙ୍କୁ ଘୋଷଣା କରିବା ପରେ ରାଜଧାନୀରେ ମେୟର ନିର୍ବାଚନ ବିଜେପି ବିଧି ରକ୍ଷା କରିବାକୁ ଲଢେଇ କରୁଛି ବୋଲି ମତ ପ୍ରକାଶ ପାଇଛି । କାରଣ ତାଙ୍କ ବିରୋଧରେ ମୈଦାନରେ ଅଛନ୍ତି ବିଜେଡିର ସୁଲୋଚନା ଦାସ ଏବଂ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ । ଉଭୟ ନିଜ ନିଜ ଦଳରେ ଏବଂ ରାଜନୀତିରେ ସକ୍ରିୟ ରହିଛନ୍ତି ।

ରାଜ୍ୟ ବିଜେପିରେ ଅନେକ ମହିଳା ନେତ୍ରୀ ରହିଛନ୍ତି । ହେଲେ ହଠାତ୍ ସୁନୀତି ମୁଣ୍ଡଙ୍କୁ ଉପରେ ରାଜ୍ୟ ବିଜେପି ଯେପରି ଭରସା କଲା ତାହା ଦଳୀୟ କନ୍ଦଳର ମୂଳ କାରଣ ବୋଲି କୁହାଯାଉଛି । ସୁନୀତି ମୁଣ୍ଡ୍ ଜଣେ ଲେଖିକା ଏବଂ ସାମ୍ବାଦିକ ବୋଲି ପରିଚୟ ଦେଇପାରନ୍ତି କିନ୍ତୁ ଏହା ଅନେକଙ୍କୁ ଏବେ ବି ଅଜଣା । ସେ କେବେ ବିଜେପିରେ ସାମିଲ ହେଲେ ତାହା ମଧ୍ୟ ଅଜଣା । ତେଣୁ ମେୟର ଭଳି ପଦବୀ ପାଇଁ ବିଏମସିର ପୂର୍ବତନ କମିଶନର ତଥା ବିଜେପିର ଫାୟାର ବ୍ରାଣ୍ଡ ଲେଡି ମ୍ୟାଡାମ ଅପରାଜିତା ସୁନୀତି ମୁଣ୍ଡଙ୍କ ଉପରେ କେଉଁ ପରିସ୍ଥିତିରେ ଭରସା କଲେ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିବା ବେଳେ ଅପରାଜିତା ଷଡଙ୍ଗୀ ପ୍ରେସ କନଫରେନସ କରି କହିଥିଲେ ସୀନିତି ମୁଣ୍ଡ୍ ଜଣେ ଯୋଗ୍ୟ ପ୍ରାର୍ଥୀ । ସେ ଯୋଗ୍ୟ ବୋଲି ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାବଦରେ କହିଥିଲେ ଅପରାଜିତା । ହେଲେ ରାଜନୀତିରେ ପ୍ରମିଳା ବିଶୋୟୀ ଭଳି ଲୋକ ଯେତେବେଳେ ସଂସଦରେ ତାଙ୍କର ସହଯୋଗୀ ହୋଇପାରୁଛନ୍ତି । ସେତେବେଳେ ସୁନୀତିଙ୍କର ଶିକ୍ଷାଗତ ଯୋଗ୍ୟତା ବାବଦରେ ବର୍ଣ୍ଣନା କରିବା ଦଳର ଦୁର୍ବଳତାକୁ ଦର୍ଶାଇଛି।

ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଗର୍ଜୁଛି । ଟିକିଏ ବର୍ଷା ହେଲେ ରାଜଧାନୀ ବର୍ଷା ପାଣିରେ ଉବୁଟୁବୁ ହେବା ପ୍ରସଙ୍ଗ ହେଉ ଅବା ଆବାସ ଯୋଜନାର ଦୁର୍ନୀତି ଏହି ସବୁ ପ୍ରସଙ୍ଗରେ ଅନେକ ବିଜେପି ନେତ୍ରୀ ନେତୃତ୍ୱ ନେଉଥିବା ଦେଖିବାକୁ ମିଳେ । ସେଥିମଧ୍ୟରୁ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅନ୍ୟତମ । ଯିଏକି ଜଣେ ଉଚ୍ଚ ଶିକ୍ଷିତା ତାଙ୍କ ମା ମଧ୍ୟ ଜଣେ ଲେଖିକା । ରାଜଧାନୀରେ ଜନ୍ମ ହୋଇଛନ୍ତି ଆଉ ବଢିଛନ୍ତି । ଏବେ ରାଜ୍ୟ ବିଜେପିର ଅନ୍ୟତମ ପ୍ରମୁଖ ଚେହେରା । ଆଶା କରାଯାଉଥିଲା ଲେଖାଶ୍ରୀକୁ ବିଜେପି ମେୟର ପ୍ରାର୍ଥୀ କରି ପରିଣାମ ଯାହା ହେଉ ନା କାହିଁକି ଲଢେଇ ଆରପାର ହେବା କିନ୍ତୁ ପଂଚାୟତ ନିର୍ବାଚନରେ ବିଜେପି ବିଜେଡିକୁ ୱାକ ଓଭର ଦେଲା ଭଳି ମେୟର ନିର୍ବାଚନରେ ବି ସମାନ ନୀତି ଆପଣାଇଛି ବୋଲି କୁହାଯାଉଛି ।

ରାଜ୍ୟ ବିଜେପିର ଏପରି ସ୍ଥିତି ପଛରେ ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରେ ଥିବା କନ୍ଦଳ ପ୍ରମୁଖ କେଁ ବୋଲି କୁହାଯାଉଛି । ଅନ୍ୟପଟେ ପଂଚାୟତ ନିର୍ବାଚନରେ ସାରା ଓଡିଶାରେ ଶଙ୍ଖ ନାଦ ହେବା ପରେ ଦଳୀୟ ନେତା ନିର୍ବାଚନ ମୈଦାନରେ ପ୍ରାର୍ଥୀ ହେବାକୁ ଅମଙ୍ଗ ବୋଲି କୁହାଯାଉଛିା ସେହିପରି ଦଳରେ ଥିବା ଜଣେ ନେତ୍ରୀଙ୍କୁ ମେୟର ପ୍ରାର୍ଥୀ କଲେ ଆଉ ଜଣେ ରୁଷିବ ଏବଂ ଗୋଷ୍ଠୀ କନ୍ଦଳ ବଢିବ ବୋଲି ଦଳ ସହିତ ନେଣଦେଣ ନଥିବା ବ୍ୟକ୍ତିଙ୍କୁ ବିଜେପି ବାଛିଚି ବୋଲି କୁହାଯାଉଛିା

୨୦୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଂଚାୟତ ନିର୍ବାଚନ ବେଳେ ବେଶ୍ ଆକ୍ଟିଭ ହୋଇ ନିଜ ସମର୍ଥକଙ୍କୁ ନେଇ ବିଜେଡିକୁ ବଡ ଝଟକା ଦେଇଥିଲେ । ହେଲେ ଚଳିତଥର ଧର୍ମେନ୍ଦ୍ରଙ୍କୁ ସକ୍ରିୟ ରହିବାର ଦେଖିବାକୁ ମିଳିନଥିଲା । ଯଦିିଓ ୟୁପି ନିର୍ବାଚନରେ ପ୍ରଧାନ ବ୍ୟସ୍ଥ ଅଛନ୍ତି ବୋଲି ଓଡିଶାକୁ ପ୍ରଧାନ୍ୟ ଦେଇପାରିଲେନି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ । କିନ୍ତୁ ମହାନଗର ନିଗମ ନିର୍ବାଚନ ବେଳେ ପ୍ରାର୍ଥୀ ଘୋଷଣା ହେଉ ଅବା ନାମାଙ୍କନ ଦାଖଲ ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତା ମୈଦାନକୁ ନବାହାରିବା ଅନେକ କିଛି କନ୍ଦଳକୁ ବୟାନ କରୁଛି । ନିଜେ ଅପରାଜିତା ସୁନୀତି ନାମାଙ୍କନ ଭରିବା ବେଳେ ଉପସ୍ଥିତ ନଥିଲେ । ସେହିପରି ରାଜ୍ୟ ବିଜେପିର ଅନ୍ୟତମ ପୋଷ୍ଟର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ମଧ୍ୟ ଉପସ୍ଥିତ ନଥିଲେ । ଏମାନେ କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କର ଘୋର ସମର୍ଥକ ବୋଲି ସଭିଏଁ ଜାଣନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ହୋଇଥିବାରୁ ମେୟର ପ୍ରାର୍ଥୀ ତାଙ୍କ ପସନ୍ଦର ହେବ । ତେଣୁ ଦଳର ପ୍ରମୁଖ ଗୋଷ୍ଠୀ ଅପରାଜିତାଙ୍କୁ ସାଇଡ୍ ମାରିଥିବା କୁହାଯାଉଛି । ତେଣୁ ଅପରାଜିତା ନିଜ ଦ୍ୱାରା ପରିଚାଳିତ ହୋଇପାରୁଥିବା ଜଣେ ବ୍ୟକ୍ତିକୁ ବାଛିଛନ୍ତି ବୋଲି କୁହାଯାଉଛି । ଆଉ ନିଜ ବ୍ରାଣ୍ଡରେ ସୁନୀତିଙ୍କ ପାଇଁ ଭୋଟ୍ ଆଣିବାରେ ସକ୍ଷମ ହେବେ । ଭୁବନେଶ୍ୱର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପଛରେ ରାଜ୍ୟ ବିଜେଡିର ଅନେକ ଗୋଷ୍ଠୀ କନ୍ଦଳର ସମାଧାନର ବାଟ ବୋଲି କୁହାଯାଏ । ତେଣୁ ଏହାକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଆଗଲା । ଆଉ ଏହାର ଭରପୁର ଫାଇଦା ବିଜେପିି ନେବ ବୋଲି କୁହାଯାଉଥିଲାା କିନ୍ତୁ ଦଳୀୟ କନ୍ଦଳ ଭିତରେ ଧନ୍ଦି ହୋଇ ବିଜେପି ଏବେ ସୁନୀତି ମୁଣ୍ଡଙ୍କ ଭଳି ବ୍ୟକ୍ତିଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଉଲ୍ଲେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ସାଂସଦ ପଦ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଏଠାରେ ଜୋରଦାର ଲଢେଇ ହୋଇଥିଲା । ଆଉ ଲୋକେ ବିଧାୟକ ଭାବେ ବିଜେଡିକୁ ଭୋଟ୍ ଦେଇଥିବା ବେଳେ ସାଂସଦ ଭାବେ ଅପରାଜିତାଙ୍କୁ ଭୋଟ୍ ଦେଇ ବିଜୟ କରାଇଥିଲା । ବିଜେଡି ଗଡରେ ବିଜେପିର ଏପରି ସଫଳତା ବୟାନ କରିଥିଲା ସହରୀ ଲୋକଙ୍କ ପାଖରେ ବିଜେପି ଏବେ ଆଦୃତ ହୋଇଛିା ଆଉ ଅପରାଜିତାଙ୍କ ପୂର୍ବ ଖ୍ୟାତି ଏବେ ବି ଲୋକେ ମନେ ରଖିଛନ୍ତି । କିନ୍ତୁ ଏହାପରେ ବିଜେପି ଯେପରି ଆଗକୁ ବଢିବା କଥା ସେପରି ନବଢି ପଛକୁ ଠେଲି ହୋଇ ଯାଉଥିବା ଦେଖିବାକୁ ମିଳିଛି ।

Comments are closed.